ବାତ୍ୟାର ରୂପ ନେଲା ‘ଜୱାଦ’, ପୁରୀ ଉପକୂଳ ନିକଟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଜୱାଦ’। ଏବେ ଏହା ବାତ୍ୟାର ରୂପ ‘ଜୱାଦ’ ନେଇଛି। ଜୱାଦ ରବିବାର ମଧ୍ୟାହ୍ନରେ ପୂରୀ ଉପକୂଳ ନିକଟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଗୁଲାବ’ ବାତ୍ୟା ଠାରୁ ଅଧିକ ଶକ୍ତିଶାଳୀ ହେବ ଜୱାଦ। ୪ ତାରିଖ ଅମାବାତ୍ୟା ଥିବାରୁ ସମୁଦ୍ରରେ ୪ରୁ ୫ ମିଟର ଉଚ୍ଚରେ ଜୁଆର ଉଠିବ। ଦୱାଦ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଆଦୌ ସୁରକ୍ଷିତ ରହିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏପଟେ ବାତ୍ୟା ପ୍ରଭାବରେ ପୁରୀରେ ବର୍ଷା ଆରମ୍ଭ ହୋଇ ଯାଇଛି। ଏହି ସମୟରେ ସମ୍ଭାବ୍ୟ ବାତ୍ୟା ନେଇ ପୁରୀ ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରୀ ନମ୍ୱର ଜାରି ହୋଇଛି। କୌଣସି ଅସୁବିଧା ହେଲେ ଏହି ଜରୁରୀ ନମ୍ୱର ୦୬୭୫୨-୨୨୩୨୩୭ରେ ଲୋକମାନେ କଲ୍‌ କରି ପାରିବେ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ବାତ୍ୟା ‘ଜୱାଦ’ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ରହିଛି।

 

ସମାନ ଦିଗରେ ପୁରୀ ଠାରୁ ୫୩୦ କିଲୋମିଟର ଓ ପାରଦୀପ ଠାରୁ ୬୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଜୱାଦ’। ବିଗତ ୬ ଘଣ୍ଟା ହେଲା ‘ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି। ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଞ୍ଚିବ ‘ଜୱାଦ’। ଏହା ପରେ ୟୁ କର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚିବ। ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ବାତ୍ୟା ‘ଜୱାଦ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ସହ ପବନ ବଢ଼ୁଛି। ଆଜି ରାତିରୁ ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟ ଅତି ପ୍ରବଳ ବର୍ଷା ବଢ଼ିବ। ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଉପକୂଳ ଜିଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.