ବିରାଟ ବାହିନୀର କଙ୍ଗାରୁ ଶିକାର ; ଭାରତର କ୍ରମାଗତ ଦ୍ବିତୀୟ ବିଜୟ

ଲଣ୍ଡନ୍ : ଚଳିତ କ୍ରିକେଟ ବିଶ୍ବକପ୍‌ରେ କ୍ରମାଗତ ୨ୟ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି। ଫଳରେ ରବିବାର ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌କୁ ୩୬ ରନ୍‌ରେ ଜିତି ଭାରତ କ୍ରମାଗତ ୨ୟ ବିଜୟ ହାତେଇ ପାରିଛି। ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମା ଶତକ ମାରିଥିବା ବେଳେ ଏହି ମ୍ୟାଚ୍‌ରେ ଶିଖର ଧାୱନ ଶତକ ମାରିଛନ୍ତି। ଏହାସହ ଭାରତୀୟ ବୋଲର ପେସାଦାର ପ୍ରଦର୍ଶନ ବଜାୟରଖି ଦଳକୁ ୨ୟ ମ୍ୟାଚ୍‌ରେ ୨ୟ ବିଜୟ ଦେଇଛନ୍ତି। ଧାୱନଙ୍କ ଶତକ ସହ ରୋହିତ ଶର୍ମା ଓ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିବାରୁ ଭାରତ ୫ ୱିକେଟରେ ୩୫୨ ରନ୍‌ କରିଥିଲା। ପରେ ଡେଭିଡ୍ ୱାର୍ଣ୍ଣର, ଷ୍ଟିଭେନ୍ ସ୍ମିଥ୍‌ ଓ ଆଲେକ୍ସ କ୍ୟାରିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଅଷ୍ଟ୍ରେଲିଆ ଶେଷ ବଲ୍‌ରେ ୩୧୬ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୩ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମ ପରାଜୟ ବରଣ କରିଛି।
ସର୍ବାଧିକ ୫ ଥର ବିଶ୍ବକପ୍ ଚମ୍ପିଆନ୍ ଅଷ୍ଟ୍ରେଲିଆ ୩୫୩ ରନ୍ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ବେଳେ ଏହାର ଓପ୍‌ନର ଆରମ୍ଭରୁ ଜଗିରଖି ଖେଳିଥିଲେ। ୯ ଓଭରରେ ମାତ୍ର ୨୯ ରନ୍ ହୋଇଥିବା ବେଳେ ୧୦ମ ଓଭରରେ ୧୯ ରନ୍‌ ମାରି ଅଧିନାୟକ ଆରୋନ୍ ଫିଞ୍ଚ୍ ତାଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ। ୧୩ ଓଭରରେ ଓପ୍‌ନିଂ ଯୋଡ଼ି ୬୧ ରନ୍‌ର ଭାଗିଦାରୀ କରିଥିବା ବେଳେ ଫିଞ୍ଚ୍ ୩୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୬ ରନ୍‌କରି ଆଉଟ ହୋଇଥିଲେ। ପରେ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କ ମଧ୍ୟରେ ୨ୟ ୱିକେଟ ଭାଗିଦାରୀ ବେଶ୍ ଫଳପ୍ରସୂ ହୋଇଥିଲା ଏବଂ ଦୁହେଁ ୭୨ ରନ୍ ଯୋଗ କରିଥିଲେ। ୱାର୍ଣ୍ଣର ଧିମା ବ୍ୟାଟିଂକରି ୮୪ ବଲ୍‌ରୁ ୫ଟି ଚୌକ ସହ ୫୬ ରନ୍‌କରି ବିଦାୟ ନେଇଥିଲେ। ସ୍ମିଥ୍ ଓ ଉସ୍‌ମାନ ଖାୱାଜା କ୍ରିଜ୍‌ ଥିବା ବେଳେ ଆବଶ୍ୟକ ରନ୍‌ହାର ୧୦ରୁ ଅଧିକ ଥିଲା। ଦୁହେଁ ୬୯ ରନ୍ ଯୋଡ଼ିଥିଲେ। ବାମହାତି ଖାୱାଜା ୩୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୨ ରନ୍ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ ୭୦ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୬୯ ରନ୍‌କରି ବିଦାୟ ନେଇଥିଲେ। ୨ଟି ବଲ୍‌ ପରେ ମାର୍କସ ​‌େ‌ଷ୍ଟାଇନିସ୍ (୦) ଆଉଟ ହୋଇଥିଲେ। ପରେ ଅଷ୍ଟ୍ରେଲିଆର ସମସ୍ତ ଆଶା ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଉପରେ ଠୁଳ ଥିବା ବେଳେ ସେ ୧୪ ବଲ୍‌ରୁ ୫ଟି ଚୌକା ସହ ଦ୍ରୁତ ୨୮ ରନ୍‌କରି ବିଦାୟ ନେଇଥିଲେ। ପରେ ନାଥାନ୍ କୌଲ୍‌ଟର-ନାଇଲ୍‌ ୪ ରନ୍‌କରି ବିଦାୟ ନେଇଥିଲେ। ଆଲେକ୍ସ କ୍ୟାରି ୩୫ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୫ ରନ୍‌କରି ଅପରାଜିତ ଥିଲେ। ଦୁଇ ପେସ୍ ବୋଲର ଯଶପ୍ରୀତ ବୁମ୍‌ରା ଓ ଭୁବନେଶ୍ବର କୁମାର ୩ଟି ଲେଖାଏଁ ଏବଂ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ନେଇଥିଲେ। ଶିଖର ଧାୱନ ‘ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌’ ହୋଇଥିଲେ।
ବ୍ୟାଟିଂ ଉପଯୋଗୀ ପିଚ୍‌କୁ ଦେଖି ଭାରତ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବଡ଼ ସ୍କୋର୍ ପାଇଁ ଭାରତ ତା’ର ପ୍ରଥମ ୩ ଜଣ ବ୍ୟାଟ୍‌ସମ୍ୟାନଙ୍କ ଉପରେ ଅଧିକ ନିର୍ଭରଶୀଳ ଥିବା ବେଳେ ଏହି ମ୍ୟାଚ୍‌ରେ ତିନିହେଁ ଭଲ ସ୍କୋର୍‌ କରିଥିଲେ। ଭାରତୀୟ ଓପ୍‌ନର ୨୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିବାରୁ ଦଳର ଏହି ବଡ଼ ସ୍କୋର୍ ସମ୍ଭବ ହୋଇ ପାରିଥିଲା। ୧୨୭ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ରୋହିତ ଶର୍ମା ୭୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୭ ରନ୍‌କରି ଆଉଟ୍‌ ହୋଇଥିଲେ। ଶିଖର ଧାୱନ ଅନ୍ୟପଟେ ଦର୍ଶନୀୟ ଷ୍ଟ୍ରୋକ୍ ଖେଳିବା ଜାରି ରଖିଥିବା ବେଳେ ବିରାଟ କୋହଲି ଆସି ଆରମ୍ଭରୁ ଧୈର୍ଯ୍ୟର ସହ ଖେଳିଥିଲେ ଏବଂ ସେଟ୍ ହେବା ପାଇଁ କିଛି ସମୟ ନେଇଥିଲେ। ଧାୱନ ଓ କୋହଲି ୨ୟ ୱିକେଟ ପାଇଁ ୮୩ ରନ୍ ଯୋଗ କରିଥିଲେ। ୯୫ ବଲ୍‌ରେ ଧାୱନ ଶତକ ପୂରଣ କରିଥିଲେ; ଯାହା ତାଙ୍କର ୧୭ତମ ଦିନିକିଆ ଶତକ ଏବଂ ବିଶ୍ବକପ୍‌ରେ ୩ୟ ଶତକ ଥିଲା। ଧାୱନ ୧୦୯ ବଲ୍‌ରୁ ୧୬ଟି ଚୌକା ସହ ୧୧୭ ରନ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କୁ ୪ନଂ ସ୍ଥାନରେ ବ୍ୟାଟିଂ ପଠାଇବା ଯୋଜନା ଫଳବତୀ ହୋଇଥିଲା। କ୍ରିଜ୍‌କୁ ଆସିବା ମାତ୍ରେ ପାଣ୍ଡ୍ୟା ଆକ୍ରମଣାତ୍ମକ ବ୍ୟାଟିଂକରି ଦ୍ରୁତଗତିରେ ସ୍କୋର୍‌କୁ ବଢ଼ାଇଥିଲେ। ପାଣ୍ଡ୍ୟା ଓ କୋହଲି ୯ ଓଭରରେ ୯୧ ରନ୍ ଯୋଗ କରିଥିଲେ। ପାଣ୍ଡ୍ୟା ୨୭ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୮ ରନ୍ କରିିଥିଲେ। ପରେ ମହେନ୍ଦ୍ର ସିଂହ ଧୋନିଙ୍କ ସହ କୋହଲି ୨୦ ବଲ୍‌ରୁ ୩୭ ରନ୍ ଯୋଗ କରିଥିଲେ। ଧୋନି ୧୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୭ ରନ୍ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ବିରାଟ କୋହଲି ୭୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୮୨ ରନ୍‌ କରିଥିଲେ। ଶେଷ ୧୦ ଓଭରରେ ଭାରତ ୧୧୬ ରନ୍ ନେଇ ପାରିଥିଲା। ମାର୍କସ ଷ୍ଟୋଇନିସ୍ ୨ଟି ୱିକେଟ ପାଇଥିବା ବେଳେ ଗତ ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିବା ମିଚେଲ୍ ଷ୍ଟାର୍କ ୭୪ ରନ୍ ଦେଇଥିଲେ।
ସ୍କୋରବୋର୍ଡ

ଭାରତ (୫୦ ଓଭର ) ୫/୩୫୨
ରୋହିତ କ୍ୟା କ୍ୟାରି ବୋ ନାଇଲ୍‌ ୫୭
ଧାୱନ କ୍ୟା ଅତିରିକ୍ତ ବୋ ଷ୍ଟାର୍କ ୧୧୭
କୋହଲି କ୍ୟା କମିନ୍‌ସ ବୋ ଷ୍ଟୋଇନିସ୍ ୮୨
ପାଣ୍ଡ୍ୟା କ୍ୟା ଫିଞ୍ଚ୍ ବୋ କମିନ୍‌ସ ୪୮
ଧୋନି କ୍ୟା/ବୋ ଷ୍ଟୋଇନିସ୍ ୨୭
ରାହୁଲ    ଅପରାଜିତ ୧୧
କେଦାର    ଅପରାଜିତ ୯
ଅତିରିକ୍ତ ୧୦
ୱିକେଟ ପତନ: ୧ମ-୧୨୭, ୨ୟ-୨୨୦, ୩ୟ-୩୦୧, ୪ର୍ଥ-୩୩୮, ୫ମ-୩୪୮,
ବୋଲିଂ: କମିନ୍‌ସ ୧୦-୦-୫୫-୧, ଷ୍ଟାର୍କ ୧୦-୦-୭୪-୧, କୌଲ୍‌ଟର-ନାଇଲ ୧୦-୧୦-୬୩-୧, ମାକ୍ସୱେଲ ୭-୦-୪୫-୦, ଜାମ୍ପା ୬-୦-୫୦-୦, ଷ୍ଟୋଇନିସ ୭-୦-୬୨-୨।
ଅଷ୍ଟ୍ରେଲିଆ (୫୦ ଓଭର ) ୩୧୬
ୱାର୍ଣ୍ଣର କ୍ୟା ଭୁବନେଶ୍ବର ବୋ ଚହଲ ୫୬
ଫିଞ୍ଚ୍   ରନ୍‌ଆଉଟ ୩୬
ସ୍ମିଥ୍  ଏଲ୍‌ବି ୬୯
ଖାୱାଜା  ବୋ ବୁମ୍‌ରା ୪୨
ମ୍ୟାକ୍ସୱେଲ କ୍ୟା ଅତିରିକ୍ତ ବୋ ଚହଲ ୨୮
ଷ୍ଟୋଇନିସ୍ ବୋ ଭୁବନେଶ୍ବର ୦
କ୍ୟାରି    ଅପରାଜିତ ୫୫
ନାଇଲ୍‌  କ୍ୟା କୋହଲି ବୋ ବୁମ୍‌ରା ୪
କମିନ୍‌ସ  କ୍ୟା ଧୋନି ବୋ ବୁମ୍‌ରା ୮
ଷ୍ଟାର୍କ    ରନ୍‌ଆଉଟ ୪
ଜାମ୍ପା କ୍ୟା ଅତିରିକ୍ତ ବୋ ଭୁବନେଶ୍ବର ୧
ଅତିରିକ୍ତ ୧୪
ୱିକେଟ ପତନ: ୧ମ-୬୧, ୨ୟ-୧୩୩, ୩ୟ-୨୦୨, ୪ର୍ଥ-୨୩୮, ୫ମ-୨୩୮, ୬ଷ୍ଠ-୨୪୪, ୭ମ-୨୮୩, ୮ମ-୩୦୦, ୯ମ-୩୧୩।
ବୋଲିଂ: ଭୁବନେଶ୍ବର ୧୦-୦-୫୦-୩, ବୁମ୍‌ରା ୧୦-୧-୬୧-୩, ପାଣ୍ଡ୍ୟା ୧୦-୦-୬୮-୦, କୁଲଦୀପ ୯-୦-୫୫-୦, ଚହଲ ୧୦-୦-୬୨-୨, କେଦାର ୧-୦-୧୪-୦।

 

Comments are closed.