ଦକ୍ଷିଣ ଆଫ୍ରିକାକୁ ୪୯ ରନ୍‌ରେ ହରାଇଲା ପାକିସ୍ତାନ

ଲର୍ଡସ : ଚଳିତ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ଦୟନୀୟ ପ୍ରଦର୍ଶନ ଜାରିରହିଛି। ସେମିଫାଇନାଲ ଦୌଡ଼ରୁ ବାଦ୍‌ପଡ଼ିବା ପରେ ମଧ୍ୟ ଦକ୍ଷିଣ ଆଫ୍ରିକା ପରାଜୟ ଧାରା ଭାଙ୍ଗି ପାରିନାହିଁ। ରବିବାର ପାକିସ୍ତାନ ୪୯ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। କର ବା ମର ମ୍ୟାଚ୍‌ରେ ପାକିସ୍ତାନର ବ୍ୟାଟ୍‌ସମ୍ୟାନ୍ ଚମତ୍କାର ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ବାବର ଆଜମ୍ ଓ ହାରିସ୍ ସୋହେଲଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ପାକିସ୍ତାନ ୭ ୱିକେଟରେ ୩୦୮ ରନ୍ କରିଥିଲା। ଫାଫ୍ ଡୁ ପ୍ଲେସିଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୯ ୱିକେଟ ହରାଇ ୨୫୯ ରନ୍ କରି ପାରିଥିଲା। ୬ଷ୍ଠ ମ୍ୟାଚ୍‌ରେ ୨ୟ ବିଜୟ ପରେ ୫ ପଏଣ୍ଟ ସହ ସେମିଫାଇନାଲ ଆଶା ବଜାୟ ରଖିଛି ପାକିସ୍ତାନ। ଦକ୍ଷିଣ ଆଫ୍ରିକା ୭ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି।
୩୦୯ ରନ୍ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭ କରିଥିବା ବେଳେ ପାକିସ୍ତାନ ବୋଲର ନିଖୁଣ ବୋଲିଂକରି ବ୍ୟାଟ୍‌ସମ୍ୟାନଙ୍କୁ ବାନ୍ଧି ରଖି ପାରିଥିଲେ। ମହମ୍ମଦ ଆମିର ତାଙ୍କ ପ୍ରଥମ ଓଭରରେ ହାସିମ୍ ଆମ୍‌ଲା (୨)ଙ୍କୁ ଆଉଟ କରିଥିଲେ। ୨ୟ ୱିକେଟ ପାଇଁ କ୍ବିଣ୍ଟନ ଡି କକ୍ ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୮୭ ରନ୍ ଯୋଡ଼ିଥିଲେ ହେଁ ଦୁହେଁ ୧୮ ଓଭର ନେଇଥିଲେ। ବାମହାତି ଡି କକ୍ ୬୦ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୭ ରନ୍‌କରି ବିଦାୟ ନେଇଥିଲେ। ପରେ ଐଡେନ୍ ମାର୍କରାମ୍ ୭ ରନ୍‌କରି ବିଦାୟ ନେଇଥିଲେ। ଡୁ ପ୍ଲେସି ୭୯ ବଲ୍‌ରୁ ୫ଟି ଚୌକା ସହ ୬୩ ରନ୍‌କରି ବିଦାୟ ନେଇଥିଲେ। ରାସି ଭାନ୍ ଡର୍ ଡ୍ୟୁସେନ୍ ଓ ଡେଭିଡ୍ ମିଲର ୬୩ ରନ୍ ଯୋଡ଼ିଥିଲେ ହେଁ ଆବଶ୍ୟକ ରନ୍‌ହାର ବଢ଼ି ଚାଲିଥିଲା। ରାସି ଭାନ୍ ଡର୍ ଡ୍ୟୁସେନ୍ ୪୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ୩୭ ବଲ୍‌ରୁ ୩ଟି ଚୌକା ସହ ଡେଭିଡ୍ ମିଲର ଆଉଟ ହେବା ସହ ଦକ୍ଷିଣ ଆଫ୍ରିକାର ଶେଷ ଆଶା ମଧ୍ୟ ମଉଳି ଯାଇଥିଲା। କ୍ରିସ୍ ମରିସ୍ ୧୦ ବଲ୍‌ରୁ ୧୬ ରନ୍ କରିଥିଲେ। ଆନ୍ଦିଲେ ଫେଲୁକ୍ବାୟୋ ୩୨ ବଲ୍‌ରୁ ୬ଟି ଚୌକା ସହ ୪୬ ରନ୍‌କରି ଅପରାଜିତ ଥିଲେ। ୱହାବ୍ ରିଆଜ୍ ଓ ସଦ୍ଦାବ ଖାଁ ୩ଟି ଲେଖାଏଁ ଏବଂ ମହମ୍ମଦ ଆମିର ୨ଟି ୱିକେଟ ନେଇଥିଲେ। ହାରିସ୍ ସୋହେଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ପାକିସ୍ତାନ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ଏହାର ଓପ୍‌ନିଂ ଯୋଡ଼ି ଦକ୍ଷିଣ ଆଫ୍ରିକା ପେସ୍ ଆକ୍ରମଣର ସଫଳ ମୁକାବିଲା କରିଥିଲେ। ୧୫ ଓଭରରେ ପାକିସ୍ତାନର ଓପ୍‌ନର ୮୧ ରନ୍‌ର ଭାଗିଦାରୀ କରିଥିଲେ। ୫୦ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୪୪ ରନ୍ କରିଥିବା ଫଖର ଜମାନ୍ ଏକ ତ୍ରୁଟିପୂର୍ଣ୍ଣ ସଟ୍ ଖେଳି ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସଫଳତା ଦେଇଥିଲେ। ପରେ ଇମ୍ରାନ୍ ତାହିର ଅନ୍ୟ ଓପ୍‌ନର ଇମାମ୍ ଉଲ୍ ହକ୍‌ଙ୍କୁ ମଧ୍ୟ ଆଉଟ କରିଥିଲେ। ବାମହାତି ଇମାମ୍ ୫୮ ବଲ୍‌ରୁ ୬ଟି ଚୌକା ସହ ୪୪ ରନ୍ କରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍‌ କ୍ରିଜ୍‌କୁ ଆସିବା ମାତ୍ରେ କଳାତ୍ମକ ବ୍ୟାଟିଂ କରିଥିଲେ ଏବଂ ଅଭିଜ୍ଞ ମହମ୍ମଦ ହଫିଜ୍‌ଙ୍କ ସହ ୩ୟ ୱିକେଟ ପାଇଁ ୪୫ ରନ୍ ଯୋଡ଼ିଥିଲେ। ହଫିଜ୍ ୩୩ ବଲ୍‌ରୁ ଗୋଟିଏ ଛକା ସହ ୨୦ ରନ୍ କରିଥିଲେ। ହାରିସ୍ ସୋହେଲ ଇନିଂସର ସବୁଠାରୁ ଭଲ ଇନିଂସ ଖେଳିଥିଲେ। ବାବର ଆଜମ୍ ଓ ହାରିସ୍ ସୋହେଲ ୪ର୍ଥ ୱିକେଟ ପାଇଁ ୮୧ ରନ୍ ଯୋଡ଼ିଥିଲେ। ବାବର ଆଜମ୍ ୮୦ ବଲ୍‌ରୁ ୭ଟି ଚୌକା ସହ ୬୯ ରନ୍ କରିଥିଲେ। ଇମାଦ୍ ୱାସିମ୍ ଓ ହାରିସ୍ ସୋହେଲ ୭୧ ରନ୍ ଯୋଡ଼ିଥିଲେ। ଇମାଦ୍ ୧୫ ବଲ୍‌ରୁ ୩ଟି ଚୌକା ସହ ୨୩ ରନ୍ କରିଥିଲେ। ଶେଷ ଓଭରରେ ଆଉଟ ହୋଇଥିବା ହାରିସ୍ ସୋହେଲ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୫୯ ବଲ୍‌ରୁ ୩ଟି ଛକା ଓ ୯ଟି ଚୌକା ସହ ୮୯ ରନ୍ କରିଥିଲେ। ଲୁଙ୍ଗି ଏନ୍‌ଗିଡି ୩ଟି ଓ ଇମ୍ରାନ୍ ତାହିର ୨ଟି ୱିକେଟ ନେଇଥିଲେ।

Comments are closed.