ଆସୁଛି ‘ବୁଲ୍‌ବୁଲ୍‌’ : ଓଡ଼ିଶାକୁ ବର୍ଷା ଡର

-ଘଣ୍ଟା ପ୍ରତି ୧୬୫କିମି ଛୁଇଁପାରେ ପବନର ବେଗ
-ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁଇପାରେ ବାତ୍ୟା
-ଓଡ଼ିଶା ଆସିବା ନେଇ ଚିତ୍ର ଏବେ ବି ଅସ୍ପଷ୍ଟ ରହିଛି
-୮ରୁ ବର୍ଷା, ପବନ: ସବୁ ବନ୍ଦରରେ ବିପଦସଙ୍କେତ
-ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ

ଭୁବନେଶ୍ୱର :  ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇସାରିଛି ଏବଂ ରାତି ସୁଦ୍ଧା ତୀବ୍ର ଅବପାତରେ ପରିଣତ ହେବାକୁ ଯାଉଛି। ଆସନ୍ତାକାଲି ଏହା ସାମୁଦ୍ରିକ ଝଡ଼ର ରୂପ ନେବା ସହିତ ୭ତାରିଖ ସୁଦ୍ଧା ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଏବଂ ୮ତାରିଖରେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ବା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟା ‘ବୁଲ୍‌ବୁଲ୍‌’ ଭାବେ ନାମକରଣ ହୋଇଛି। ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ବୁଲ୍‌ବୁଲ୍‌’ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଅଭିମୁଖେ ମୁହଁାଇପାରେ। ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା କ୍ଷୀଣ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ୮ରୁ ବର୍ଷା ହେବ।
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ପରେ ଏହା ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୪ କିମି ବେଗରେ ଗତି କରୁଛି। ଆଣ୍ଡାମାନ ଦ୍ବୀପ ମାୟା ବନ୍ଦରର ପଶ୍ଚିମ-ଉତ୍ତର ପଶ୍ଚିମରେ ୨୪୦କିମି, ପାରାଦ୍ବୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୯୦୦କିମି ଏବଂ ପଶ୍ଚିମବଙ୍ଗର ସାଗର ଦ୍ବୀପର ଦକ୍ଷିଣ-ଦକ୍ଷିଣପୂର୍ବରେ ୯୯୦କିମି, ବାଂଲାଦେଶର ଖେପୁପୁରାର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୯୮୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଅବପାତ ଅଧିକ ଘନୀଭୂତ ହେବା ସହିତ ତୀବ୍ର ଅବପାତରେ ରୂପାନ୍ତରିତ ହେବ। ପରବର୍ତ୍ତୀ ୨୪ଘଣ୍ଟାରେ
ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ସାମୁଦ୍ରିକ ଝଡ଼ ପ୍ରଥମେର ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ପର ବର୍ତ୍ତୀ ସମୟରେ ଉତ୍ତର-ଉତ୍ତରପଶ୍ଚିମରେ ଗତି କରିବା ସହିତ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା ଓ ବାଂଲାଦେଶ ଉପକୂଳକୁ ମୁହଁାଇବ ବୋଲି ପାଣିପାଗ ବିଭାଗ ବୁଲେଟିନରେ କୁହାଯାଇଛି। ମଙ୍ଗଳବାର ରାତି ସୁଦ୍ଧା ଅବପାତ ତୀବ୍ର ଅବପାତରେ ପରିଣତ ହେବା ସହିତ ଆସନ୍ତାକାଲି ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ଏହି ସମୟରେ ପବନର ବେଗ ୬୫ରୁ ୭୫ ଏବଂ ସ୍ଥଳ ବି​‌େ​‌ଶଷରେ ୮୫କିମିକୁ ବୃଦ୍ଧି ପାଇପାରେ। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ପବନର ବେଗ ବଢ଼ି ୯୫କିମିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଆସନ୍ତା ୭ତାରିଖରେ ଏହା ସିଭିୟର ସାଇକ୍ଲୋନରେ ପରିଣତ ହେବା ସହିତ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦କିମି ବଢ଼ିବ। ଅପରାହ୍ନ ସୁଦ୍ଧା ପବନର ବେଗ ୧୩୫କିମିକୁ ବଢ଼ିବାର ସମ୍ଭାବନା ରହିଛି। ୮ତାରିଖ ସକାଳେ ସାମୁଦ୍ରିକ ବାତ୍ୟା ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ (ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା)ରେ ରୂପାନ୍ତରିତ ହେବା ସହିତ ପବନର ବେଗ ୧୩୦ରୁ ୧୪୫କିମିକୁ ବୃଦ୍ଧି ପାଇବ। ୮ତାରିଖ ଅପରାହ୍ନ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୫୫କିମିକୁ ବଢ଼ିବ। ଆସନ୍ତା ୯ତାରିଖ ବେଳକୁ ବାତ୍ୟାର ବେଗ ଆହୁରି ବଢ଼ିବ ଘଣ୍ଟା ପ୍ରତି ବେଗ ୧୫୦ରୁ ୧୬୫କିମିରେ ପହଞ୍ଚିବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ ପ୍ରଭାବରେ ଆଣ୍ଡାମାନ ଓ ନିକୋବର ଦ୍ବୀପରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଓଡ଼ିଶାରେ ଆସନ୍ତା ୮ ଓ ୯ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ।
ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୮ତାରିଖ ସନ୍ଧ୍ୟା ସୁଦ୍ଧା ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାବେଳେ ପବନର ବେଗ ୬୦କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୮ ଓ ୯ ତାରିଖରେ ସମୁଦ୍ର ଅଶାନ୍ତ ରହିବା ସହିତ ୧୦ ତାରିଖ ସକାଳ ପର୍ଯ୍ୟନ୍ତ ଅତି ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ୮ତାରିଖଠାରୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ୮ରୁ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଛନ୍ତି ‌ ସେମାନେ ୭ତାରିଖ ସନ୍ଧ୍ୟା ସୁଦ୍ଧା ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ପବନକୁ ଦୃଷ୍ଟିରେ ରଖି ଓଡ଼ିଶାର ସମସ୍ତ ବନ୍ଦରରେ ୧ନମ୍ବର ବିପଦସଙ୍କେତ ଜାରି କରାଯାଇଛି।

Comments are closed.