ମୋଡ଼ ବଦଳାଉଛି ‘ଜୱାଦ’: ରବିବାର ଉପକୂଳରେ ପହଞ୍ଚିବ, ପୁରୀ ଛୁଇଁ ପଶ୍ଚିମବଙ୍ଗ ମୁହାଁଇବ

ଭୁବନେଶ୍ବର: ବାତ୍ୟା ‘ଜୱାଦ’ର ଗତି ସାମାନ୍ୟ ମନ୍ଥର ରହିଛି। ଘଣ୍ଟାକୁ ଏହା ୬ କିମି ବେଗରେ ସମୁଦ୍ର ଭିତରେ ଗତି କରୁଛି। ଏବେ ବାତ୍ୟାର ଗତିପଥ ସ୍ପଷ୍ଟ ହେବାରେ ଲାଗିଛି। ଆସନ୍ତାକାଲି ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବ ଆକଳନକୁ ପରିବର୍ତ୍ତନ କରି ଏହା ରବିବାର ମଧ୍ୟାହ୍ଣ (୫ ତାରିଖ) ସୁଦ୍ଧା ପୁରୀ ଜିଲାରେ ସ୍ଥଳଭାଗ ସ୍ପର୍ଶ କରି ପୁଣି ସମୁଦ୍ର ଭିତରେ ପଶ୍ଚିମବଙ୍ଗ ଆଡେ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସଦ୍ୟ ଆକଳନ କରିଛି।

ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ଘନୀଭୂତ ହୋଇ ଗତକାଲି ‘ଜୱାଦ’ ବାତ୍ୟା ରୂପରେ ପରିଣତ ହୋଇଛି। ଏହା ଆଜି ଭୀଷଣ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଉପକୂଳକୁ ମାଡି ଆସୁଛି। ବାତ୍ୟା ଏବେ ଦକ୍ଷିଣ, ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣାରୁ ୨୫୦ କିମି, ଗୋପାଳପୁରରୁ ୩୬୦ କିମି, ପୁରୀରୁ ୪୩୦ କିମି ଏବଂ ପାରାଦ୍ବୀପରୁ ୫୧୦ କିମି ଦୂରରେ ରହିଛି। ଏହି ସାମୁଦ୍ରିକ ଝଡ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅର୍ଥାତ ବିଶାଖାପାଟଣା ନିକଟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ। ସନ୍ଧ୍ୟାରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। କେନ୍ଦ୍ରୀଭୂତ ସ୍ଥଳରେ ଦିଗ ବଦଳାଇ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ମୁହାଁଇ ଓଡ଼ିଶା ଉପକୂଳ ଗୋପାଳପୁର ଓ ଚିଲିକା ଦେଇ ପୁରୀ ଆଡକୁ ମୁହାଁଇବ।

୫ ତାରିଖ ମଧ୍ୟାହ୍ନରେ ପୁରୀ ଜିଲାର କୌଣସି ଉପକୂଳ ଅଞ୍ଚଳରେ ଜୱାଦର କିଛି ଅଂଶ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ବାତ୍ୟା ସ୍ଥଳଭାଗରୁ ପୁଣି ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତିକରି ସମୁଦ୍ର ଭିତରକୁ ଯାଇପାରେ। ପରବର୍ତ୍ତୀ ସମୟରେ ବାତ୍ୟା ଓଡ଼ିଶା ଉପକୂଳ ସ୍ଥଳଭାଗ ଏବଂ ସମୁଦ୍ର ମଧ୍ୟରେ କେନ୍ଦ୍ରାପଡା, ଜଗତସିଂହପୁର, ପାରାଦ୍ବୀପ ଏବଂ ଚାନ୍ଦବାଲି ଦେଇ ପଶ୍ଚିମବଙ୍ଗକୁ ଯିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଡ.ମହାପାତ୍ର କହିଛନ୍ତି, ପୁରୀଠାରେ ଉପକୂଳ ଛୁଇଁଲା ପରେ ଏହାକ୍ରମେ ଦୁର୍ବଳ ହେବ। ବାତ୍ୟା ପ୍ରଭାବରେ ଗତ ସନ୍ଧ୍ୟାରୁ ଓଡ଼ିଶା ଉପକୂଳ ଜିଲା ଗୁଡ଼ିକରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଆଜି ଉପକୂଳ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ। ବାତ୍ୟା ଯୋଗୁଁ ୧ ମିଟର ଉଚ୍ଚର ଜୁଆର ଆସିପାରେ। ସମୁଦ୍ର ନିକଟବର୍ତ୍ତୀ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ‘ଜୱାଦ’ର ପ୍ରକୋପ ‘ଗୁଲାବ’ଠାରୁ ଅଧିକ ଏବଂ ‘ତିତଲି’ଠାରୁ କମ୍ ରହିବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ପଡିବ। ବାତ୍ୟା ଯେତେ ପଶ୍ଚିମବଙ୍ଗ ଆଡକୁ ମୁହାଁଇବ ସେହି ଅନୁସାରେ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ପ୍ରଭାବ ଅନୁଭୂତ ହେବ। ଉପକୂଳ ନିକଟବର୍ତ୍ତୀ ହେବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୭୦ରୁ ୮୦ କିମି ରହିବ। ସ୍ଥଳବିଶେଷରେ ଝଟକା ପବନର ବେଗ ୯୦ କିମି ଛୁଇଁପାରେ।

ଆଜି ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲାଗୁଡିକୁ ନାଲି ସତର୍କ ସୂଚନା ଜାରି କରାଯାଇଛି। ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, କଟକ, କନ୍ଧମାଳ ଏବଂ ରାୟଗଡା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲା ଗୁଡିକୁ କମଳା ସତର୍କ ସୂଚନା ଦିଆଯାଇଛି। ଭଦ୍ରକ, ବାଲେଶ୍ବର, ଯାଜପୁର, କୋରାପୁଟ ଏବଂ ମାଲକାନଗିରି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି ହୋଇଛି। ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଏବଂ ପୁରୀ ଜିଲାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲାଗୁଡିକୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟାନୁଯାୟୀ, ଆଜି ଅପରାହ୍ଣଠାରୁ ପବନର ବେଗ ବଢ଼ିବ। ପରବର୍ତ୍ତୀ ୧୨ ଘଣ୍ଟା ପର୍ୟ୍ୟନ୍ତ ଘଣ୍ଟା ପ୍ରତି ପବନର ବେଗରୁ ୮୦ରୁ ୯୦ କିମି ରହିବ। ସ୍ଥଳବିଶେଷରେ ଝଟକା ପବନ ୧୦୦ରୁ ୧୧୦ କିମି ଛୁଇଁପାରେ। ୫ ତାରିଖରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାକୁ ଥିବାବେଳେ ଝଟକା ପବନର ବେଗ ୧୦୦ କିମି ଛୁଇଁପାରେ। ଓଡ଼ିଶାର ସମସ୍ତ ବନ୍ଦରରେ ୪ନଂ ବିପଦ ସଙ୍କେତ ଜାରି କରାଯାଇଛି। ୫ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ବହିବାକୁ ଥିବାବେଳେ ଗଜପତି, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲାରେ ଘଣ୍ଟା ପ୍ରତି ପବନର ବେଗ ୬୦ରୁ ୭୦ କିମି ବେଗରେ ବହିବ। କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଢେଙ୍କାନାଳ ଏବଂ ଯାଜପୁର ଜିଲାରେ ଘଣ୍ଟା ପ୍ରତି ୩୫ରୁ ୪୫ କିମି ବେଗରେ ପବନ ରହିବ। କେତେକ ଅଞ୍ଚଳରେ ବର୍ଷା ୧୦୦ ମିମି ପର୍ୟ୍ୟନ୍ତ ହୋଇପାରେ।

Comments are closed.