ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତିଛନ୍ତି ଅଚିନ୍ତ; ପଦକକୁ ଚିରା ଶାଢ଼ିରେ ସାଇତି ରଖିଛନ୍ତି ମାଆ

କଲକାତା: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ୭୫ କିଗ୍ରା ବର୍ଗ ଭାରୋତ୍ତୋଳନରେ ଅଚିନ୍ତ ସିଉଳି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଅଚିନ୍ତ ମଙ୍ଗଳବାର ଘରକୁ ଫେରିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଅଚିନ୍ତ ଘରେ ପହଞ୍ଚିବା ପରେ ସଂଖ୍ୟାଧିକ ବ୍ୟକ୍ତି ପହଞ୍ଚି ଶୁଭେଚ୍ଛା ଜଣାଇଥିଲେ। ଏହା ପରେ ଘରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ପୁଅର ଏହି ସଫଳତାରେ ମା ଅଧିକ ଉତ୍ସାହିତ ହୋଇପଡିଛନ୍ତି ।ପୁଅ ଜିତିଥିବା ପଦକକୁ ମା ଚିରା ଶାଢିରେ ସାଇତି ରଖିଛନ୍ତି। ଅଚିନ୍ତଙ୍କ ମା ପୂର୍ଣ୍ଣିମା ପଦକକୁ ନିଜର ଚିରା ଶାଢି ଭିତରେ ଘରେ ସାଇତି ରଖିଛନ୍ତି।

ହାୱାଡା ଜିଲାର ଦୁଲପୁରର ଅଚିନ୍ତ ସିଉଳି ଘର। ପିତା ଜଗତ ସିଉଳି ୨୦୧୩ରେ ଅଂଶୁଘାତରେ ପ୍ରାଣ ହରାଇଥିଲେ। ଏହା ପରେ ଦୁଇ ପୁଅ ଅଚିନ୍ତ ଓ ଆଲୋକଙ୍କ ସହ ମା ପୂର୍ଣ୍ଣିମାଙ୍କୁ ନେଇ ପରିବାର। ଅଭାବ ଅନଟନ ମଧ୍ୟରେ ଦିନ କଟୁଥିଲେ ମଧ୍ୟ ଅଚିନ୍ତ ଖେଳକୁଦ ପ୍ରତି ଦୂରେଇ ଯାଇନଥିଲେ। ପ୍ରଶିକ୍ଷକ ଅସ୍ତିମ ଦାସଙ୍କଠାରୁ ପ୍ରଶିକ୍ଷଣ ପାଇ ଅଚିନ୍ତ ଆଗକୁ ବଢିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଥିଲା।

ମା ପୂର୍ଣ୍ଣିମା କହିଛନ୍ତି ଯେ, ପୁଅର କଠିନ ପରିଶ୍ରମର ଫଳ ମିଳିଛି। ଏ ସଫଳତା ନେଇ ବହୁତ ଖୁସି। ଭଗବାନଙ୍କ ଉପରେ ବିଶ୍ବାସ ଥିଲା । ଯାହାକୁ ପୁଅ ପୂରଣ କରିବାରେ ସଫଳ ହୋଇଛନ୍ତି ବୋଲି ପୂଣ୍ଣିମା କହିଛନ୍ତି। ପଦକକୁ ଚିରା ଶାଢି ଭିତରେ ସୁରକ୍ଷିତ ଭାବେ ସାଇତି ରଖିଛି। ଏହା ପୁଅ ପାଇଁ ବଡ ଉପହାର। ଏହାକୁ ସୁରକ୍ଷିତ ରଖିବା ନେଇ ମୁଁ ଏଭଳି ପଦକ୍ଷେପ ନେଇଛି ବୋଲି ମା ପୂର୍ଣ୍ଣିମା କହିଛନ୍ତି। ଏହି ସଫଳତା ଲାଗି ଅଚିନ୍ତ ମା ଓ ପିଲାଦିନର ପ୍ରଶିକ୍ଷକ ଅସ୍ତିମ ଦାସଙ୍କୁ ଶ୍ରେୟ ଦେଇଛନ୍ତି। ଜୀବନର ଚଲାପଥ ବହୁତ କଷ୍ଟକର ଥିଲା। ମୋ ଜୀବନରେ ଆଗକୁ ବଢିବା ନେଇ ମୋ ମା ଓ ପ୍ରଶିକ୍ଷକ ଅସ୍ତିମ ଦାସ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ପରିଶ୍ରମ ସହ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ମୋତେ ଏ ସଫଳତା ଦେଇଛି। ଏହି ସଫଳତର ଶ୍ରେୟ ମା ଙ୍କର ବୋଲି ଅଚିନ୍ତ କହିଛନ୍ତି।

Comments are closed.