ଆଖି ପିଛୁଳାକେ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଗାଏବ: ପଶ୍ଚିମ ଓଡ଼ିଶାରେ ମାତିଛନ୍ତି ସାଇବର ଠକ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସାଇବର ଠକ ମାତିଛନ୍ତି। କରୋନା କାଳରେ ଲୋକଙ୍କ ଅନଲାଇନ ବ୍ୟବହାର ପୂର୍ବାପେକ୍ଷା ବଢ଼ିଥିବାରୁ ସାଇବର ଠକ ମଧ୍ୟ ଲୋକଙ୍କୁ ଅନଲାଇନରେ ଠକିବାକୁ ସହଜ ଓ ନିରାପଦ ମାଧ୍ୟମ ଭାବେ ବାଛି ନେଇଛନ୍ତି। ପ୍ରଚୁର ଲାଭର ଲୋଭ ଦେଖାଇ ଲୋକଙ୍କୁ ଚୂନା ଲଗାଉଛନ୍ତି। ଟଙ୍କା ଲୋଭରେ ଲୋକେ ସେମାନଙ୍କ ଜାଲରେ ଅନାୟାସରେ ଧରା ଦେଉଛନ୍ତି। କରୋନା ପରିସ୍ଥିତି ଯୋଗୁ ପୁଲିସର ଗତି ହ୍ରାସ ପାଇଥିବାର ଫାଇଦା ଉଠାଉଛନ୍ତି ସାଇବର ଠକ। ଏହାର ଫଳସ୍ବରୂପ ପଶ୍ଚିମ ଓଡ଼ିଶାରେ ସଂପ୍ରତି ରାଜ୍ୟର ଦ୍ୱିତୀୟ ସର୍ବାଧିକ ସାଇବର ଠକେଇ ରେକର୍ଡ କରାଯାଇଛି। ନିକଟରେ ବରଗଡ଼ରେ ଘଟିିଥିବା ୨ଟି ବଡ଼ ଧରଣର ସାଇବର ଠକେଇ ମାମଲାରେ ପୁଲିସ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଆର୍ଥିକ କାରବାରର ବିସ୍ତୃତ ତଥ୍ୟ ମାଗିଛି।
ସମ୍ବଲପୁର ସାଇବର ପୁଲିସ ଥାନା ଅଧୀନରେ ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୋଳ ଓ ଢେଙ୍କାନାଳ ଅଛି। ସମ୍ବଲପୁର ସାଇବର ପୁଲିସ ସୂଚନା ଅନୁସାରେ ସମ୍ବଲପୁର ସାଇବର ଥାନା ଅଞ୍ଚଳରେ ଆସୁଥିବା ଏହି ୯ ଜିଲା ଏବେ କଟକ ପରେ ରାଜ୍ୟର ଦ୍ୱିତୀୟ ସାଇବର ଅପରାଧପ୍ରବଣ ଅଞ୍ଚଳ ହୋଇପଡ଼ିଛି। ସାଇବର ଅପରାଧ ମାମଲା ସଂଖ୍ୟା ଉଦ​‌େ​‌ବଗଜନକ ଭାବେ ବୃଦ୍ଧି ପାଉଛି। ୨୦୧୮ ମସିହାରେ ୧୨, ୨୦୧୯ରେ ୧୯ ଓ ୨୦୨୦ର ​ଦେଢ଼ ମାସ ବାକିଥିବା ବେଳେ ୨୫ଟି ସାଇବର ଠକେଇ ମାମଲା ରୁଜୁ ହୋଇ ସାରିଲାଣି। ପୁଲିସର ତଥ୍ୟ ଅନୁସାରେ ସମ୍ବଲପୁର ସାଇବର ଥାନା ଅନ୍ତର୍ଗତ ୯ ଜିଲାରୁ ସର୍ବାଧିକ ଠକେଇ ଘଟୁଛି ସମ୍ବଲପୁର ଜିଲାରେ। ସାଇବର ଅପରାଧୀ ସମ୍ବଲପୁରରୁ ଏବେ ବରଗଡ଼ ଓ ବଲାଙ୍ଗିର ଜିଲାକୁ କାୟାବିସ୍ତାର କରି ଚାଲିଛନ୍ତି। କଟକ ସାଇବର ପୁଲିସ ୧୦ ଲକ୍ଷ ଟଙ୍କା, ବ୍ରହ୍ମପୁର, ରାଉରକେଲା ଓ ଭୁବନେଶ୍ୱର ସାଇବର ପୁଲିସ ୫ ଲକ୍ଷ ଟଙ୍କାରୁ ଅଧିକ ଠକେଇ ହୋଇଥିଲେ ମାମଲା ରୁଜୁ କରି ପାରୁଥିଲା ବେଳେ ସମ୍ବଲପୁର ସାଇବର ପୁଲିସ ୩ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିଲେ ମାମଲା ରୁଜୁ କରିବା କ୍ଷମତା ଦିଆଯାଇଛି।
ସାଇବର ଠକର ଅପରାଧ କୌଶଳ ଆଗରେ ପୁଲିସର ଅପରାଧ ଅନୁସନ୍ଧାନ କୌଶଳ ଫେଲ ମାରୁଛି। ସାଇବର ଠକ ​ସୂଚନା ଟେକ୍ନୋଲୋଜିର ନୂଆ ନୂଆ କୌଶଳ ପ୍ରୟୋଗ କରି ଲୋକଙ୍କୁ ଅନାୟାସରେ ଠକି ପାରୁଛନ୍ତି। ଲୋକଙ୍କୁ ଆକର୍ଷିତ କରିବାକୁ ସେଲିବ୍ରିଟି ଓ ଅଧିକ ଲୋକସମ୍ପର୍କ ଥିବା ଲୋକଙ୍କ ଜାଲ ଫେସବୁକ ଆକାଉଣ୍ଟ ଖୋଲି ସେମାନଙ୍କୁ ଜାଲରେ ପକାଯାଉଛି। ‘ଗୁଗଲ ଆପ୍’ରୁ ଟିମ ଭ୍ୟୁୟର, କ୍ୱିକ ସର୍ପୋଟ, ଏନି ଡେକ୍ସ ଡାଉନଲୋଡ କରିବାକୁ କୁହାଯାଉଛି। ଏହା ପରେ ତାଙ୍କୁ ନିଜର ଫୋନ ପେ’ରେ ୧୦ ଟଙ୍କା ମୋବାଇଲ ରିଚାର୍ଜ କରିବାକୁ କୁହାଯାଉଛି। ଯିଏ ଏମାନଙ୍କ କଥାରେ ଫସି ନିଜ ଫୋନ ପେ’ରେ ମୋବାଇଲ ରିଚାର୍ଜ କଲା ମାତ୍ରେ ତାଙ୍କ ପାସୱାର୍ଡ ହ୍ୟାକ କରି ନିଆଯାଉଛି। ତା’ ପରେ ଆଖି ପିଛୁଳାକେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଉଛି। ସାଇବର ଠକମାନେ ଲୋକଙ୍କୁ ଆକର୍ଷିତ କରିବାକୁ ସେଲିବ୍ରିଟିମାନଙ୍କ ନକଲି ଫେସବୁକ ଖୋଲୁଛନ୍ତି। ନିକଟ ଅତୀତରେ ସ୍ୱାସ୍ଥ୍ୟମନ୍ତ୍ରୀ, ସମ୍ବଲପୁର ଏସପି ଓ ସ୍ଥାନୀୟ ରାଜନୈତିକ କର୍ମୀଙ୍କ ନକଲି ଫ୍ୟାସବୁକ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ଲକଡାଉନରେ ସମ୍ବଲପୁରର ଜଣେ ମଦ ବେପାରୀଙ୍କ ନକଲି ଫେସବୁକ ଆକାଉଣ୍ଟ ଜରିଆରେ ଗ୍ରାହକଙ୍କୁ ଅନଲାଇନରେ ମଦ ହୋମ ଡେଲିଭେରି ଲୋଭ ଦେଖାଇ ଟଙ୍କା ଠକିବା ଘଟଣା ଧରା ପଡ଼ିଥିଲା।

ବରଗଡ଼ରେ ଏ ପ୍ରକାର ୨ଟି ବଡ଼ ଧରଣର ଠକେଇ ହଇଚଇ ସୃଷ୍ଟି କରିଛି। ଅକ୍ଟୋବର ୨୯ ତାରିଖରେ ସାଇବର ଠକମାନେ ଫେସବୁକ, ଟିମ ଭ୍ୟୁୟର ଆପ୍‌ ଓ ଫୋନ ପେ’ ମାଧ୍ୟମରେ ବରଗଡ଼ର ଗୋଦାବରୀ ଫୁଡ୍‌ ପ୍ରଡକ୍ଟସ ମାଲିକଙ୍କଠାରୁ ୩ଟି କିସ୍ତିରେ ୧୦ ଲକ୍ଷ ୭୨ ହଜାର ଟଙ୍କା ଠକି ନେଇଛନ୍ତି। ଦ୍ୱିତୀୟ ଘଟଣାରେ ଡାକ୍ତର ସୁନିଲ ବାଗ ଓ ତାଙ୍କ ୩ ଜଣ ସାଥୀ ମନୋଜ ମେହେର, ମନୋରଞ୍ଜନ ସାହୁ ଓ ଚନ୍ଦ୍ରଶେଖର ମେହେରଙ୍କୁ ଔଷଧ ତିଆରି ବ୍ୟବସାୟ ଆରମ୍ଭ କଲେ ସେଥି ପାଇଁ ଆବଶ୍ୟକ ରାସାୟନିକ ଯୋଗାଇ ଦିଆଯିବ କହି ୩୨ ଲକ୍ଷ ଟଙ୍କା ଠକିନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଫେସବୁକରେ ବମ୍ବେ ଭବାନୀ ଟ୍ରେଡର୍ସ ନାମରେ ଏକ ନକଲି ଅନଲାଇନ ସଂସ୍ଥା ଖୋଲି ବି-୪ ସଲ୍ୟୁସନ କମ୍ପାନୀର ଔଷଧ ଯୋଗାଇ ଦିଆଯିବ କହି ଲକ୍ଷ ଲକ୍ଷ ଟଙ୍କା ଠକି ନିଆଯାଇଛି। ହ୍ବାଟ୍ସଆପ୍ ନମ୍ବର ୪୪୭୪୫୯୫୪୨୧, ୭୦୪୫୯୫୭୯୬୧, ୯୧୪୫୬୦୭୩୭୯, ୭୩୦୩୦୨୩୭୭୫ରେ ଉଭୟ ପକ୍ଷ ମଧ୍ୟରେ ବ୍ୟବସାୟିକ କାରବାର ନେଇ ବାର୍ତ୍ତାଳାପ ହେଲା ପରେ ୪ ଜଣଙ୍କଠାରୁ ବିଭିନ୍ନ କିସ୍ତିରେ ଆନ୍ଧ୍ର ବ୍ୟାଙ୍କ ଓ କସ୍‌ମସ ବ୍ୟାଙ୍କ ଜରିଆରେ ୩୨ ଲକ୍ଷ ଟଙ୍କା ଠକି ନିଆଯାଇଛି। ଚାରି ବ୍ୟକ୍ତି କସ୍‌ମସ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୨୯୧୦୦୧୦୧୭୦୨୮, ଆଇଏଫସି କୋଡ୍‌ ସିଓଏସ୍‌ବି ୦୦୦୦୦୨୯ ଆକାଉଣ୍ଟ ନମ୍ବରରେ ଗତ ଜୁନ ୨୨ ତାରିଖରୁ ଅଗଷ୍ଟ ୧୦ ତାରିଖ ମଧ୍ୟରେ ୬ କିସ୍ତିରେ ୧୮ଲକ୍ଷ ୬୬ ହଜାର ୬୦୦ ଟଙ୍କା ଏବଂ ‌ଆନ୍ଧ୍ରବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୨୬୭୧୧୧୦୦୦୦୫୪୪୬ରେ ଜୁଲାଇ ୧୬ ତାରିଖରୁ ଅଗଷ୍ଟ ୧୪ ମଧ୍ୟରେ ୫ଟି ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ପଠାଇଛନ୍ତି।

କୌତୁହଳପ୍ରଦ ହେଲା, ଡାକ୍ତର ପ୍ରଥମେ ୧ ଲକ୍ଷ ଟଙ୍କା ସାଇବର ଠକର ଆକାଉଣ୍ଟରେ ଜମା କଲା ପରେ ତାଙ୍କ ଦ୍ୱାରା ଉତ୍ସାହିତ ହୋଇ ତାଙ୍କର ଜଣେ ସାଥୀ ୧୨ ଲକ୍ଷ ଟଙ୍କା ଠକ ଆକାଉଣ୍ଟରେ ଢାଳି ଦେଇଥିଲେ ବୋଲି ସାଇବର ପୁଲିସ କହୁଛି। ଏହି ଘଟଣାରେ ସମ୍ବଲପୁର ସାଇବର ଥାନା କେସ ନମ୍ବର ୨୩/ ଦଫା ୪୧୯,୪୨୦, ଆର/ଡବଲ୍ୟୁ ଧାରା ୬୬(ସି)/୬୬ (ଡି)/ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି। ଏହି ଦୁଇ ଆର୍ଥିକ ଦେଣଦେଣର ବିସ୍ତୃତ ବିବରଣୀ ଦାଖଲ କରିବାକୁ ପୁଲିସ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହିଛି। କିନ୍ତୁ ସେମାନେ ତଥ୍ୟ ଦେଇନାହାନ୍ତି ବୋଲି ସମ୍ବଲପୁର ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନ କହିଛନ୍ତି। ଏହି ଦୁଇ ଘଟଣାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସାଇବର ଠକମାନେ ସମ୍ବଲପୁର ଜିଲା ଯୁଯୁମୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୬୦ ହଜାର ଟଙ୍କା ଠକି ନେବାର ଖବର ଆସିଛି। ସେହିପରି ସମ୍ବଲପୁରର ଗ୍ୟାଲେକ୍ସି କମ୍ପ୍ୟୁଟର ମାଲିକ ଗୌରାଙ୍ଗ ମିତ୍ରଙ୍କ ଜାଲ ଫେସବୁକ ଆକୁଣ୍ଟ ଖୋଲି ଆର୍ଥିକ ସମସ୍ୟାରେ ଥିବାରୁ ଏତିକି ନମ୍ବରରେ ଫୋନ ପେ’ରେ ଟଙ୍କା ଜମା କର ବୋଲି ନିଜ ‌ଫେସବୁକ ବନ୍ଧୁମାନଙ୍କୁ ଅନୁରୋଧ କରାଯାଇଛି। ଫେସବୁକରେ ଫେଣ୍ଡ ରିକ୍ୱେଷ୍ଟ ପଠାଇ ବନ୍ଧୁତା ସ୍ଥାପନ କଲା ପରେ ମୋବାଇଲ ରିଚାର୍ଜ କରିଦେବାକୁ ଓ ନେଟ୍ ପ୍ୟାକ ପକେଇଦେବାକୁ ମେସେଞ୍ଜର ଜରିଆରେ ଅନୁରୋଧ କରୁଛନ୍ତି। ମୋବାଇଲ ଫୋନ ଜରିଆରେ କରାଯାଉଥିବା ଏ ସବୁ ପ୍ରକାର ଅନୁରୋଧ ପ୍ରତି ଆଦୌ ଧ୍ୟାନ ନ ଦେବାକୁ ସମ୍ବଲପୁର ସାଇବର ପଶ୍ଚିମାଞ୍ଚଳବାସୀଙ୍କୁ ପୁଲିସ ଅନୁରୋଧ କରିଛି।

Comments are closed.