ୱାର୍ଣ୍ଣରଙ୍କ ଶତକ; ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ଟଣ୍ଟନ୍ : ଚଳିତ ବିଶ୍ବକପ୍‌ର ୧୭ଶ ମ୍ୟାଚ୍‌ରେ ୭ମ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଓପ୍‌ନର ଡେଭିଡ୍ ୱାର୍ଣ୍ଣର। ତାଙ୍କର ଏହି ଶତକ ବଳରେ ବୁଧବାର ପାକିସ୍ତାନକୁ ୪୧ ରନ୍‌ରେ ଅ​‌େ​‌ଷ୍ଟ୍ରଲିଆ ପରାସ୍ତ କରିଛି। ୱିାର୍ଣ୍ଣରଙ୍କ ଶତକ ଓ ଆରୋନ୍ ଫିଞ୍ଚ୍‌ଙ୍କ ସହ ୧୪୬ ରନ୍‌ର ଓପ୍‌ନିଂ ୱିକେଟ ଭାଗିଦାରୀ ପରେ ମହମ୍ମଦ ଆମିର ୫ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ୩୦ ରନ୍‌ରେ ଶେଷ ୬ଟି ୱିକେଟ ହରାଇ ଅଷ୍ଟ୍ରେଲିଆ ୪୯ ଓଭରରେ ୩୦୭ ରନ୍‌କରି ଅଲ୍ଆଉଟ ହୋଇଥିଲା। ପରେ ଇମାମ୍ ଉଲ୍‌ ହକ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ପାକିସ୍ତାନ ୪୫.୪ ଓଭରରେ ୨୬୬ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ୪ର୍ଥ ମ୍ୟାଚ୍‌ରେ ଏହା ଅ​‌େ​‌ଷ୍ଟ୍ରଲିଆର ୩ୟ ବିଜୟ। ଅନ୍ୟପକ୍ଷରେ ୪ର୍ଥ ମ୍ୟାଚ୍‌ରେ ୨ ପରାଜୟ ପରେ ୩ ପଏଣ୍ଟରେ ରହିଛି ପାକିସ୍ତାନ।
ପାକିସ୍ତାନ ୩୦୮ ରନ୍‌ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିବା ପରେ ଫଖର ଜମାନ୍ ବିନା ସ୍କୋର୍‌ରେ ଆଉଟ ହୋଇ ଯାଇଥିଲେ। ତେବେ ଅନ୍ୟ ଓପ୍‌ନର ଇମାମ୍ ଉଲ୍ ହକ୍ ଓ ବାବର ଆଜମ୍ ଲଢ଼ୁଆ ବ୍ୟାଟିଂକରି ୨ୟ ୱିକେଟ ପାଇଁ ୫୪ ରନ୍ ଯୋଡ଼ିଥିଲେ। ଆଜମ୍ ୨୮ ବଲ୍‌ରୁ ୭ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ଇମାମ୍ ଓ ଅଭିଜ୍ଞ ମହମ୍ମଦ ହଫିଜ୍ ୩ୟ ୱିକେଟ ପାଇଁ ୮୦ ରନ୍ ଯୋଗ କରିଥିଲେ। ବାମହାତି ଇମାମ୍ ଉଲ୍‌ ହକ୍ ୭୫ ବଲ୍‌ରୁ ୭ଟି ଚୌକା ସହ ୫୩ ରନ୍‌କରି ବିଦାୟ ନେବା ସହ ୨୪ ରନ୍‌ରେ ପାକିସ୍ତାନ ୪ଟି ୱିକେଟ ହରାଇଥିଲା। ହଫିଜ୍ ୪୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୬ ରନ୍‌କରି ବିଦାୟ ନେଇଥିଲେ। ପରେ ସୋଏବ୍ ମାଲିକ୍ ୦ ଓ ୫ ରନ୍‌କରି ବିଦାୟ ନେଇଥିଲେ। ହାସନ୍ ଅଲୀ ଆକ୍ରମଣାତ୍ମକ ବ୍ୟାଟିଂକରି ୧୫ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୩୨ ରନ୍‌କରି ଆଉଟ ହୋଇଥିଲେ। ପରେ ଅଧିନାୟକ ସର୍ଫରାଜ ଅହମ୍ମଦ ଜଗିରଖି ଖେଳିଥିବା ବେଳେ ୱହାବ୍ ରିଆଜ୍ ଆକ୍ରମଣ କରିଥିଲେ। ୧୦ ଓଭରରେ ୭୮ ରନ୍ ଆବଶ୍ୟକ ଥିବା ବେଳେ ୨ ଓଭରରୁ ଦୁହେଁ ୨୪ ରନ୍ ନେଇଥିଲେ। ତେବେ ରିଆଜ୍ ଆଉଟ ହେବା ସହ ପାକିସ୍ତାନ ଆତ୍ମସମର୍ପଣ କରିଥିଲା। ସର୍ଫରାଜ-ରିଆଜ୍ ୬୪ ରନ୍ ଯୋଡ଼ିଥିଲେ। ରିଆଜ୍ ୩୯ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୪୫ ରନ୍‌ କରିଥିଲେ। ସର୍ଫରାଜ ୪୮ ବଲ୍‌ରୁ ୪୦ ରନ୍‌କରି ରନ୍‌ଆଉଟ ହୋଇଥିଲେ। ପ୍ୟାଟ୍ କମିନ୍‌ସ ୩ଟି ଏବଂ ମିଚେଲ ଷ୍ଟାର୍କ ଓ କେନ୍ ରିଚାର୍ଡସନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ମେଘୁଆ ପାଗକୁ ଦେଖି ପାକିସ୍ତାନ ଏକାଦଶରେ ୪ ଜଣ ପେସ୍ ବୋଲରଙ୍କୁ ଖେଳାଇଥିଲା ଏବଂ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ତେବେ ପାକିସ୍ତାନର ଏହି ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଥି​‌େ​‌ଲ ଅଷ୍ଟ୍ରେଲିଆ ଓପ୍‌ନର। ଅଧିନାୟକ ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ଚମତ୍କାର ବ୍ୟାଟିଂ କରିଥିଲେ। ଉଭୟେ ୧୦ ଓଭରର ପାୱରପ୍ଲେରେ ୫୬ ରନ୍ କରିଥିଲେ। ଫିଞ୍ଚ୍‌ ୨୬ ରନ୍ କରିଥିବା ବେଳେ ସ୍ଲିପ୍‌ରେ ଆସିଫ୍ ଅଲୀ ତାଙ୍କର ଏକ ସହଜ କ୍ୟାଚ୍ ଛାଡ଼ିଥିଲେ। ଏହାର ସୁଯୋଗନେଇ ଫିଞ୍ଚ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଏବଂ ୨୨ ଓଭରରେ ୱାର୍ଣ୍ଣରଙ୍କ ସହ ୧୪୬ ରନ୍‌ର ଭାଗିଦାରୀ କରିଥିଲେ। ମହମ୍ମଦ ଆମିର ତାଙ୍କ ୨ୟ ସ୍ପେଲ୍‌ର ପ୍ରଥମ ବଲ୍‌ରେ ଫିଞ୍ଚ୍‌ଙ୍କୁ ଆଉଟ କରିଥିଲେ। ଫିଞ୍ଚ୍ ୮୪ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୮୨ ରନ୍ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ ମାତ୍ର ୧୦ ରନ୍ କରି ପାରିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇଥିବା ଗ୍ଲେନ୍ ମ୍ୟାକ୍ସୱେଲ ୧୦ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ଦ୍ରୁତ ୨୦ ରନ୍‌କରି ବିଦାୟ ନେଇଥିଲେ। ପରେ ୱାର୍ଣ୍ଣର ୧୫ତମ ଦିନିକିଆ ଶତକ ପୂରଣ କରିଥିଲେ। ୱାର୍ଣ୍ଣର ୧୧୧ ବଲ୍‌ରୁ ଗୋଟିଏ ଛକା ଓ ୧୧ଟି ଚୌକା ସହ ୧୦୭ ରନ୍ କରିଥିଲେ। ସନ୍ ମାର୍ଶ ୨୬ ବଲ୍‌ରୁ ୨ଟି ଚୌକା ସହ ୨୩ ଓ ଉସ୍‌ମାନ ଖାୱାଜା ୧୬ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍ କରିଥିଲେ। ୪୨ ଓଭରରେ ଅଷ୍ଟ୍ରେଲିଆ ୪ ୱିକେଟରେ ୨୭୭ ରନ୍ କରିଥିବା ବେଳେ ଏହା ୩୫୦ ରନ୍ ପାରକରିବ ବୋଲି ଆଶା କରା ଯାଉଥିଲା। ତେବେ ପରବର୍ତ୍ତୀ ୭ ଓଭରରେ ଅଷ୍ଟ୍ରେଲିଆ ଆଉ ମାତ୍ର ୩୦ ରନ୍ ଯୋଡ଼ି ଶେଷ ୬ଟି ୱିକେଟ ହରାଇ ଅଲ୍‌ଆଉଟ ହୋଇ ଯାଇଥିଲା। ଆଲେକ୍ସ କ୍ୟାରି ୨୦ ରନ୍ କରିଥିଲେ। ମହମ୍ମଦ ଆମିର ଜୀବନରେ ପ୍ରଥମଥର ପାଇଁ ଏକ ଦିନିକିଆ ମ୍ୟାଚ୍‌ରେ ୫ଟି ୱିକେଟ ନେଇଥିଲେ। ସାହିନ୍ ଶାହା ଆଫ୍ରିଦି ୨ଟି ୱିକେଟ ପାଇଥିଲେ।

Comments are closed.