ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ବୁଲବୁଲ’

ଭୁବନେଶ୍ବର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ’ ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବା ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାତ୍ୟା ‘ବୁଲବୁଲ’ ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ଯାଇ ସାଗରଦ୍ୱୀପ- ଖେପୁପାରା ମଧ୍ୟରେ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦-୧୩୫ କିମି ମଧ୍ୟରେ ରହିବ।

ସୂଚନାଯୋଗ୍ୟ, ପୂର୍ବାହ୍ନରେ ପାରାଦୀପଠାରୁ ୩୫୦କିମି ଦୂରରେ କେନ୍ଦ୍ରୀଭୂତ ରହିଥିଲା । ବର୍ତ୍ତମାନ ବାତ୍ୟା ବୁଲବୁଲ ଘଣ୍ଟାକୁ ୧୨କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ତ୍ତମାନ ୩୫ରୁ ୪୫କିମି ବେଗରେ ପବନ ବହୁଛି ।

ଶନିବାର ସକାଳେ ପବନର ବେଗ ୫୫ରୁ ୭୫କିମି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ତେବେ କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏଁ ପବନର ବେଗ ୭୦ରୁ ୯୦ କିମି ଛୁଇଁବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବେଗରେ ପବନ ବହିବ। ଏହା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ମଧ୍ୟ ହେବା ପୂର୍ବାନୁମାନ କରାଯାଇଛି ବୋଲି  ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Comments are closed.