ଗୋପାଳପୁରଠାରୁ ୯୫ କିମି ଦୂରରେ ‘ଗୁଲାବ’, ସନ୍ଧ୍ୟା ୬ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାତ୍ୟାଯୋଗୁ ଯେପରି କାହାରି ଜୀବନହାନି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

ଭୁବନେଶ୍ୱର:  ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଦେଇଥିବା ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ସନ୍ଧ୍ୟା ୫ଟା ସୁଦ୍ଧା ଗୋପାଳପୁରଠାରୁ ୯୫ କିମି ଦୂରରେ ରହିଛି। ସେହିପରି ବାତ୍ୟା ଗୁଲାବ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ ଠାରୁ ୮୫ କିମି ଦୂରରେ ରହିଛି। ଗତ ୩ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଗତି କରୁଛି। ସନ୍ଧ୍ୟା ୬ଟାରୁ ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପରେ ଆଜି ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଓ କଳିଙ୍ଗପଟ୍ଟନମ ମଝିରେ ଏହା ଲ୍ୟାଣ୍ଡଫଲ୍ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ପବନର ବେଗ ବଢ଼ି ଅତିବେଶୀରେ ଘଣ୍ଟା ପ୍ରତି ୯୫ କିମି ରହିପାରେ।

ରାଜ୍ୟର ୧୧ଟି ଜିଲ୍ଲା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଳାହାଣ୍ଡିରେ ବାତ୍ୟା ‘ଗୁଲାବ’ର ପ୍ରଭାବ ପଡ଼ିପାରେ। ଏଥିପାଇଁ ଆଜି ଏହି ୧୧ଟି ଜିଲ୍ଲାର ଜିଲାପାଳଙ୍କ ସହିତ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସମୀକ୍ଷା ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟାଯୋଗୁ ଯେପରି କାହାରି ଜୀବନହାନି ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କହିଥିଲେ। ସେହିପରି ଏହି ସବୁ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ୍ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ଦିନ ସ୍ଥିତିକୁ ବିଚାର କରି ଜିଲ୍ଲାପାଳମାନେ ସ୍କୁଲ୍ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ନା ବନ୍ଦ କରାଯିବା ଉଚିତ୍, ସେ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ବାତ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.