ରାତିକ ପାଇଁ ଚେନ୍ନଇ ବିମାନ ବନ୍ଦର, ମେଟ୍ରୋ ଷ୍ଟେସନ୍‌ ବନ୍ଦ

‘ନିଭାର’ ମୁହଁରେ ତାମିଲନାଡ଼ୁ, ପୁଡ଼ୁଚେରୀ

ଚେନ୍ନଇ : ଘୁର୍ଣ୍ଣିବାତ୍ୟା ‘ନିଭାର’କୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ‘ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ’ ପର୍ଯ୍ୟାୟଭୁକ୍ତ କରାଯିବା ପରେ ଏଥିପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ଚେନ୍ନଇ ବିମାନବନ୍ଦର ସମେତ ମେଟ୍ରୋ ଷ୍ଟେସନ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଏଥିସହିତ ଦକ୍ଷିଣ ରେଳବାଇ ପକ୍ଷରୁ ୭ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବାବେଳେ ଇଣ୍ଡିଗୋ ପକ୍ଷରୁ ୪୯ଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ପୁଡୁଚେରୀରେ ମଧ୍ୟ ସମାନ ପଦକ୍ଷେପ ନିଆଯାଇଛି। ଏହି ସାମୁଦ୍ରିକ ବାତ୍ୟା ଚେନ୍ନଇରୁ ପ୍ରାୟ ୫୬କିମି ଦୂର ତାମିଲନାଡୁର ମଲାପୁରମ୍‌ ଓ ପୁଡୁଚେରୀର କରାଇକାଲ ମଧ୍ୟରେ ବୁଧବାର ମଧ୍ୟରାତ୍ରିରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ନିଭାର ପ୍ରଭାବରେ ଉପକୂଳ ତାମିଲନାଡୁ ଓ ପୁଡୁଚେରୀରେ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇଯାଇଛି। ଗୁରୁବାର ସକାଳ ପର୍ଯ୍ୟନ୍ତ ଏହାର ବ୍ୟାପକ ପ୍ରଭାବ ଅନୁଭୂତ ହେବାକୁ ଥିବାରୁ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି। ଏହି ସମୟ ମଧ୍ୟରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୧୫୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି। ଆଇଏମଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସ୍ଥଳଭାଗ ଅତିକ୍ରମ କଲାବେଳକୁ ପବନର ବେଗ ଘଣ୍ଟାପ୍ରତି ୧୩୫-୧୪୫ କିଲୋମିଟର ରହିବ।
ଚେନ୍ନଇସ୍ଥିତ ପାଣିପାଗ ବିଭାଗର ସୂଚନାନୁସାରେ ନିଭାର ସମ୍ପ୍ରତି ଚେନ୍ନଇଠାରୁ ୩୮୦ କିଲୋମିଟର ଦକ୍ଷିଣ, ଦକ୍ଷିଣ-ପୂର୍ବ, ପୁଡ଼ୁଚେରୀଠାରୁ ୩୨୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଓ କୁଡାଲୋର୍‍ଠାରୁ ୩୧୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ତାମିଲ୍‍ନାଡ଼ୁର ୭ଟି ଜିଲା ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ଚେନ୍ନଇ ଓ ଏହାର ସହରତଳି ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଲାଗିରହିଛି। ଏଥିଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ପ୍ରବଳ ବର୍ଷା ଫଳରେ ଚେମ୍ବାରମ୍ବାକ୍କାମ ହ୍ରଦର ଜଳସ୍ତର ବୃଦ୍ଧି ପାଇଛି। ୨୦୧୫ ପରଠାରୁ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ହ୍ରଦର ଫାଟକ ଖୋଲିଛନ୍ତି। ବର୍ଷା ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସତର୍କ କରାଇ ଦେଇଛି। ଏନ୍‌ଡିଆରଏଫ୍‌ର ୮୦ଟି ଦଳ ସହ ପ୍ରତିରକ୍ଷା ବାହିନୀ ଯବାନଙ୍କୁ ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଭାରତୀୟ ତଟରକ୍ଷୀ ବାହିନୀର ଦୁଇଟି ପହରା ଜାହାଜକୁ ଉପକୂଳରେ ମୁତୟନ କରାଯାଇଛି। ପର୍ଯ୍ୟବେକ୍ଷଣ ଓ କ୍ଷୟକ୍ଷତିର ଆକଳନ ପାଇଁ ଦୁଇଟି ଡୋର୍ନିୟର୍‍ ବିମାନକୁ ବିଶାଖାପଟ୍ଟନମ୍‍ ପଠାଯାଇଛି। ନୌବାହିନୀର ୫ଟି ଉଦ୍ଧାରକାରୀ ଦଳ ସହ ବୁଡ଼ାଳିଙ୍କୁ ଚେନ୍ନଇ ପଠାଇଛି। ଉପକୂଳ ତାମିଲନାଡୁ ଓ ପୁଡୁଚେରୀର ବହୁ ଅଞ୍ଚଳରୁ ୨୪ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Comments are closed.