କଷ୍ଟସାଧ୍ୟ ବିଜୟ ପରେ ସେମିଫାଇନାଲ ଦୌଡ଼ରେ ପାକିସ୍ତାନ

ହେଡିଂଲି : ଚଳିତ ବିଶ୍ବକପ୍‌​ରେ‌ ସେମିଫାଇନାଲ ଖେଳିବା ଆଶା ବଜାୟ ରଖିପାରିଛି ପାକିସ୍ତାନ। ଆଫ୍‌ଗାନିସ୍ତାନ ବିପକ୍ଷରେ ଶନିବାର କର ବା ମର ମ୍ୟାଚ୍‌ରେ ପାକିସ୍ତାନ ୩ ୱିକେଟରେ କଷ୍ଟସାଧ୍ୟ ବିଜୟ ହାସଲ କରିଛି। ପାକିସ୍ତାନ ଚାପରେ ପଡ଼ି ଯାଇଥିଲେ ହେଁ ଇମାଦ୍ ୱାସିମ୍‌ଙ୍କ ଲଢ଼ୁଆ ବ୍ୟାଟିଂ ଯୋଗୁଁ ୨୨୮ ରନ୍‌ର ବିଜୟଲକ୍ଷ୍ୟକୁ ୨ଟି ବଲ୍ ବାକିଥାଇ ୭ ୱିକେଟ ହରାଇ ହାସଲ କରି ନେଇଥିଲା। ଆଫ୍‌ଗାନିସ୍ତାନ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ୨୨୭ ରନ୍ କରିଥିଲା। ରହମତ୍‌ ଶାହା, ଅସ୍‌ଗର ଆଫ୍‌ଗାନ ଓ ନଜିବୁଲ୍ଲା ଜାଦ୍ରାନ୍ ଉପଯୋଗୀ ବ୍ୟାଟିଂ କରିଥିବା ବେଳେ ବାମହାତି ଫାଷ୍ଟବୋଲର ସାହିନ୍ ଶାହା ଆଫ୍ରିଦି ୪ଟି ୱିକେଟ ନେଇ ଆଫ୍‌ଗାନିସ୍ତାନ ରନ୍‌ଗତି ଉପରେ ଅଙ୍କୁଶ ଲଗାଇଥିଲେ। ଇମାଦ୍‌ଙ୍କ ଅପରାଜିତ ୪୯ ରନ୍ ବଳରେ ୪୯.୪ ଓଭରରେ ୭ ୱିକେଟ ହରାଇ ପାକିସ୍ତାନ ଜିତିଥିଲା। ୮ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ପାକିସ୍ତାନ ୯ ପଏଣ୍ଟ ପାଇଛି। ସେମିଫାଇନାଲ ଖେଳିବା ପାଇଁ ଏହାକୁ ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରିବାକୁ ପଡ଼ିବ। ଆଫ୍‌ଗାନିସ୍ତାନ ୮ମ ମ୍ୟାଚ୍‌ରେ କ୍ରମାଗତ ୮ମ ପରାଜୟ ଭୋଗିଛି।
ପାକିସ୍ତାନ ପାଇଁ ୨୨୮ ରନ୍‌ର ଲକ୍ଷ୍ୟ ସହଜ ହେବ ବୋଲି ଆଶା କରା ଯାଉଥିଲା। ତେବେ ଆଫ୍‌ଗାନିସ୍ତାନ ବୋଲର ନିୟମିତ ୱିକେଟ ନେଇ ପାକିସ୍ତାନ ଉପରେ ଚାପ ବଜାୟ ରଖିଥିଲେ। ଇନିଂସର ୨ୟ ବଲ୍‌ରେ ଫଖର ଜମାନ୍ ଆଉଟ ହୋଇଥିଲେ। ତେବେ ୨ୟ ୱିକେଟ ପାଇଁ ଫର୍ମରେ ଥିବା ବାବର ଆଜମ୍ ଓ ଓପ୍‌ନର ଇମାମ୍ ଉଲ୍‌ ହକ୍ ୭୨ ରନ୍ ଯୋଡ଼ିଥିଲେ। ବାମହାତି ଇମାମ୍ ୫୧ ବଲ୍‌ରୁ ୪ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ୮ଟି ବଲ୍‌ ପରେ ବାବର ଆଜମ୍ ୫୧ ବଲ୍‌ରୁ ୫ଟି ଚୌକା ସହ ୪୫ ରନ୍‌କରି ବିଦାୟ ନେଇଥିଲେ। ମହମ୍ମଦ ହଫିଜ୍ ୧୯ ରନ୍ କରିଥିବା ବେଳେ ଗତ ୨ଟି ମ୍ୟାଚ୍‌ରେ ଦଳକୁ ଜିତାଇଥିବା ହାରିସ୍ ସୋହେଲ ୨ଟି ଚୌକା ସହ ୨୭ ରନ୍ କରି ବିଦାୟ ନେଇଥିଲେ। ଅଧିନାୟକ ସର୍ଫରାଜ ଅହମ୍ମଦ ୧୮ ରନ୍‌କରି ରନ୍‌ଆଉଟ ହୋଇଥିଲେ। ୧୫୬ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଇମାଦ୍ ୱାସିମ୍ ଓ ସଦ୍ଦାବ ଖାଁ ଦ୍ରୁତ ତଥା ମୂଲ୍ୟବାନ ୫୦ ରନ୍ ଯୋଗ କରିଥିଲେ। ସଦ୍ଦାବ୍ ୧୧ ରନ୍ କରିଥିଲେ। ଇମାଦ୍ ୱାସିମ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ପ୍ଲେୟର ଅଫ୍ ଦି ମ୍ୟାଚ୍ ଇମାଦ୍ ୫ଟି ଚୌକା ସହ ୪୯ ରନ୍‌କରି ଅପରାଜିତ ଥିଲେ। ୱହାବ୍ ରିଆଜ୍ ଅପରାଜିତ ୧୫ ରନ୍‌ କରିଥିଲେ। ମୁଜିବ୍ ଉର୍ ରେହ୍‌ମାନ ଓ ମହମ୍ମଦ ନବି ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍‌ ଜିତି ଆଫ୍‌ଗାନିସ୍ତାନ ବ୍ୟାଟିଂ ନେବା ପରେ ଏହା ଓପ୍‌ନିଂ ଯୋଡ଼ିରେ ୨୭ ରନ୍ କରିଥିଲା। ଅଧିନାୟକ ଗୁଲ୍‌ବାଦିନ୍ ନାଇବ୍ ୧୨ ବଲ୍‌ରୁ ୩ଟି ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ହସ୍‌ମତୁଲ୍ଲା ସାହିଦି ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ଓପ୍‌ନର ରହମତ୍ ଶାହା ଆକର୍ଷଣୀୟ ବ୍ୟାଟିଂକରି ୪୩ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌ କରିଥିଲେ। ୫୭ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଇକ୍ରାମ୍ ଆଲିଖିଲ ଓ ଅସ୍‌ଗର ଆଫ୍‌ଗାନ ୪ର୍ଥ ୱିକେଟ ପାଇଁ ୬୪ ରନ୍ ଯୋଡ଼ିଥିଲେ। ଇକ୍ରାମ୍ ୬୬ ବଲ୍‌ରୁ ୨୪ ରନ୍ କରିଥିଲେ। ଅସ୍‌ଗର ଆଫ୍‌ଗାନ ଆକ୍ରମଣାତ୍ମକ ବ୍ୟାଟିିଂକରି ୩୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୨ ରନ୍‌କରି ଆଉଟ ହୋଇଥିଲେ। ଅଭିଜ୍ଞ ମହମ୍ମଦ ନବି ୧୬ ରନ୍ କରିଥିଲେ। ନଜିବୁଲ୍ଲା ଜାଦ୍ରାନ୍‌ଙ୍କ ଇନିଂସ ଯୋଗୁଁ ଆଫ୍‌ଗାନିସ୍ତାନ ୨ ଶହ ରନ୍ ଅତିକ୍ରମ କରି ପାରିଥିଲା। ଜାଦ୍ରାନ୍ ୫୪ ବଲ୍‌ରୁ ୬ଟି ଚୌକା ସହ ୪୨ ରନ୍ କରିଥିଲେ। ସମିଉଲ୍ଲା ସେନୱାରି ୩୨ ବଲ୍‌ରୁ ଅପରାଜିତ ୧୯ ରନ୍ କରିଥିଲେ। କମ୍ରାଗତ ୨ୟ ମ୍ୟାଚ୍‌ରେ ଭଲ ବୋଲିଂକରି ସାହିନ୍ ଶାହା ଆଫ୍ରିଦି ୪୭ ରନ୍‌ଦେଇ ୪ଟି ୱିକେଟ ପାଇଥିଲେ। ଇମାଦ୍ ୱାସିମ୍ ଓ ୱହାବ୍ ରିଆଜ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ମହମ୍ମଦ ଆମିର କୌଣସି ୱିକେଟ ପାଇନଥିଲେ।

Comments are closed.