ସ୍ପଷ୍ଟ ହୋଇନି ବାତ୍ୟା ଚିତ୍ର ; ୭୨ ଘଣ୍ଟାରେ ଅବପାତ ରୂପ ନେବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଏବେବି ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ଏହାର ପ୍ରଭାବରେ ଡିସେମ୍ବର ୨ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ବିଶେଷକରି ଏହିଦିନ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲାରେ ବର୍ଷା ହୋଇପାରେ। ଡିସେମ୍ବର ୩ ତାରିଖରୁ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଉପକୂଳ ଓଡ଼ିଶା, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ ଏବଂ ଅନ୍ୟ ଜିଲାଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ଦିନ ଗଜପତି, ଗଞ୍ଜାମ ଓ ପୁରୀ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ମଙ୍ଗଳବାର ଲଘୁଚାପ ‌େ‌କ୍ଷତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ଏବଂ ନିକଟବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବ। ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ୫୦-୬୦ କିମି ବେଗରେ ପବନ ଏବଂ ସ୍ଥଳବିଶେଷରେ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ବିଶେଷ କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରକୁ ଯିବାକୁ ବାରଣ କରାଯାଇଛି। ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନାଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ପରାମର୍ଶ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଏହା କଡ଼ାକଡ଼ି ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି। ବର୍ଷାକୁ ନେଇ ଚାଷୀକୁଳ ଚିନ୍ତାରେ ଥିବାବେଳେ ଅମଳ ହୋଇସାରିଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ଘୋଡ଼େଇ ରଖିବାକୁ ପରାମର୍ଶ ଦିଆଯାଇଛି। ଅମଳ ଯୋଗ୍ୟ ଫସଲକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ଚାଷୀଙ୍କୁ ଏବଂ ମଣ୍ଡିରେ ଥିବା ଧାନକୁ ବର୍ଷାରୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।
ଭାରତୀୟ ପାଣିପାଗ ବିଭାଗ ନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଯଦି ଅବପାତ ବାତ୍ୟାର ରୂପ ନିଏ, ତେବେ କେଉଁ ଅଞ୍ଚଳ ଦେଇ ଏହା ଅତିକ୍ରମ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହା କେଉଁ ଦିଗକୁ ଗତି କରିବ ଓ ଏହାର କ’ଣ ପ୍ରଭାବ ରହିବ, ତାହା ସ୍ପଷ୍ଟ କହିହେବ। ଅନ୍ୟପକ୍ଷରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଶୀତର ପ୍ରଭାବ ରହିଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଥିବାବେଳେ ୧୫ଟି ସ୍ଥାନରେ ଏହା ୧୫ ଡିଗ୍ରା କିମ୍ବା ତା’ଠାରୁ କମ ରହିଛି।

Comments are closed.