ବର୍ଷକ ବ୍ୟବଧାନରେ ଫଣି ପରେ ଅମ୍ଫନ : ପୁଣି ମେ’ରେ ବାତ୍ୟା

୧୯ବର୍ଷରେ ୬ ବାତ୍ୟା

ଭୁବନେଶ୍ବର : ଗୋଟିଏ ସମୟରେ ଦୁଇ ଦୁଇଟି ବିପଦ ଆସିଛି ରାଜ୍ୟ ପାଇଁ। ସାଢେ ୧୯ବର୍ଷରେ ରାଜ୍ୟକୁ ୬ ବାତ୍ୟା ଆସିଛି। ଅର୍ଥାତ ୧୯୯୯ ଅକ୍ଟୋବର ୨୯ରୁ ୨୦୧୯ ମେ ୩ ମଧ୍ୟରେ ମହାବାତ୍ୟା, ଫାଇଲିନ୍, ହୁଦ୍‌ହୁଦ୍, ତିତ୍‌ଲି, ବୁଲ୍‌ବୁଲ୍‌ ଏବଂ ଫଣି ବାତ୍ୟା ପ୍ରଭାବରେ ଓଡ଼ିଶା ବ୍ୟାପକ କ୍ଷତି ସହିଛି। ମହାବାତ୍ୟାକୁ ଛାଡିଦେଲେ ଅନ୍ୟ ବାତ୍ୟାଗୁଡିକୁ ସରକାର କୌଶଳତାର ସହ ମୁକାବିଲା କରିବା ଯୋଗୁଁ ଲୋକଙ୍କ ଧନଜୀବନ ରକ୍ଷା ପାଇଛି। ସରକାରଙ୍କ ବାତ୍ୟା ମୁକାବିଲା କୌଶଳ ଏବଂ କାର୍ଯ୍ୟ ଦକ୍ଷତାକୁ ଜାତିସଂଘ ଏବଂ କେନ୍ଦ୍ର ସରକାର ପ୍ରଶଂସା କରିବା ସହିତ ସମ୍ମାନିତ କରିଛନ୍ତି। କିନ୍ତୁ ଏବେ ଆଣ୍ଡାମାନ ସମୁଦ୍ରରୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଅମ୍ପଂାନ’ ଓଡ଼ିଶାକୁ ମୁହଁାଇବ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଗତବର୍ଷ ମେ ୩ରେ ଫଣି ତାଣ୍ଡବ ରଚି ଥିବାବେଳେ ପୁଣି ବର୍ଷକ ପରେ ଆଉ ଗୋଟିଏ ସମ୍ଭାବ୍ୟ ବାତ୍ୟା ଆସୁଛି।
ବାତ୍ୟା ଫଣି ଗତବର୍ଷ ମେ ୩ରେ ପୁରୀ ଜିଲାରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୨୪୦ କିଲୋମିଟରରୁ ଊର୍ଦ୍ଧ୍ବ ବେଗରେ ପବନ ବୋହିଥିବା କୁହାଯାଇଛି। ପୁରୀ ଏବଂ ଭୁବନେଶ୍ବର ସହରକୁ ଫଣି ଛାରଖାର କରି ଦେଇଥିଲା। ସରକାରଙ୍କ ଆକଳନ ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର ଏବଂ ବାଲେଶ୍ବର ଜିଲାର ପ୍ରାୟ ୧୫୯ ବ୍ଲକ ଏବଂ ୫୨ ପୌରାଞ୍ଚଳ (ୟୁଏଲ୍‌ବି) କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟର ପ୍ରାୟ ୩୬ ପ୍ରତିଶତ ଲୋକ ପ୍ରଭାବିତ ହୋଇଥିଲେ। ସରକାର ୨୪,୧୭୬କୋଟି ଟଙ୍କାର ବାତ୍ୟାଜନିତ କ୍ଷତି ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ। କେନ୍ଦ୍ର ସରକାର ବାତ୍ୟା ମୁକାବିଲା ନିମନ୍ତେ ଏପ୍ରିଲ ୨୯ରେ ୩୪୦.୮୭ କୋଟି ଏବଂ ପରେ ୩୩୩୮.୨୨ କୋଟି ଟଙ୍କା କ୍ଷତି ଦେଇଥିଲେ। ବାତ୍ୟା ବୁଲ୍‌ବୁଲ୍‌ ନଭେମ୍ବର ୮, ୨୦୧୯ରେ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟବର୍ତ୍ତୀ ସୁନ୍ଦରବନଠାରେ ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପକୂଳରେ ଘଷି ହୋଇ ଯାଇଥିବାରୁ ଜଗତସଂିହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲାରେ ବର୍ଷା ସହ ଘଣ୍ଟାପ୍ରତି ୧୧୦ରୁ ୧୩୦ ବେଗରେ ପବନ ଥିବାରୁ ୩ ଲକ୍ଷ ହେକ୍ଟର ଚାଷ ଜମିରେ ବୁଲ୍‌ବୁଲ୍‌ କ୍ଷତି ରଚିଥିଲା। ୬ ଜିଲାରୁ ପ୍ରାୟ ୫୫୦୦ କଚ୍ଚାଘର ଭାଙ୍ଗି ଥିବାବେଳେ ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତ ପ୍ରଭାବିତ ହୋଇଥିଲେ। ୬୫୩ ପାଣି ପାଇପ୍ ନଷ୍ଟ ହୋଇଥିଲା। ପ୍ରାୟ ୩୭.୪୯ ଲକ୍ଷ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। ତିତ୍‌ଲି ଅକ୍ଟୋବର ୧୧, ୨୦୧୮ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ପଲାସାଠାରେ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୪୦ରୁ ୧୬୫ କିଲୋମିଟର ଥିବା କୁହାଯାଉଛି। ପରେ ଦିଗ ପରିବର୍ତ୍ତନ କରିବା ଦ୍ବାରା ଗଜପତି, ଗଞ୍ଜାମ ଏବଂ ରାୟଗଡା ଜିଲାରେ ଅତି ପ୍ରବଳ ବର୍ଷା ହୋଇଥିଲା। ଗଜପତିରେ ସର୍ବାଧିକ ବର୍ଷା ହେବା ଯୋଗୁଁ ପାରଳାଖିମୁଣ୍ଡି ଏବଂ ମୋହନା ମଧ୍ୟରେ ରାସ୍ତା ଧୋଇଯିବାରୁ ଗମନାଗମନ ବିଚ୍ଛିନ୍ନ ହୋଇ ଯାଇଥିଲା। ପାହାଡ଼ରୁ ମାଟି ଅତଡା ଧସିବାରୁ ପାହାଡ ତଳ ଗାଁ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାୟ ୭୫ରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ରାସ୍ତା, ବିଦ୍ୟୁତ୍‌ ଏବଂ ଶସ୍ୟ ଆଦି କ୍ଷେତ୍ରରେ ପ୍ରାୟ ୨୨୦୦ କୋଟି ଟଙ୍କାର କ୍ଷତି ହୋଇଥିବା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ।
ଅକ୍ଟୋବର ୧୨, ୨୦୧୩ରେ ବାତ୍ୟା ଫାଇଲିନ୍ ଗଞ୍ଜାମ ଜିଲା ଗୋପାଳପୁରଠାରେ ସ୍ଥଳଭାଗ ଛୁଇଁବା ଯୋଗୁଁ ଗଞ୍ଜାମ, ଖୋର୍ଦ୍ଧା ଏବଂ ଚିଲିକା ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଥିଲା। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୨୪୦ରୁ ଊର୍ଦ୍ଧ୍ବ ଥିଲା ବୋଲି କୁହାଯାଇଛି। ଅକ୍ଟୋବର ୧୩, ୨୦୧୪ରେ ବାତ୍ୟା ହୁଦ୍‌ହୁଦ୍‌ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ପଡିଥିଲା। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୨୦୦ କିଲୋମିଟର ଥିଲା ବୋଲି କୁହାଯାଇଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡା ଜିଲାରେ ଅତି ପ୍ରବଳ ବର୍ଷା ସହ ପବନ ହେବାରୁ ବ୍ୟାପକ କ୍ଷତି ଘଟାଇଥିଲା। ୧୯୯୯ ମସିହା ଅକ୍ଟୋବର ୨୯ରେ ମହାବାତ୍ୟା ଜଗତସିଂପୁର ଜିଲାରେ ସ୍ଥଳଭାଗ ଛୁଇଁଥିଲା। ଏହି ସମୟରେ ପବନ ବେଗ ଏତେ ଅଧିକ ଥିଲା ଯେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମହାବାତ୍ୟାରେ ୩.୫ ଲକ୍ଷ ଘର ଭାଙ୍ଗି ଥିବାବେଳେ ୨ ଲକ୍ଷ ପଶୁ ଏବଂ ୧୦ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ନେଇ ଆକଳନ କରାଯାଇଥିଲା। ତେବେ ଏସବୁ ବାତ୍ୟାର ଭୟଙ୍କର ଦୃଶ୍ୟ ଏବେ ବି ମଧ୍ୟ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ସମ୍ଭାବ୍ୟ ବାତ୍ୟା ଅମ୍ପଂାନ ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Comments are closed.