‘ଗଜ’ ନେଲା ୨୩ ଜୀବନ

0

ସାଲେମ : ତାମିଲନାଡୁ ଉପକୂଳରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଗଜ’ ପ୍ରଭାବରେ ଶୁକ୍ରବାର ୨୩ ଜଣ ପ୍ରାଣହରାଇଛନ୍ତି। ପୂର୍ବାହ୍ଣରେ ଏହି ଝଡ଼ ତାମିଲନାଡୁ ଉପକୂଳର ନାଗାପାଟ୍ଟିନମ ଏବଂ ବେଡାରାନ୍ନିୟମ ଅତିକ୍ରମ କରିଛି। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବୋହିବା ସହ ଉପକୂଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ନାଗାପାଟ୍ଟିନମ ଏବଂ କାରାଇକାଲ ଜିଲା ସମେତ ଅନ୍ୟ କେତେକ ସ୍ଥାନରେ ଶତାଧିକ ବୃକ୍ଷ ଏବଂ ବିଦ୍ୟୁତ୍‍ ଖୁଣ୍ଟ ଉପୁଡି ପଡିବା କାରଣରୁ ଯୋଗାଯୋଗ ଏବଂ ବିଦ୍ୟୁତ୍‍ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଇତିମଧ୍ୟରେ ତଳୁଆ ଅଞ୍ଚଳରୁ ୮୧,୦୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଧାର, ଥଇଥାନ ତଥା ରିଲିଫ ଯୋଗାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀ କହିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି। ସାମୁଦ୍ରିକ ଝଡ଼ ପ୍ରଭାବରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟାଜନିତ କ୍ଷତି ପାଇଁ ସମସ୍ତ ପ୍ରକାରର ସହଯୋଗ କରାଯିବ ବୋଲି କେନ୍ଦ୍ର ତାମିଲନାଡୁ ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି।
ତାମିଲନାଡୁର ବାତ୍ୟା ପରିସ୍ଥିତି ଉପରେ କଡ଼ା ଦୃଷ୍ଟି ରଖିବା ସହ ରାଜ୍ୟ ପ୍ରଶାସନକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ରାଜୀବ ଗୋଉବାଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ନିର୍ଦେଶ ଦେଇଛନ୍ତି। ବାତ୍ୟାଜନିତ କ୍ଷତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ସମ୍ବଳିତ ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ଡିଏମ୍‍କେ ଅଧ୍ୟକ୍ଷ ଏମ. କେ ଷ୍ଟାଲିନ ତାମିଲନାଡୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବାତ୍ୟାର ସଫଳ ମୁକାବିଲା ଦିଗରେ ଉଚିତ ପଦକ୍ଷେପ ନିମନ୍ତେ ପ୍ରସଂଶା କରିଛନ୍ତି।

Leave A Reply