ଅତିରିକ୍ତ ମହାନିର୍ଦେଶକଙ୍କ ପତ୍ନୀ ଜମାଖାତାରେ କଳାକନା ବୁଲାଇଲେ ସାଇବର ଠକ ; ଲୁଟିନେଲେ ୧୦.୧୦ ଲକ୍ଷ

ଭୁବନେଶ୍ବର :  ରାଜଧାନୀରେ ସାମନାକୁ ଆସିଛି ଏକ ନୂଆ ଧରଣର ସାଇବର ଠକେଇ ଘଟଣା। ଏଥର ସାଇବର ଠକେଇର ସମ୍ମୁଖୀନ ହୋଇଛନ୍ତି ଅତିରିକ୍ତ ମହାନିର୍ଦେଶକ ସୁଶାନ୍ତ ନାଥଙ୍କ ପତ୍ନୀ ଅନୁଜା ତ୍ରିପାଠୀ। ୨୦୧୯ରୁ ଏପର୍ଯ୍ୟନ୍ତ ଶ୍ରୀମତୀ ତ୍ରିପାଠୀଙ୍କ ଜମାଖାତାରୁ ୩୧ ଥରରେ ୧୦.୧୦ ଲକ୍ଷ ଟଙ୍କା ସାଇବର ଅପରାଧୀ ନେଇ ଯାଇଛନ୍ତି। କିଛି ଦିନ ତଳେ ଏସମ୍ପର୍କରେ ସେ ଜାଣିବା ପରେ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ରିଜର୍ଭ ବ୍ୟାଙ୍କ ଏବଂ କଟକ ସାଇବର ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।
୨୦୧୯ ମାର୍ଚ୍ଚ ୧୬ରେ ତାଙ୍କ ଜମାଖାତାରୁ ସନ୍ଦେହଜନକ ଭାବେ ୨୦୦୦ ଟଙ୍କା କଟି ଯାଇଥିବାର ଏକ ବାର୍ତ୍ତା ଆସିଥିଲା। ଏନେଇ ସେ ବ୍ୟାଙ୍କର ଦୃଷ୍ଟି ଆକର୍ଷଣ କରିବା ସହିତ ତାଙ୍କ ଏଟିଏମ୍‌ କାର୍ଡକୁ ଅଚଳ କରି ଦେଇଥିଲେ। ଅନୁଧ୍ୟାନ କରାଯିବା ପରେ ପୁଣି ଏପ୍ରିଲ୍‌ ୨୬ରେ ତାଙ୍କ କାର୍ଡକୁ ପୁନଃ ଚାଲୁ
କରାଯାଇଥିଲା। ଏହା ପରଠାରୁ ତାଙ୍କ ଜମାଖାତା ସମ୍ପର୍କରେ ଆଉ କୌଣସି ବାର୍ତ୍ତା ‌େମାବାଇଲ୍‌ ଫୋନ୍‌କୁ ଆସୁ ନ ଥିଲା। ‌ନିକଟରେ ସେ ତାଙ୍କ ଏଟିଏମ୍‌ କାର୍ଡକୁ ଯାଞ୍ଚ କରିବା ବେଳେ ସନ୍ଦେହଜନକ ଭାବେ ବହୁ ପରିମାଣରେ ଅର୍ଥ କମିଯାଇଥିବା ଜାଣିଥିଲେ। ତୁରନ୍ତ ଏନେଇ ବ୍ୟାଙ୍କ ସହିତ ଯୋଗାଯୋଗ କରିବା ବେଳେ ୩୧ ଥରରେ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା କଟି ଯାଇଛି। ଏମିତିକି ଥରକୁ ୯୦,୦୦୦ ଟଙ୍କା କଟିଥିବା ଜଣାପଡିଛି।
ଏସ୍‌ବିଆଇର ଏହି ବ୍ୟାଙ୍କ ଜମାଖାତାରେ ତାଙ୍କର ଦରମା ଆସିଥାଏ। ତେଣୁ ସେ ଏହାକୁ ସବୁ ସମୟରେ ଯାଞ୍ଚ କରିପାରନ୍ତି ନାହିଁ। ଦୀର୍ଘ ଦିନ ବ୍ୟବଧାନ ପରେ ସେ ଏହି ଠକେଇ ସମ୍ପର୍କରେ ଅବଗତ ହୋଇଥିଲେ। ଦୁଇ ବଷ ତଳେ ଥରେ ସେ ସଞ୍ଚାର ମାଧ୍ୟମରେ ଗଙ୍ଗାଜଳ ମଗାଇଥିଲେ। ଏହି ମାଧ୍ୟମରେ ତାଙ୍କର ଠକେଇ ହୋଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି। ତାଙ୍କ ଏଟିଏମ୍ କାର୍ଡର ନକଲ କରାଯାଇ(‌େ‌କ୍ଲାନିଂ)ଏହି ଠକେଇ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି। ବରିଷ୍ଠ ପୁଲିସ ଅଧିକାରୀଙ୍କର ଏହି ଠକେଇ ହୋଇଥିବାରୁ ସାଇବର ଥାନା ତଦନ୍ତ କିଭଳି କରୁଛି ତା ଉପରେ ସମସ୍ତଙ୍କର ନଜର ରହିଛି। ଗତ ସପ୍ତାହରେ ଅପରାଧ ନିୟନ୍ତ୍ରଣ ଶାଖାର ଅତିରିକ୍ତ ମହାନିର୍ଦେଶକ ସଞ୍ଜୀବ ପଣ୍ଡାଙ୍କୁ ସାମାଜିକ ଗଣମାଧ୍ୟମରେ ଟଙ୍କା ମାଗି ଜଣେ ସାଇବର ଅପରାଧୀ ଅଡୁଆରେ ପଡ଼ିଥିଲା।.

Comments are closed.