୬୦ଦିନ ପାଇଁ ସ୍ଥଗିତ ପାଟକୁରା ନିର୍ବାଚନ

ଭୁବନେଶ୍ୱର/ନୂଆଦିଲ୍ଲୀ: ରାଜ୍ୟରେ ସାମୁଦ୍ରିକ ବାତ୍ୟା ଫୋନି ପ୍ରଭାବରେ ଅଧାରୁ ଅଧିକ ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିର୍ବାଚନ କମିଶନ ପାଟକୁରା ବିଧାନସଭା ନିର୍ବାଚନ ଆସନ୍ତା ୬୦ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ରେ ହେବାକୁ ଥିଲେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁଁ ତାହା ସ୍ଥଗିତ ରହିଥିଲା। ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନ ସେହି ଆସନରେ ଚଳିତମାସ ୧୯ତାରିଖରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ। ସାମୁଦ୍ରିକ ବାତ୍ୟା ଫୋନି ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ବାତ୍ୟା ମୁକାବିଲା ପାଇଁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର ସହ ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୁୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ।
ଏ ସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଜିଲ୍ଲାରେ ଫୋନି ପରବର୍ତ୍ତୀ ପରିସ୍ଥିତି ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବା ସହ ଅନ୍ତତଃ ପକ୍ଷେ ୬୦ଦିନ ପାଇଁ ନିର୍ବାଚନ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ସୂଚନା ଯୋଗ୍ୟ, ସେହି ଆସନରୁ ବିଜୟ ମହାପାତ୍ର ବିଜେପି ପକ୍ଷରୁ ଏବଂ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜେଡିରୁ ନିର୍ବାଚନ ଲଢୁଛନ୍ତି। ସୂଚନାଯୋଗ୍ୟ, ମେ ୧୯ରେ ନିର୍ବାଚନ ହୋଇଥିଲେ, ସେଠାରେ ନିର୍ବାଚନ ଆଚରଣବିଧି ବଳବତ୍ତର ରହିଥାଆନ୍ତା ଓ ଥଇଥାନ କାର୍ଯ୍ୟ କରିବା ସମ୍ଭବ ହୋଇ ନ ଥାନ୍ତା।