କ୍ଷେତରେ ସଢୁଛି ପାଚିଲାଧାନ : ଗଜା ହେବା ଆଶଙ୍କା ! ଅମଳ ଚିନ୍ତାରେ ଚାଷୀ

ବାତ୍ୟା ଜୱାଦ ପ୍ରଭାବରେ ୩ଦିନ ହେଲା ବର୍ଷା

ଆରଡି : ବାତ୍ୟା ଜୱାଦ ପ୍ରଭାବରେ ୩ଦିନ ହେଲା ସମୁଦ୍ର ଉପକୂଳବର୍ତ୍ତି ତଥା ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ଅଞ୍ଚଳରେ କାଚୁଛି ବର୍ଷା । ଫଳରେ ସମଗ୍ର ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିବା ସହ କଚାଘରେ ବସବାସ କରୁଥିବା ଲୋକଙ୍କ ଦୁର୍ଦଶା ବଢିଯାଇଛି । ଗତକାଲି ଠାରୁ ସମୁଦ୍ର ଉପକୂଳବର୍ତ୍ତୀ ଓ ନଦୀତଟବତି ଅଞ୍ଚଳରେ ହାଲକା ପବନ ବହିବା ସହ ଲଗାଣବର୍ଷା ଲାଗି ରହିଥିବାରୁ କ୍ଷେତରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବର୍ଷାପାଣି । ଯାହାଫଳରେ ଶହଶହ ହେକ୍ଟର ପାଚିଲା ଧାନ କ୍ଷେତରେ ସଢୁଛି । ତାହାସହ ସମୁଦ୍ର ଅଶାନ୍ତ ହୋଇପଡିବା ଫଳରେ ଉଚ୍ଚ ଜୁଆର କୂଳକୁ ମାଡିବାରୁ ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ବିଭିନ୍ନ ତଳିଆ ଅଞ୍ଚଳକୁ ପ୍ରବେଶ କରିଥିବାରୁ ଜଳମଗ୍ନ ହୋଇପଡିଛି । ଏପରିକି ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିପଦ ସଂକେତ ଜାରୀ କରାଯାଇଥିବାରୁ ଉଭୟ ନଦୀ ଜେଠିରେ ମତ୍ସ୍ୟଜିବୀ ଅଟକି ରହିଛନ୍ତି । ତାହା ସହ ଶହଶହ ଟ୍ରଲର ଓ ମଟରବୋଟ ଲଙ୍ଗର ପକାଇଛି। ଚାଷୀର ଫସଲ ଅମଳ ସମୟରେ ଲଗାଣ ବର୍ଷାରେ ଜମିରେ ସଢୁଛି ଫସଲ, ଉଜୁଡି ଯାଉଛି ସ୍ୱପ୍ନ, ଭାଙ୍ଗିଯାଉଛି ଚାଷୀର ମନ, ଅମଳ ପରେ ଘରକୁ ଅଣାଯିବାକୁ ଥିବା ଫସଲ ଏବେ ପାଣି ସରସର ହୋଇ ଗଜା ହେବାକୁ ବସିଲାଣି । ଆଉ ଆଣ୍ଠୁଏ କାଦୁଅ ଭିତରୁ କିଛିଟା ପାଇବା ଆଶାରେ ଫସଲକୁ ଛାଣୁଛି ଚିନ୍ତାରେ ଚାଷୀ । ଆଉ ବର୍ଷା ଦାଉରୁ ଏହାକୁ ବଞ୍ଚାଇବାକୁ ଜମିରେ ପାଲ ପକାଇ କିଏ ସାଇତି ରଖିଛି ତ ଆଉ କିଏ ଖଳାରେ ପାଲ ଟାଣିଛି।

Comments are closed.