ଯୁବତୀ ଯୋଗାଇବା ନାଁରେ ଯୁବ ଇଞ୍ଜିନିଅରଙ୍କ ଠାରୁ ଏସକର୍ଟ ସର୍ଭିସ ଲୁଟି ନେଲା ୯୪ ହଜାର ଟଙ୍କା; ଏବେ ଚେତିବ ତ କମିଶନରେଟ ପୁଲିସ?

ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ, ଏକ୍ସପର୍ଟ ସର୍ଭିସ୍‌ ନାମରେ ମାମଲା ରୁଜୁ

ଭୁବନେଶ୍ଵର: ଏସକର୍ଟ ସର୍ଭିସ ନାଁରେ ଜଣେ ଯୁବ ଇଞ୍ଜିନିଅରଙ୍କଠାରୁ ଲୁଟ୍ ହୋଇଛି ୯୪ ହଜାର ଟଙ୍କା । ଏ ସମ୍ପର୍କରେ ସମ୍ପୃକ୍ତ ଯୁବ ଇଞ୍ଜିନିୟର ସାଇବର ହେଲ୍ପ ଡ଼େସ୍କର ସହାୟତା ଲୋଡ଼ିଛନ୍ତି । ଗୁଗୁଲ ପେ’ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ଲୁଟ ହୋଇଥିବା ଏବଂ ଆସାମର ଶିଲିଗୁଡ଼ିରୁ ଏହା ନିୟନ୍ତ୍ରଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ଇଣ୍ଡିଆ ଏସକର୍ଟ ସର୍ଭିସ ନାଁରେ ସାଇବର ହେଲ୍ପ ଡ଼େସ୍କରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ  ଏସକର୍ଟ ସର୍ଭିସ ସମ୍ପୃକ୍ତ ଯୁବକଙ୍କୁ ଯୁବତୀ ଯୋଗାଇବା ନିମନ୍ତେ ପ୍ରଲୋଭନ ଦେଖାଇଥିଲା । ଏଥିପାଇଁ ସିଲିଗୁଡ଼ିରୁ ଜଣେ ଯୁବତୀଙ୍କୁ ଭୁବନେଶ୍ବର ପଠାଯିବ ବୋଲି କୁହାଯାଇଥିଲା । ପ୍ରଥମେ ପଞ୍ଜୀକରଣ ନିମନ୍ତେ ତାଙ୍କୁ ଟଙ୍କା ପଠାଯିବାକୁ କୁହାଯାଇଥିଲା ଓ  ଯୁବତୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ସହ ଅନ୍ୟ କିଛି ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା ।  ଏଥିପାଇଁ ତାଙ୍କୁ ଗୁଗୁଲ ପେ ଜରିଆରେ ଟଙ୍କା ପଠାଇବାକୁ କୁହାଯାଇଥିଲା । ଏହାପରେ  ଆକାଉଣ୍ଟରୁ ଗୁଗଲ ପେ’ ମାଧ୍ୟମରେ  ବିଭିନ୍ନ ପର୍ଯ୍ୟାୟରେ ଦୁଇଦିନରେ ପ୍ରାୟ ୯୪ହଜାର ୭୩୧ ଟଙ୍କା ଲୁଟି ନେଇଥିଲା ଏସକର୍ଟ ସର୍ଭିସ ସଂସ୍ଥା । ୯୪ ହଜାର ଟଙ୍କା ନେବା ପରେ ମଧ୍ୟ କୌଣସି ଯୁବତୀଙ୍କୁ ପଠାଯାଇ ନ ଥିଲା ।  ଠକେଇର ସୂଚନା ପାଇବା ପରେ ସମ୍ପୃକ୍ତ ଯୁବ ଇଞ୍ଜିନିୟର ସାଇବର ହେଲ୍ପ ଡେସ୍କର ସହାୟତା ନେଇଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ସାଇବର ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି ।

ସ୍କୋକା, ଲୋକାଣ୍ଟୋ, ଓକଲ୍ୟୁଟ୍‍, ଭିଭା ଷ୍ଟ୍ରୀଟ୍‍, ଷ୍ଟ୍ରୀଟ୍‍ ଗାର୍ଲସ, ଫିମେଲ ଏସକର୍ଟ, କଲଗାର୍ଲସ ପରି ସାଇଟ୍‍ ଜରିଆରେ ନିଜ ସେବାର ବିଜ୍ଞାପନ ଦେଉଥିବା ଯୁବତୀମାନେ ମୋବାଇଲ ନମ୍ବର, ହ୍ବାଟସଅପ୍ ନମ୍ବର ମଧ୍ୟ ବିଜ୍ଞାପିତ କରୁଛନ୍ତି । ଏହାବ୍ୟତୀତ କିଛି ଯୁବତୀ ନିଜ ନିଜ ୱେବସାଇଟ୍‍ ଜରିଆରେ ଖୋଲିଛନ୍ତି ଦେହ ବିପଣୀ। ଏଥିରେ ଦିଆଯାଇଥିବା ନମ୍ବରରେ ହ୍ୱାଟ୍ସ ଆପ୍‍ କଲ କରି ଗ୍ରାହକ ନିଜ ମନପସନ୍ଦର ଯୁବତୀଙ୍କୁ ବୁକିଂ କରୁଛନ୍ତି। କେଉଁଠି କେଉଁଠି ମେଲ ଆଇଡ଼ିରେ ମଧ୍ୟ ବୁକିଂ କରାଯାଉଛି। କେଉଁଠି ପୁଣି ଭିଡ଼ିଓ କଲରେ ମଧ୍ୟ ବୁକିଂ କରାଯାଉଛି । ଅବାଧରେ ଦେହ ବ୍ୟବସାୟ ଚାଲିଛି । କେହି ଏହାର ସୁରାକ ସୁଦ୍ଧା ପାଉ ନାହାନ୍ତି । ଓଡ଼ିଶାର ଦ୍ଵୈତ ନଗରୀ ସହ ବିଭିନ୍ନ ସହରରେ ଏହି ସଂସ୍ଥା କାୟା ମେଲାଇଛି ଓ ଦେହ ବ୍ୟବସାୟ ନିମନ୍ତେ ଯୁବତୀମାନଙ୍କୁ ଯୋଗାଇବା (ସର୍ଭିସ ପ୍ରୋଭାଇଡ଼ର) କାମ କରୁଛି ।

ଆଇଟିପିଏ’ (ଇମୋରାଲ ଟ୍ରାଫିକ୍ ପ୍ରିଭେନସନ ଆକ୍ଟ) ୧୯୫୬ ଧାରା ୮ ଅନୁସାରେ ଦେହ ବ୍ୟବସାୟ ନିମନ୍ତେ ଖୋଲାଖୋଲି ନିମନ୍ତ୍ରଣ, ପବ୍ଲିକ୍ ଡ଼େମେନରେ ଏ ସଂକ୍ରାନ୍ତ ବିଜ୍ଞାପନ ଦେବା ଆଇନତଃ ଅପରାଧ । ଏଥିପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ସେହିପରି ‘ସିତା’ (ଇମୋରାଲ ଟ୍ରାଫିକ ସପ୍ରେସନ ଆକ୍ଟ) ଅନୁସାରେ ଦେହ ବ୍ୟବସାୟ ନିମନ୍ତେ ଜେଲ ଓ ଜୋରିମାନା ଉଭୟ ଦଣ୍ଡ ବ୍ୟବସ୍ଥା ରହିଛି । ମାତ୍ର ଦ୍ଵୈତନଗରୀ (କଟକ-ଭୁବନେଶ୍ବର) ସହ ରାଜ୍ୟର ବଡ଼ବଡ଼ ସହର ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଆଦି କିଛି ସ୍ଥାନରେ ଦେହ ବ୍ୟବସାୟର ଅନଲାଇନ ବିପଣୀ ୨୪ ଘଣ୍ଟା ଉପଲବ୍ଧ ।

ଏ ସଂକ୍ରାନ୍ତରେ ‘ସମାଜ’ ଓ ‘ସମାଜ ଲାଇଭ୍ (ଡ଼ଟ୍) ଇନ୍’ରେ ବାରମ୍ବାର ଖବର ପ୍ରକାଶିତ ହୋଇଛି । ଏ ସମ୍ପର୍କରେ କୌଣସି ଅଭିଯୋଗ ନ ଥିବାରୁ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁ ନ ଥିବା କମିଶନରେଟ ପୁଲିସ କହି ଆସୁଛି । ମାତ୍ର ‘ସମାଜ’ ପ୍ରକାଶିତ ଖବର ଏବେ ସତ୍ୟ ହୋଇଛି । ଏସକର୍ଟ ସର୍ଭିସ କମ୍ପାନୀ ଯୁବତୀ ଯୋଗାଇବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ ପୁଲିସ ନିକଟରେ ହୋଇଛି ।

କରୋନା ମହାମାରୀ ସମୟରେ ଲକଡାଉନ୍ ଓ ସଟ୍‌ଡାଉନ୍‌ ଆଦି କଟକଣା ଯୋଗୁଁ ଅନଲାଇନ୍ କାରବାର ବଢ଼ି ଚାଲିଛି । ଏହାର ଫାଇଦା ଦେବାକୁ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ୍। ଫଳରେ ରାଜ୍ୟରେ ବଢ଼ି ଚାଲିଛି ଅନଲାଇନ୍ ଠକେଇ । ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ଯେତିକି ସାଇବର ମାମଲା ହୋଇଥିଲା, ଚଳିତବର୍ଷ ଏହି ସମୟ ମଧ୍ୟରେ ୧୭ ପ୍ରତିଶତରୁ ଅଧିକ ସାଇବର ମାମଲା ଦାୟର ହୋଇଥିବା ଜଣାପଡିଛି। ଗତକାଲି କମିଶନରେଟ୍‌ ପୁଲିସ ପକ୍ଷରୁ ସାଇବର ଠକେଇ ପାଇଁ ସାଇବର ହେଲ୍‌ପ ଡେସ୍କ ନମ୍ବର ଜାରି କରାଯାଇଥିଲା। ଆଜି ଏହି ନମ୍ବରରେ ସାଇବର ଠକେଇ ହୋଇଥିବା ଯୁବ ଇଞ୍ଜିନିୟର ସାଇବର ଠକେଇ ଓ ଏସକର୍ଟ ସର୍ଭିସ କମ୍ପାନୀ ନାଁରେ ଅଭିଯୋଗ କରିଛନ୍ତି । ଏବେ ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କର ନଜର ।

Comments are closed.