ଦକ୍ଷିଣ ଆଫ୍ରିକାର ସାନ୍ତ୍ବନାମୂଳକ ବିଜୟ ; ଚିନ୍ତାରେ ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌ : ଚଳିତ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବା ଶ୍ରୀଲଙ୍କାର ବ୍ୟାଟିଂ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ବିଫଳ ହୋଇଛି। ଶୁକ୍ରବାର ଶ୍ରୀଲଙ୍କାର ଦୁର୍ବଳ ବ୍ୟାଟିଂ ଏବଂ ଦକ୍ଷିଣ ଆଫ୍ରିକା ପେସ୍ ବୋଲରଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କାକୁ ୯ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। କୁଶଳ ପରେରା ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ୩୦ ରନ୍ ଲେଖାଏଁ କରିଥିଲେ ହେଁ ଅନ୍ୟମାନେ ସେପରି ଭଲ ବ୍ୟାଟିଂ କରି ପାରିନଥିଲେ। ପରେ ହାସିମ୍ ଆମ୍‌ଲା ଓ ଫାଫ୍ ଡୁ ପ୍ଲେସିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୩୭.୨ ଓଭରରେ ୧ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ସହଜ ବିଜୟ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି। ୮ମ ମ୍ୟାଚ୍‌ରେ ୨ୟ ବିଜୟ ପରେ ଦକ୍ଷିଣ ଆଫ୍ରିକା ୮ମ ସ୍ଥାନକୁ ଉନ୍ନୀତ ହୋଇଛି। ତେବେ ଏହି ପରାଜୟ ସହ ଶ୍ରୀଲଙ୍କା ଦଳର ସେମିଫାଇନାଲ ଖେଳିବା ଏବେ ଆଶଙ୍କାରେ ପଡ଼ିଯାଇଛି। ୭ଟି ମ୍ୟାଚ୍‌ରୁ ୩ୟ ପରାଜୟ ପରେ ଶ୍ରୀଲଙ୍କା ଏବେ ୬ ପଏଣ୍ଟରେ ରହିଛି। ବାକି ୨ଟିଯାକ ମ୍ୟାଚ୍ ଜିତିଲେ ମଧ୍ୟ ଶ୍ରୀଲଙ୍କାର ସେମିଫାଇନାଲ ଖେଳିବା ନିଶ୍ଚିତ ବୋଲି କହି ହେବନାହିଁ।
ଓପ୍‌ନିଂ ଯୋଡ଼ିରେ କ୍ବିଣ୍ଟନ୍ ଡି କକ୍‌ଙ୍କ ସହ ହାସିମ୍ ଆମ୍‌ଲା ୩୧ ରନ୍‌ ଯୋଗ କରିଥିଲେ। ବାମହାତି ଡି କକ୍ ୧୬ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ଆଉଟ ହୋଇଥିଲେ। ଏହାପରେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ହାସିମ୍‌ ଆମ୍‌ଲା ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ଲମ୍ବା ଭାଗିଦାରୀ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ଅବିଭାଜିତ ୨ୟ ୱିକେଟ ଯୋଡ଼ିରେ ଆମ୍‌ଲା ଓ ଡୁ ପ୍ଲେସି ୧୭୫ ରନ୍ ଯୋଗ କରିଥିଲେ। ୩୯ତମ ଅର୍ଦ୍ଧଶତକ ହାସଲ କରିଥିବା ଆମ୍‌ଲା ୧୦୫ ବଲ୍‌ରୁ ୫ଟି ଚୌକା ସହ ୮୦ ଏବଂ ୩୫ତମ ଅର୍ଦ୍ଧଶତକ ହାସଲ କରିଥିବା ଡୁ ପ୍ଲେସି ୧୦୩ ବଲ୍‌ରୁ ଗୋଟିଏ ଛକା ଓ ୧୦ଟ ଚୌକା ସହ ୯୬ ରନ୍‌କରି ଅପରାଜିତ ଥିଲେ। ଡେନ୍ ପ୍ରିଟୋରିୟସ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଇନିଂସର ପ୍ରଥମ ବଲ୍‌ରେ ଶ୍ରୀଲଙ୍କା ଅଧିନାୟକ ଦିମୁଥ୍ କରୁଣାରତ୍ନେଙ୍କୁ ଆଉଟ କରି ଦେଇଥିଲେ କାଗିସୋ ରାବାଡ଼ା। ତେବେ ଅନ୍ୟ ଓପ୍‌ନର କୁଶଳ ପରେରା ଓ ଅଭିକ୍ଷା ଫର୍ଣ୍ଣାଣ୍ଡୋ ପ୍ରତ୍ୟାକ୍ରମଣ କରି ସ୍କୋର୍‌କୁ ବଢ଼ାଇଥିଲେ। ୨ୟ ୱିକେଟ ପାଇଁ ୫୮ ବଲ୍‌ରୁ ଦୁହେଁ ୬୭ ରନ୍ ଯୋଡ଼ିଥିଲେ। ଅଭିକ୍ଷା ଫର୍ଣ୍ଣାଣ୍ଡୋ ୨୯ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍ କରିଥିଲେ। କୁଶଳ ପରେରା ୩୪ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ଶ୍ରୀଲଙ୍କାର ରନ୍‌ଗତି ଧିମେଇ ଯାଇଥିଲା। ୧୦ ଓଭରରେ ୬୭ ରନ୍ ହୋଇଥିବା ବେଳେ ପରବର୍ତ୍ତୀ ୩୦ ଓଭରରୁ ଶ୍ରୀଲଙ୍କା ମାତ୍ର ୯୬ ରନ୍ କରି ୬ଟି ୱିକେଟ ହରାଇଥିଲା। କୁଶଳ ମେଣ୍ଡିସ୍ ୫୧ ବଲ୍‌ରୁ ୨ଟି ଚୌକା ସହ ୨୩ ରନ୍ କରିଥିଲେ। ଅଭିଜ୍ଞ ଆଞ୍ଜେଲୋ ମାଥ୍ୟୁସ୍ ୨୯ ବଲ୍‌ରୁ ୧୧ ରନ୍ କରିଥିଲେ। ଧନଞ୍ଜୟ ଡି ସିଲ୍‌ଭା ଦୀର୍ଘ ସମୟ ବ୍ୟାଟିଂକରି ୪୧ ବଲ୍‌ରୁ ୨ଟି ଚୌକା ସହ ୨୪ ରନ୍ କରିଥିଲେ। ଅନୁରୂପ ଧିମା ବ୍ୟାଟିଂକରି ଜୀବନ ମେଣ୍ଡିସ୍ ୪୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍ କରିଥିଲେ। ବାମହାତି ତିସାରା ପରେରା ୨୫ ବଲ୍‌ରୁ ୨୧ ଓ ଇସୁରୁ ଉଦାନା ୧୭ ରନ୍ କରିଥିଲେ। ଡେନ୍ ପ୍ରିଟୋରିୟସ୍ ଓ କ୍ରିସ୍ ମରିସ୍ ୩ଟି ଲେଖାଏଁ ଏବଂ କାଗିସୋ ରାବାଡ଼ା ୨ଟି ୱିକେଟ ପାଇଥିଲେ।

Comments are closed.