ଫେସବୁକ୍‌ରେ ୨ ଯୁବତୀଙ୍କୁ ସଜାଇଦେଲେ କଲ୍‌ଗାର୍ଲ; ବ୍ରହ୍ମପୁର ସାଇବର ଥାନାର ତଦନ୍ତ

୧୦ ଦିନ ମଧ୍ୟରେ ୩ଟି ମାମଲା ରୁଜୁ

ବ୍ରହ୍ମପୁର: ଆଜିକାଲି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ବେଳେବେଳେ ଅନେକଙ୍କ ପାଇଁ ସାଂଘାତିକ ଅପବାଦ ଡାକି ଆଣୁଛି । ବିଶେଷ କରି ମହିଳାମାନେ ଏହାର ଶିକାର ହେଉଛନ୍ତି । ଗତ ୧୦ ଦିନ ମଧ୍ୟରେ ବ୍ରହ୍ମପୁର ସାଇବର ଥାନାରେ ରୁଜୁ ୩ଟି ମାମଲାରୁ ଉପରୋକ୍ତ ବିଷୟ ସ୍ପ​ଷ୍ଟ ହୋଇଛି । ଦୁର୍ବୃତ୍ତମାନେ ସୋସିଆଲ ମିଡିଆରେ ଯୁବତୀ ତଥା ମହିଳାଙ୍କୁ କଲଗାର୍ଲ ସଜାଇ ସେମାନଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଛନ୍ତି ।

ବ୍ରହ୍ମପୁରର ଏକ ସୁନା ଦୋକାନରେ କାମ କରୁଥିବା ଜଣେ ଯୁବତୀଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ତାଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରାଯାଇଛି । ଏପରିକି ସଂପୃକ୍ତ ଯୁବତୀଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି କଲ୍‌ଗାର୍ଲର ପରିଚୟ ମଧ୍ୟ ଦିଆଯାଇଛି । ସେହିପରି ଫୁଲବାଣୀରେ ରହୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଦୁର୍ବୃତ୍ତମାନେ ତାଙ୍କ ଫଟୋ ସଂଗ୍ରହ କରି ଏକ ନକଲି ଫେସବୁକ ଆକାଉଣ୍ଟ ଖୋଲିବା ସହ ସେଥିରେ ବିଭିନ୍ନପ୍ରକାର ଅଶ୍ଳୀଳ ଫୋଟ ଅପଲୋଡ କରିଦେଇଛନ୍ତି । କଲଗାର୍ଲର ପରିଚୟ ଦେବା ସହ ସେଥିରେ ସମ୍ପୃକ୍ତ ଯୁବତୀଙ୍କର ମୋବାଇଲ ନମ୍ବର ମଧ୍ୟ ଛାଡି ଦେଇଛନ୍ତି ।

ଯାହାଫଳରେ ଏହି ଯୁବତୀଙ୍କୁ ନାନା ହଟହଟା ହେବାକୁ ପଡ଼ୁଛି । ସେହି ମୋବାଇଲ ନମ୍ବରକୁ ବିଭିନ୍ନ ଲୋକ ଫୋନ କରି ନାନା ଆପତ୍ତିଜନକ କଥାବାର୍ତ୍ତା କରୁଛନ୍ତି । ଏ ନେଇ ଉପରୋକ୍ତ ୨ ଜଣ ଯୁବତୀ ବ୍ରହ୍ମପୁର ସାଇବର ଥାନାରେ ପୃଥକ ଭାବେ ଅଭିଯୋଗ କରିବା ପରେ ୨ଟି ମାମଲା ରୁଜୁ ହୋଇଛି । ଥାନାରେ କେସ ନଂ ୧୩/୨୦ ଓ ୧୪/୨୦ ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି ବୋଲି ସାଇବର ଥାନାଧିକାରୀ କଳ୍ପନା କାଉଁରୀ ସୂଚନା ଦେଇଛନ୍ତି ।

ମଜାରେ ହେଉ ନହେଲେ ପ୍ରତିଶୋଧ ନେବାକୁ ହେଉ ଯୁବତୀଙ୍କୁ ବଦନାମ କରିବା ପାଇଁ ଦୁର୍ବୃତ୍ତଙ୍କ ଏଭଳି କାରନାମା ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ଗଞ୍ଜାମ ଜିଲାର ଜଣେ ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସାମନ ଘଟଣା ଘଟିଥିଲା । କୌଣସି କାରଣରୁ ଦୂରେଇ ଯାଇଥିବା ସେହି ମହିଳାଙ୍କ ସ୍ବାମୀ ହିଁ ତାଙ୍କର ଫଟୋକୁ ଅଶ୍ଳୀଳ କରି ଫେସବୁକରେ ଭାଇରାଲ କରିବା ସହ ତାଙ୍କ ମୋବାଇଲ ନମ୍ବର ଦେଇ ଦେଇଥିଲା । ମହିଳାଙ୍କ ଅଭିଯୋଗ ପରେ ସାଇବର ଥାନା ପୁଲିସ ତାଙ୍କ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Comments are closed.