ଷ୍ଟାର୍କ ଓ ନାଇଲ୍‌ ହିରୋ; ଇଣ୍ଡିଜ୍‌କୁ ହରାଇଲା ଅଷ୍ଟ୍ରେଲିଆ

ଟ୍ରେଣ୍ଟ ବ୍ରିଜ୍ : ଚଳିତ ବିଶ୍ବକପ୍‌ରେ ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ହାସଲ କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ତେବେ ଏକଦା ଅଷ୍ଟ୍ରେଲିଆ ୩୮ ରନ୍‌ରେ ୪ଟି ଏବଂ ୭୯ ରନ୍‌ରେ ୫ଟି ୱିକେଟ ହରାଇବା ପରେ ବିଜୟୀ ହେବ ବୋଲି ଭାବିନଥିଲା। ତେବେ ଏହି ବିଜୟ ସମ୍ଭବ ହୋଇଛି ଷ୍ଟିଭେନ୍ ସ୍ମିଥ୍, ନାଥାନ୍ କୌଲ୍‌ଟର-ନାଇଲ୍‌ ଓ ଆଲେକ୍ସ କ୍ୟାରିଙ୍କ ଲଢ଼ୁଆ ବ୍ୟାଟିଂ ଏବଂ ମିଚେଲ ଷ୍ଟାର୍କଙ୍କ ୫ ୱିକେଟ ଦଖଲ ଯୋଗୁଁ। ୧୫ ରନ୍‌ରେ ଜିତି ଅଷ୍ଟ୍ରେଲିଆ କ୍ରମାଗତ ୨ୟ ବିଜୟ ହାସଲ କରିଛି। କୌଲ୍‌ଟର-ନାଇଲ୍‌ଙ୍କ ବିସ୍ଫୋରକ ୯୨, ସ୍ମିଥ୍‌ଙ୍କ ଦାୟିତ୍ବପୂର୍ଣ୍ଣ ୭୩ ଓ କ୍ୟାରିଙ୍କ ୪୫ ରନ୍‌ର ଇନିଂସ ବଳରେ ଅଷ୍ଟ୍ରେଲିଆ ୪୯ ଓଭରର ୨୮୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ପରେ ମିଚେଲ ଷ୍ଟାର୍କ ୫ଟି ୱିକେଟ ନେବାରୁ ୱେଷ୍ଟଇଣ୍ଡିଜ୍ ୯ ୱିକେଟରେ ୨୭୩ରନ୍ କରିଥିଲା।
ୱେଷ୍ଟଇଣ୍ଡିଜ୍ ୨୮୯ ରନ୍ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିଥିବା ବେଳେ ଦୁଇ ଅଷ୍ଟ୍ରେଲୀୟ ନୂଆବଲ୍‌ ବୋଲର ମିଚେଲ ଷ୍ଟାର୍କ ଓ ପ୍ୟାଟ୍‌ କମିନ୍‌ସ ୱେଷ୍ଟଇଣ୍ଡିଜ୍‌ ଓପ୍‌ନରଙ୍କୁ ଅସୁବିଧାରେ ପକାଇଥିଲେ। ଏଭିନ୍ ଲୁଇସ୍ ୧ ରନ୍‌କରି ବିଦାୟ ନେଇଥିଲେ। କ୍ରିସ୍ ଗେଲ୍‌ ୪ଟି ଚୌକା ସହ ଦ୍ରୁତ ୨୧ ରନ୍‌କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ। ୩୧ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ସାଇ ହୋପ୍ ଓ ନିକୋଲାସ୍ ପୁରନ୍ ୩ୟ ୱିକେଟ ପାଇଁ ୬୮ ରନ୍ ଯୋଡ଼ିଥିଲେ। ପୁରନ୍ ୩୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୦ ରନ୍ କରିଥିଲେ। ପରେ ହୋପ୍ ଓ ସିମ୍ରନ୍ ହେତ୍‌ମେୟର ୫୦ ରନ୍ ଯୋଗ କରିଥିଲେ। ବାମହାତି ହେତ୍‌ମେୟର ୨୮ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍ କରିଥିଲେ। ୧୦୫ ବଲ୍‌ରୁ ୭ଟି ଚୌକା ସହ ୬୮ ରନ୍‌କରି ସାଇ ହୋପ୍ ୫ମ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇ ଯାଇଥିଲେ। ଏହାପ​‌େ​‌ର ଇଣ୍ଡିଜ୍‌ର ସମସ୍ତ ଆଶା ଠୁଳ ରହିଥିଲା ଆଇପିଏଲ୍‌ ହିରୋ ଆ​‌େ​‌ନ୍ଦ୍ର ରସେଲଙ୍କ ଉପରେ। ୧୧ ବଲ୍‌ରୁ ଦ୍ରୁତ ୧୫ ରନ୍‌କରି ରସେଲ ଆଉଟ ହୋଇ ଯାଇଥିଲେ। ୨୧୬ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ଜେସନ୍ ହୋଲ୍‌ଡର ଲଢ଼ୁଆ ବ୍ୟାଟିଂ କରୁଥିବା ବେଳେ କାର୍ଲୋସ ବ୍ରାଥ୍‌ୱେଟ ୧୩ ରନ୍‌କରି ଆଉଟ ହୋଇଥିଲେ। ୨ଟି ବଲ୍‌ ପରେ ହୋଲ୍‌ଡର ଆଉଟହେବା ଅଷ୍ଟ୍ରେଲିଆର ବିଜୟ ନିଶ୍ଚିତ କରିଥିଲା। ହୋଲ୍‌ଡର ୫୭ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୫୧ ରନ୍ କରିଥିଲେ। ମିଚେଲ ଷ୍ଟାର୍କ ୫ଟି ଓ ପ୍ୟାଟ୍ କମିନ୍‌ସ ୨ଟି ୱିକେଟ ନେଇଥିଲେ।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଫିଲ୍‌ଡିଂର ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୬ ଓ ଡେଭିଡ୍ ୱାର୍ଣ୍ଣର ୩ ରନକରି ଆଉଟ୍ ହୋଇଥିଲେ। ଉସ୍‌ମାନ ଖାୱାଜା ୧୩ ରନ୍‌କରି ବିଦାୟ ନେଇଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ୍ ମଧ୍ୟ ସର୍ଟ ପିଚ୍ ବୋଲିଂର ଶିକାର ହୋଇ ୨ୟ ବଲ୍‌ରେ ଆଉଟ ହୋଇ ଯାଇଥିଲେ। ୩୮ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ଷ୍ଟିଭେନ୍ ସ୍ମିଥ୍ ଓ ମାର୍କସ ଷ୍ଟୋଇନିସ୍ ୪୧ ରନ୍ ଯୋଡ଼ି ସ୍ଥିତି ସୁଧାରିବାର ପ୍ରୟାସ କରିଥିଲେ। ତେବେ ପୁଲ୍‌ ସଟ୍ ମାରି ୧୯ ରନ୍‌କରି ଷ୍ଟୋଇନିସ୍ ଆଉଟ ହୋଇଥିଲେ। ୭୯ ରନ୍‌ରେ ୫ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ଦୟନୀୟ ସ୍ଥିତିରେ ଥିଲା। ଆଲେକ୍ସ କ୍ୟାରି କ୍ରିଜ୍‌କୁ ଆସି କିଛି ସମୟ ଜଗିରଖି ଖେଳି ପ​‌େ​‌ର ସଟ୍‌ ଖେଳିବା ଆରମ୍ଭ କରିଥିଲେ। ୩୦ ଓଭରରେ ୧୪୭ ରନ୍‌କରି ଅଷ୍ଟ୍ରେଲିଆ ସ୍ଥିତି ସୁଧାରି ପାରିଥିଲା। ୬ଷ୍ଠ ୱିକେଟ ପାଇଁ ସ୍ମିଥ୍ ଓ କ୍ୟାରି ୬୮ ରନ୍ ଯୋଗ କରିଥିଲେ। କ୍ୟାରି ୫୫ ବଲ୍‌ରୁ ୭ଟି ଚୌକା ସହ ୪୫ ରନ୍ କରିଥିଲେ। ୭ମ ୱିକେଟ ପାଇଁ ଷ୍ଟିଭେନ୍ ସ୍ମିଥ୍ ଓ ନାଥାନ୍ କୌଲ୍‌ଟର-ନାଇଲ୍‌ ଶତକୀୟ ଭାଗିଦାରୀ କରିଥିଲେ; ଯାହା ଅଷ୍ଟ୍ରେଲିଆକୁ ବେଶ୍ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲା। ଏହି ଭାଗିଦାରୀରେ ସ୍ମିଥ୍ ଜଗିରଖି ଖେଳିଥିବା ବେଳେ କୌଲ୍‌ଟର-ନାଇଲ୍‌ ଆକ୍ରମଣ କରିଥିଲେ। ଫଳରେ ୧୪ ଓଭରରୁ ୧୦୨ ରନ୍ ହୋଇଥିଲା। ୪୫ତମ ଓଭରରେ ଆଉଟ ହୋଇଥିବା ସ୍ମିଥ୍ ୧୦୩ ବଲ୍‌ରୁ ୭ଟି ଚୌକା ସହ ୭୩ ରନ୍ କରିଥିଲେ। ଏହାପରେ ଏକା ନାଥାନ୍ କୌଲ୍‌ଟର-ନାଇଲ୍‌ ଆକ୍ରମଣ କରିଥିଲେ। ଶେଷ ୭ ଓଭରରୁ ଅଷ୍ଟ୍ରେଲିଆ ୭୦ ରନ୍ ନେଇଥିଲା। ନାଥାନ୍ କୌଲ୍‌ଟର-ନାଇଲ୍‌ ୬୦ ବଲ୍‌ରୁ ୪ଟି ଛକା ଓ ୮ଟି ଚୌକା ସହ ୯୨ ରନ୍ କରିଥିଲେ। ଓସାନେ ଥମାସ୍, ସେଲ୍‌ଡନ କଟ୍ରେଲ ଓ ଆ​‌େ​‌ନ୍ଦ୍ର ରସେଲ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Comments are closed.