ଖୋଲିବ ଆଉ ୧୧ ସାଇବର ଥାନା

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଖୋଲାଯିବ। ଏହାଫଳରେ ରାଜ୍ୟରେ ମୋଟ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ସଂଖ୍ୟା ୧୪କୁ ବୃଦ୍ଧି ପାଇବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ସାଇବର ଅପରାଧ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଦେଶ ତଥା ଆମ ରାଜ୍ୟ ଓଡ଼ିଶାରେ ସାଇବର ଅପରାଧର ଅନେକ ଘଟଣା ଦୃଷ୍ଟିକୁ ଆସୁଛି। ବ୍ୟାଙ୍କ ଦେଣନେଣ ତଥା ଜଟିଳ ଡିଜିଟାଲ ଦେଣନେଣରେ ସାଇବର ଅପରାଧର ସଂପୃକ୍ତି ଦେଖିବାକୁ ମିଳୁଛି। ଏସବୁ ଅପରାଧର ଯଥାର୍ଥ ଅନୁସନ୍ଧାନ ଓ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଜ୍ଞାନ ଓ ଦକ୍ଷତା ଆବଶ୍ୟକ। ସାଇବର ଅପରାଧ ତଥା ତଦ୍‌ଜନିତ ଆର୍ଥିକ ଅପରାଧକୁ ରୋକିବା ଏବଂ ଏଭଳି ଅପରାଧର ଶିକାର ହେଉଥିବା ଲୋକମାନେ ଯେପରି ଉପଯୁକ୍ତ ନ୍ୟାୟ ପାଇପାରିବେ ତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଥିପାଇଁ ସ୍ୱତନ୍ତ୍ର ଥାନା ଖୋଲାଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୩ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ରହିଛି। ନୂଆ ଥାନା ଖୋଲିଲେ ଏହି ସଂଖ୍ୟା ୧୪କୁ ବୃଦ୍ଧି ପାଇବ। ଏହି ସ୍ୱତନ୍ତ୍ର ଥାନା କଟକ, ଭୁବନେଶ୍ୱର, କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଅନୁଗୋଳ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, କୋରାପୁଟ, ଭବାନୀପାଟଣା, ବଲାଙ୍ଗୀର ଓ କନ୍ଧମାଳରେ କାର୍ଯ୍ୟ କରିବ। ଏହି ଥାନା ଗୁଡ଼ିକ ପାଇଁ ପୁଲିସ ବିଭାଗରେ ୧୫୪ଟି ପଦ ସୃଷ୍ଟି କରାଯାଇଛି। ସେଥିରେ ୧୪ଟି ନିରୀକ୍ଷକ (ଇନ୍ସପେକ୍ଟର), ୨୮ଟି ଉପନିରୀକ୍ଷକ (ସବ୍‌ ଇନ୍ସପେକ୍ଟର), ୨୮ଟି ସହଯୋଗୀ ଉପନୀରିକ୍ଷକ (ଏଏସଆଇ-ଯୋଗାଯୋଗ), ୨୮ଟି କନେଷ୍ଟବଳ(ଯୋଗାଯୋଗ) ଓ ୫୬ଟି କନଷ୍ଟେବଳ ପଦ ରହିଛି। ଏମାନଙ୍କ ବ୍ୟତୀତ ଅର୍ଥ ଓ ହିସାବ ବିଶ୍ଳେଷକ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ବିଶେଷ ଜ୍ଞାନ ଥିବା ବ୍ୟକ୍ତି ଏବଂ ସାଇବର ଅପରାଧ ଅନୁସନ୍ଧାନୀଙ୍କ ପରି ୯୦ଜଣ ବିଶେଷଜ୍ଞଙ୍କୁ ଏହି ଏସବୁ ଥାନାରେ ନିୟୋଜିତ କରାଯିବ। ରାଜ୍ୟରେ ସାଇବର ତଥା ଆର୍ଥିକ ଅପରାଧ ରୋକିବାରେ ଏହା ସହାୟକ ହେବା ସହିତ ଲୋକଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବାରେ ଥାନା ଗୁଡ଼ିକ ଫଳପ୍ରଦ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Comments are closed.