ପୁରୀଠାରୁ ୨୭୦ କିଲୋମିଟର ଦୂରରେ ଜୱାଦ; ବାତ୍ୟା ବିପଦ ଟଳିଲା; ପ୍ରବଳ ବର୍ଷା ସମ୍ଭାବନା

କଟକ, ଭୁବନେଶ୍ୱର ମହାନଗରରେ ପ୍ରବଳ ବର୍ଷା ସମ୍ଭାବନା; ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ଏବେ ପୁରୀଠାରୁ ୨୭୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାଦ୍ୱାରା ଓଡ଼ିଶା ଉପରୁ ବାତ୍ୟା ବିପଦ ଟଳିଯାଇଛି । ତେବେ ରାଜ୍ୟର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ୱର ମହାନଗରର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଦୁଇ ମହାନଗର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜୱାଦ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଲାଗିରହିଛି । ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଆଦି ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୭ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଜୱାଦ ପ୍ରଭାବରେ ଗୋପାଳପୁରରେ ସର୍ବାଧିକ ୬୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏଥିସହିତ ପାରାଦୀପରେ ୪୬, ଚାନ୍ଦବାଲି ୨୮, ବାଲେଶ୍ୱରରେ ୨୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୨୪.୩ ଏବଂ ପୁରୀରେ ୨୧ ମିଲିମିଟର ବର୍ଷା ହୋଇଛି । ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଜୱାଦ ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ପବନର ବେଗ ସର୍ବାଧିକ ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ଜୱାଦ ମଧ୍ୟାହ୍ନ ସୁଦ୍ଧା ପୁରୀ ନିକଟରେ ପହଞ୍ଚିବା ପରେ ପୁନଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି କୁହାଯାଇଛି । ଜୱାଦ ପ୍ରଭାବରେ ଲଗାଣ ବର୍ଷା କାରଣରୁ ଉପକୂଳବର୍ତ୍ତୀ ଜିଲାଗୁଡିକର ବ୍ୟାପକ ଅଞ୍ଚଳରେ ଧାନ ଫସଲ ନଷ୍ଟ ହୋଇଛି । ଜମିରେ ପାଣି ଜମି ରହିବାରୁ ପାଚିଲା ଧାନ ଫସଲ ଜମିରେ ପଡିଯାଇ ଗଜା ହୋଇଯାଇଥିବା ଖବର ମିଳିଛି । ସେହିଭଳି ପନିପରିବା ଚାଷ ମଧ୍ୟ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି । ଆସନ୍ତାକାଲି ଅର୍ଥାତ ୬ ତାରିଖ ମଧ୍ୟ ବର୍ଷାର ପ୍ରଭାବ ରହିବ ଏବଂ ୭ତାରିଖ ବେଳକୁ ବର୍ଷା କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.