ଆଜିଠୁ ସୁଧୁରିବ ପାଗ, ପଶ୍ଚିମବଙ୍ଗ ଗଲା ଜୱାଦ

ଭୁବନେଶ୍ବର: ବାତ୍ୟା ‘ଜୱାଦ’ ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲାଗୁଡିକରେ ଅତି ପ୍ରବଳ ବର୍ଷା ହୋଇଛି। ପାରାଦ୍ବୀପରେ ବାଦଲ ଫଟା ବର୍ଷା ହୋଇଥିବା ସୂଚନା ମିଳିଛି। ପାରାଦ୍ବୀପରେ ସର୍ବାଧିକ ବର୍ଷା ୨୦୧ ମିମି ରେକର୍ଡ କରାଯାଇଛି। ଜଗତସିଂହପୁର ଜିଲାର କୁଜଙ୍ଗରେ ୧୧୪ ମିମି, ଏରସମାରେ ୧୮୮ ମିମି, ବାଲିକୁଦାରେ ୧୩୦ ମିମି ଏବଂ ନୂଆଗାଁରେ ୧୨୩ ମିମି ବର୍ଷା ରେକର୍ଡ କରାଯାଇଛି। ପାରାଦ୍ବୀପରେ ଅପରାହ୍ଣ ୨.୩୦ରୁ ୩.୩୦ ମିନିଟ ମଧ୍ୟରେ ୧୦୩ ମିମି ବର୍ଷା ହୋଇଥିବା ବେଳେ ସକାଳ ସାଢେ ୮ଟାରୁ ଅପରାହ୍ଣ ସାଢେ ୨ଟା ମଧ୍ୟରେ ୧୭୫ ମିମି ବର୍ଷା ହୋଇଛି। ବାଦଲ ଫଟା ବର୍ଷା ହେବା ଦ୍ବାରା ଲୋକେ ବାହାରକୁ ବାହାରି ପାରିନାହାନ୍ତି। ଚାରିଆଡେ ଜଳମୟ ପରିସ୍ଥିତି ସୃ‌ଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲା କେତେକ ଅଞ୍ଚଳରେ ତୁହାକୁ ତୁହା ଲଗାଣା ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି।

ଏବେ ଉପକୂଳ ଓଡ଼ିଶାରେ ପାଗ ବଦଳିବ। ଆସନ୍ତା ୯ ତାରିଖ ପରେ ଶୀତ ଅନୁଭୂତ ହେବ। ଇତିମଧ୍ୟରେ ଜୱାଦ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମବଙ୍ଗ ଗତିକରି ଲଘୁଚାପରେ ପରିଣତ ହେବ ବୋଲି ସୂଚନା ମିଳିଛି। ରବିବାର ଅପରାହ୍ଣ ସାଢେ ୨ଟାରେ ଓଡ଼ିଶାର ସମୁଦ୍ର ଉପକୂଳ ନିକଟତର ହୋଇ ବଙ୍ଗୋପସାଗର ଉତ୍ତର ପଶ୍ଚିମରେ କେନ୍ଦ୍ରୀଭୂତ ହୋଇଥିଲା। ପୁରୀରୁ ଦକ୍ଷିଣ ପୂର୍ବ ଦିଗରେ ୫୦ କିମି ଦୂରରେ ରହିଥିଲା। ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାହ୍ଣ ସାଢେ ୧୧ଟା ବେଳକୁ ଉତ୍ତର-ପୂର୍ବ ଦିଗରେ ଗତିକରି ପୁରୀ ସହରଠାରୁ ସମୁଦ୍ର ଭିତରେ ୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ପାରାଦ୍ବୀପଠାରୁ ୩୦ କିମି ଦୂରରେ ରହିଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତିକରି ଚାନ୍ଦାବଲି ଦେଇ ପଶ୍ଚିମବଙ୍ଗ ମୁହାଁଇଥିଲା। ମଧ୍ୟରାତିରେ ଏହା ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।

ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି)ଙ୍କ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ହୋଇଛି। ଗଞ୍ଜାମ ଜିଲାର ଖଲ୍ଲିକୋଟ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ୧୨ ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ମିମିରୁ ଅଧିକ ଏବଂ ୫୮ ବ୍ଲକରେ ୨୦ ମିମିରୁ ୫୦ ମିମି ବର୍ଷା ହୋଇଛି। ବାତ୍ୟା ପ୍ରଭାବିତ ୬ ଜିଲାରେ ୧୨୦ ଆଶ୍ରୟସ୍ଥଳୀ ରହିଛି। ଯେଉଁଥିରେ ପାଖାପାଖି ୪ ହଜାର ଲୋକ ଆଶ୍ରୟ ନେଇଛନ୍ତି। ପ୍ରାୟ ୪ଶହ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ୨୬୬ ଓଡ୍ରାଫ, ଏନଡିଆରଏଫ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

Comments are closed.