ଡୋପ୍ ପରୀକ୍ଷାରେ ରବିକୁମାର ବିଫଳ

ଭୁବନେଶ୍ୱର: ଓଡ଼ିଆ ଭାରୋତ୍ତୋଳକ ଅଲିମ୍ପିଆନ କେ. ରବିକୁମାର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ଭାରୋ​‌େ​‌ତ୍ତାଳନରୁ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଛି। ଜାତୀୟ ଡ୍ରଗ୍ ନିରୋଧ ସଂସ୍ଥା (ନାଡା) ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ଦିଆଯାଇଛି। ଗତ ଫେବୃଆରୀରେ ବିଶାଖାପାଟଣାରେ ଆୟୋଜିତ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ପଦକ ବିଜେତାଙ୍କଠାରୁ ନାଡା ପକ୍ଷରୁ ନମୁନା ସଂଗ୍ରହ କରା ଯାଇଥିଲା। ୮୯ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବା ରବିକୁମାରଙ୍କ ନାମ ମଧ୍ୟ ଉକ୍ତ ତାଲିକାରେ ଥିଲା। ଡୋପ୍‌ ପରୀକ୍ଷାରୁ ରବିକୁମାରଙ୍କ ସମେତ ଅନ୍ୟ ୧୮ଜଣଙ୍କ ନମୁନାରୁ ନିଷିଦ୍ଧ ଡ୍ରଗ୍‌ସ ବା ଔଷଧର ମାତ୍ରା ମିଳିଛି। ନାଡାର ଉକ୍ତ ରିପୋର୍ଟ ପରେ ଏହି ଭାରୋତ୍ତୋଳକମାନଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଛି। ଏହା ବିରୋଧରେ ସେ ନାଡାରେ ଅପିଲ କରିବେ ବୋଲି ରବିକୁମାର କହିଛନ୍ତି।

ଓଡ଼ିଶାର ବ୍ରହ୍ମପୁର ବାସିନ୍ଦା କେ. ରବିକୁମାର ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୪ ବର୍ଷ ପରେ ସେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟପଦକ ଜିତିଥିଲେ। ପୂର୍ବରୁ ଭାରତୀୟ ସେନାରେ କାର୍ୟ୍ୟରତ ଥିବା ରବିକୁମାର ଏବେ ଓଡ଼ିଶା ପୁଲିସରେ ଡିଏସ୍‌ପି ଭାବେ ଅବସ୍ଥାପିତ। ୨୦୧୧ରେ ରବିକୁମାର ଅର୍ଜୁନ ପୁରସ୍କାର ସହ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ।

ଡୋପ୍‌ ପରୀକ୍ଷାରେ ବିଫଳହେବା ନେଇ ରବିକୁମାର କୁହନ୍ତି, ସେରିନ୍‌ ନାମକ ଔଷଧ ଆଗରୁ ସେବନ କରା ଯାଉଥିଲା। ଗତ ଜାନୁଆରୀରେ ଉକ୍ତ ଔଷଧକୁ ନିଷିଦ୍ଧ କରା ଯାଇଥିଲା; ଯାହାକୁ ନେଇ ମୋ ସହ ଅନେକ କ୍ରୀଡ଼ାବିତ୍‌ ମଧ୍ୟ ଅବଗତ ନଥିଲେ। ମୋ ସମେତ ୧୮ଜଣ ଖେଳାଳିଙ୍କ ନମୁନା ପଜିଟିଭ୍ ରହିଥିବା ନେଇ ନାଡ଼ା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସେରିନ୍‌କୁ ନିଷିଦ୍ଧ ଘୋଷଣା କରା ଯାଇଥିବା ସମ୍ପର୍କରେ କେହି ଅବଗତ ନଥିଲେ। ସେଥିପାଇଁ ‘ଏ’ ନମୁନା ପଜିଟିଭ୍‌ ଆସିବା ପରେ ‘ବି’ ନମୁନା ପରୀକ୍ଷା ପାଇଁ ଆବେଦନ କରାଯାଇନାହିଁ। ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇଛି। ଡୋପ୍‌ ଟେଷ୍ଟର ସମ୍ମୁଖୀନ ହେବା ସହିତ ଦେଶ ପାଇଁ ମଧ୍ୟ ପଦକ ଜିିିତିଛି। କେଉଁଟା ଭୁଲ୍‌ ଆଉ କେଉଁଟା ଠିକ୍‌; ସେ ନେଇ ମଧ୍ୟ ମୁଁ ସବୁବେଳେ ସଚେତନ ଥାଏ। ଜାଣିଶୁଣି କେବେ ନିଷିଦ୍ଧ ଔଷଧ ସେବନ କରିନାହିଁ। ମୁଁ ସମ୍ପୂର୍ଣ୍ଣ ମାତ୍ରାରେ ନିର୍ଦୋଷ। ଏହାକୁ ପ୍ରମାଣ କରିବା ପାଇଁ ମୋ ସମେତ ଅନ୍ୟ କ୍ରୀଡ଼ାବିତ୍‌ ନାଡାରେ ଅପିଲ କରିବାକୁ ନିଷ୍ପତ୍ତି ନେଇଛୁ। ଜୁଲାଇ​‌େ​‌ର ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଖେଳିବା ନେଇ ଆଶା ଥିଲା। ନିଲମ୍ବିତ ହୋଇଥିବାରୁ ଏଥିରେ ଭାଗ ନେଇ ପାରିବିନାହିଁ। ଏହା ମୋତେ ବହୁତ ଦୁଃଖିତ କରିଛି। ମୋର ଦୃଢ଼ ବିଶ୍ବାସ ରହିଛି ଯେ ନିର୍ଦୋଷ ପ୍ରମାଣିତ ହେବା ସହିତ ଖୁବ୍ ଶୀଘ୍ର ପ୍ରତିଯୋଗିତାକୁ ଫେରିବି।

Comments are closed.