କ୍ରିକେଟ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକା-ଶ୍ରୀଲଙ୍କା ମୁକାବିଲା ଆଜି

ଚେଷ୍ଟର ଲି ଷ୍ଟ୍ରିଟ୍‌ : ଶୁକ୍ରବାର ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ୍‌ର ଅର୍ଥ ଭିନ୍ନ । ୭ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଜିତିଥିବା ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରୁ ବାଦ୍‌ପଡ଼ିଛି । ତେଣୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସହିତ ବାକି ୨ଟି ମ୍ୟାଚ୍ ଏହା କେବଳ ଔପଚାରିକତା ପୂରଣ କରିବାକୁ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ବ ବହୁତ। ୬ଟି ମ୍ୟାଚ୍‌ରୁ ଶ୍ରୀଲଙ୍କା ୬ ପଏଣ୍ଟ ପାଇଛି। ସେମିଫାଇନାଲ ଖେଳିବାକୁ ହେଲେ ଏହାକୁ ବାକି ୩ଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ତେବେ ସେମିଫାଇନାଲ ଦୌଡ଼ରେ ରହିବା ପାଇଁ ଶ୍ରୀଲଙ୍କାକୁ ଅତିକମ୍‌ରେ ୨ଟି ମ୍ୟାଚ୍ ଜିତିବା ନିହାତି ଜରୁରୀ। ଏପରି ପରିସ୍ଥିତିରେ ମନୋବଳ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ହରାଇବା ଏହା ପାଇଁ ଶ୍ରେଷ୍ଠ ସୁଯୋଗ ବୋଲି ଶ୍ରୀଲଙ୍କା ମନେକରୁଛି।​‌ ସେମିଫାଇନାଲ ଖେଳିବା ସୁଯୋଗ ହାତଛଡ଼ା କରି ସାରିଥିବା ଦକ୍ଷିଣ ଆଫ୍ରିକା ବାକି ୨ଟି ମ୍ୟାଚ୍ ଜିତି ହରାଇଥିବା କିଛି ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ।
ଗତ ମ୍ୟାଚ୍‌ରେ ପାକିସ୍ତାନଠାରୁ ଦକ୍ଷିଣ ଆଫ୍ରିକା ହାରିବା ପରେ ଦଳ ମଧ୍ୟରେ କିଛି ଅସନ୍ତୋଷ ପ୍ରକାଶ ପାଇଥିଲା। ଖେଳାଳିଙ୍କୁ ଅଧିନାୟକ ଫାଫ୍ ଡୁ ପ୍ଲେସି ଓ ଫାଷ୍ଟବୋଲର କାଗିସୋ ରାବାଡ଼ା ସମାଲୋଚନା କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ଦଳ ବିଜୟୀହେବା ପରି ପ୍ରଦର୍ଶନ କରିବ ବୋଲି ଅନେକେ ମନେ କରୁନାହାନ୍ତି। ପୁଣି ଦକ୍ଷିଣ ଆଫ୍ରିକା ଏହି ବିଶ୍ବକପ୍‌ରେ ଆଦୌ ଖେଳିନଥିବା ଅଲ୍‌ରାଉଣ୍ଡର ଡେନ୍ ପ୍ରିଟୋରିୟସ୍‌ଙ୍କୁ ସୁଯୋଗ ଦେବା କଥା ଚିନ୍ତା କରିପାରେ। ଅନ୍ୟପକ୍ଷରେ ଗତ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ଏବଂ ପରେ ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ ପରାସ୍ତହେବା ସେମିଫାଇନାଲ ପାଇଁ ଶ୍ରୀଲଙ୍କା ଦଳର ରାସ୍ତା ଖୋଲିଦେଇଛି। ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଯେପରି ପ୍ରଦର୍ଶନ କଲା; ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପରି ପ୍ରଦର୍ଶନ କଲେ ଏହାର ବିଜୟ ସୁନିଶ୍ଚିତ। ଇଂଲଣ୍ଡ ବିପକ୍ଷରେ ବିଜୟ ସତ୍ତ୍ବେ ଶ୍ରୀଲଙ୍କା ଦଳରେ ବହୁତ ଉନ୍ନତିର ଆବଶ୍ୟକତା ରହିଛି। ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ଶ୍ରୀଲଙ୍କାର ବ୍ୟାଟ୍‌ସମ୍ୟାନଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। କେବଳ ଇଂଲଣ୍ଡ ଦଳ ବିପକ୍ଷରେ ବରିଷ୍ଠ ବ୍ୟାଟ୍‌ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ ଅର୍ଦ୍ଧଶତକ ମାରିଥିବା ବେଳେ ଅନ୍ୟ ମ୍ୟାଚ୍‌ଗୁଡ଼ିରେ ବିଫଳ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ଅଧିନାୟକ ଦିମୁଥ୍ କରୁଣାରତ୍ନେ ଏବଂ ୨ୟ ମ୍ୟାଚ୍‌ରେ କୁଶଳ ପରେରା ଭଲ ଇନିଂସ ଖେଳିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଉଭୟ କରୁଣାରତ୍ନେ ଓ କୁଶଳ ପରେରା ସଫଳ ହୋଇଥିଲେ ହେଁ ମଧ୍ୟକ୍ରମ ବିଫଳ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ରେ କୁଶଳ ମେଣ୍ଡିସ୍ ଭଲ ଇନିଂସ ଖେଳିଥିଲେ ହେଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିକ୍ଷା ଫର୍ଣ୍ଣାଣ୍ଡୋ। ୩୯ ବଲ୍‌ରୁ ଫର୍ଣ୍ଣାଣ୍ଡୋ ୪୯ ରନ୍ କରିଥିଲେ। ଶ୍ରୀଲଙ୍କା ବୋଲିଂ ଆକ୍ରମଣର ନେତୃତ୍ବ ନେଇଛନ୍ତି ଅଭିଜ୍ଞ ଲାସିଥ୍ ମାଲିଙ୍ଗା। ଶ୍ରୀଲଙ୍କା ଜିତିଥିବା ୨ଟି ମ୍ୟାଚ୍‌ରେ ମାଲିଙ୍ଗା ଶ୍ରେଷ୍ଠ ବୋଲିଂ କରିଛନ୍ତି। ଆଫ୍‌ଗାନିସ୍ତାନ ବିପକ୍ଷରେ ୩ଟି ଓ ଇଂଲଣ୍ଡ ବିପକ୍ଷରେ ମାଲିଙ୍ଗା ୪ଟି ୱିକେଟ ନେଇଛନ୍ତି। ଅନ୍ୟ ବୋଲରଙ୍କୁ କିନ୍ତୁ ପ୍ରଦର୍ଶନର ସ୍ତର ଉପରକୁ ଉଠାଇବାକୁ ପଡ଼ିବ। ଏପରି ବି ହୋଇପାରେ ଯେ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବାରୁ ଦକ୍ଷିଣ ଆଫ୍ରିକା ମନଖୋଲା କ୍ରିକେଟ ଖେଳିବ; ଯାହା ଶ୍ରୀଲଙ୍କା ପାଇଁ ଘାତକ ହୋଇପାରେ। ଶ୍ରୀଲଙ୍କା ବୋଲରଙ୍କୁ ଦକ୍ଷିଣ ଆଫ୍ରିକା ଓପ୍‌ନର କ୍ବିଣ୍ଟନ ଡି କକ୍‌ଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ। ସବୁ ମ୍ୟାଚ୍‌ରେ ସେଟ୍‌ ହୋଇଥିଲେ ହେଁ ଡି କକ୍ ବଡ଼ ସ୍କୋର୍ କରି ପାରିନାହାନ୍ତି। ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରେକର୍ଡ ବହୁତ ଭଲ। ଉଭୟଙ୍କ ମଧ୍ୟରେ ଖେଳା ଯାଇଥିବା ଗତ ୧୮ଟି ଦିନିକିଆରୁ ଦକ୍ଷିଣ ଆଫ୍ରିକା ୧୬ଟି ଜିତିଛି। ପୁଣି ଗତ ୫ଟିଯାକ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ହିଁ ଜିତିଛି।

Comments are closed.