ବାବରଙ୍କ ଶତକ ; ନ୍ୟୁଜିଲାଣ୍ଡର ବିଜୟଧାରା ଭାଙ୍ଗିଲା ପାକିସ୍ତାନ

ବର୍ମିଂହାମ୍ : ଚଳିତ ବିଶ୍ବକପ୍‌ରେ କ୍ରମାଗତ ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି ପାକିସ୍ତାନ । ନ୍ୟୁଜିଲାଣ୍ଡର ବିଜୟଧାରା ଭାଙ୍ଗିବା ସହ ବୁଧବାର ଏହି ମ୍ୟାଚ୍‌କୁ ପାକିସ୍ତାନ ୬ ୱିକେଟରେ ଜିତିନେଇଛି। ସାହିନ୍ ଶାହା ଆଫ୍ରଦିଙ୍କ ଘାତକ ବୋଲିଂ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୬ ୱିକେଟରେ ୨୩୭ ରନ୍ କରିଥିଲା। ୮୩ ରନ୍‌ରେ ନ୍ୟୁଜିଲାଣ୍ଡ ୫ ୱିକେଟ ହରାଇଥିବା ବେଳେ ଜେମ୍‌ସ ନିସାମ୍ ଓ କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ଯୋଗୁଁ ୨୩୭ ରନ୍‌ରେ ପହଞ୍ଚି ପାରିଥିଲା। ପରେ ବାବର ଆଜମ୍‌ଙ୍କ ଅପରାଜିତ ଶତକ ଓ ହାରିସ୍ ସୋହେଲଙ୍କ ଅର୍ଦ୍ଧଶତକ ବଳରେ ୪୯.୧ ଓଭରରେ ୪ ୱିକେଟ ହରାଇ ପାକିସ୍ତାନ ବିଜୟୀ ହୋଇଥିଲା। ୭ମ ମ୍ୟାଚ୍‌ରେ ୩ୟ ବିଜୟ ପରେ ୭ ପଏଣ୍ଟ ସହ ପାକିସ୍ତାନ ୬ଷ୍ଠ ସ୍ଥାନରେ ପହଞ୍ଚିଛି। ୭ମ ମ୍ୟାଚ୍‌ରେ ପ୍ରଥମ ପରାଜୟ ପରେ ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ପାକିସ୍ତାନ ତା’ର ପରବର୍ତ୍ତୀ ୨ଟି ମ୍ୟାଚ୍‌ ଆଫ୍‌ଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ​‌େ​‌ର ଖେଳିବାର ଥିବାରୁ ଏହାର ସେମିଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି।
ପାକିସ୍ତାନ ୨୩୮ ରନ୍‌ର ପିଛା କରିଥିବା ବେଳେ ଏହା ସହଳ ଏକ ୱିକେଟ ହରାଇଥିଲା। ଫଖର ଜମାନ୍ ୯ ରନ୍‌କରି ଆଉଟ ହୋଇଥିଲେ। ଲୋକି ଫର୍ଗୁସନ୍‌ଙ୍କ ଗତି ଓ ବାଉନ୍‌ସରେ ପରାସ୍ତହୋଇ ଅନ୍ୟ ଓପ୍‌ନର ଇମାମ୍ ଉଲ୍‌ ହକ୍ ୩ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ୪୪ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଫର୍ମରେ ଥିବା ବାବର ଆଜମ୍ ଓ ଅଭିଜ୍ଞ ମହମ୍ମଦ ହଫିଜ୍ ଧୀରେସୁସ୍ଥେ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ୩ୟ ୱିକେଟ ପାଇଁ ୬୬ ରନ୍ ଯୋଡ଼ିବା ପରେ ୫୦ ବଲ୍‌ରୁ ୫ଟି ଚୌକା ସହ ୩୨ ରନ୍‌କରି ହଫିଜ୍ ଆଉଟ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ବାବର ଓ ହାରିସ୍ ସୋହେଲ ଲଢ଼ୁଆ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୧୨୬ ରନ୍ ଯୋଡ଼ିଥିଲେ। ସୋହେଲ ୭୬ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୬୮ ରନ୍ କରିଥିଲେ। ୧୦ମ ଦିନିକିଆ ଶତକ ହାସଲ କରିଥିବା ବାବର ୧୨୭ ବଲରୁ ୧୧ଟି ଚୌକା ସହ ୧୦୧ ରନ୍‌କରି ଅପରାଜିତ ଥିଲେ। ବାବର ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଝିପିଝିପି ବର୍ଷା ଯୋଗୁଁ ଘଣ୍ଟାଏ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ତଥାପି ମ୍ୟାଚ୍ ୫୦ ଓଭରର ହୋଇଥିଲା। ବର୍ଷା ପାଗ ସତ୍ତ୍ବେ ଟସ୍ ଜିତି ନ୍ୟୁଜିଲାଣ୍ଡ ବ୍ୟାଟିଂ ନେଇଥିଲା। ଏହି ବାତାବରଣର ସଦ୍‌ବ୍ୟବହାର କରି ପାକିସ୍ତାନ ଫାଷ୍ଟବୋଲର ଘାତକ ବୋଲିଂ କରିଥିଲେ। ମହମ୍ମଦ ଆମିର ତାଙ୍କ ପ୍ରଥମ ବଲ୍‌ରେ ମାର୍ଟିନ୍ ଗପ୍‌ଟିଲ (୫)ଙ୍କୁ ବୋଲ୍‌ଡ କରି ଦେଇଥିଲେ। ବାମହାତି ଫାଷ୍ଟବୋଲର ସାହିନ୍ ଶାହା ଆଫ୍ରିଦି କ୍ରମାଗତ ୩ଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ଅଣ୍ଟା ଭାଙ୍ଗି ଦେଇଥିଲେ। ତାଙ୍କ ଖରାପ ଫର୍ମ ଜାରିରଖି କଲିନ୍‌ ମନ୍‌ରୋ ୧୭ ବଲ୍‌ରୁ ୨ଟି ଚୌକା ସହ ୧୨ ରନ୍‌କରି ବିଦାୟ ନେଇଥିଲେ। ନ୍ୟୁଜିଲାଣ୍ଡର ସଫଳ ବ୍ୟାଟ୍‌ସମ୍ୟାନ୍ ରସ୍‌ ଟେଲର ୩ ରନ୍‌କରି ୱିକେଟ ପଛରେ କ୍ୟାଚ୍ ଦେଇଥିଲେ। ଟମ୍ ଲାଥାମ୍ ୧ ରନ୍‌କରି ଅନୁରୂପ ଭାବେ ଆଉଟ ହୋଇଥିଲେ। ୪୬ ରନ୍‌ରେ ୪ଟି ୱିକେଟ ହରାଇ ନ୍ୟୁଜିଲାଣ୍ଡ ଦୟନୀୟ ସ୍ଥିତିରେ ଥିଲା। ଅଧିନାୟକ କେନ ୱିଲିୟମ୍‌ସନ ଓ ଜେମ୍‌ସ ନିସାମ୍‌ ୩୭ ରନ୍ ଯୋଡ଼ିଥିଲେ। ୬୯ ବଲ୍‌ରୁ ୪ଟି ଚୌକା ସହ ୪୧ ରନ୍‌କରି ୱିଲିୟମ୍‌ସନ୍ ଆଉଟ ହୋଇଯିବା ନ୍ୟୁଜିଲାଣ୍ଡ ପାଇଁ ଶକ୍ତ ଧକ୍କା ଥିଲା। ୮୩ ରନ୍‌ରେ ୫ମ ୱିକେଟ ପଡ଼ିଯିବା ପରେ ଦୁଇ ଅଲ୍‌ରାଉଣ୍ଡର ନିସାମ୍ ଓ କଲିନ୍ ଡି ଗ୍ରାଣ୍ଡହୋମ୍ ନ୍ୟୁଜିଲାଣ୍ଡ ପାଇଁ ତ୍ରାଣକର୍ତ୍ତା ସାଜିଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ୨୧ ଓଭର ଖେଳି ୧୩୨ ରନ୍ ଯୋଡ଼ିଥିଲେ। ଡି ଗ୍ରାଣ୍ଡ୍‌ହୋମ୍ ୭୧ ବଲ୍‌ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୪ ରନ୍‌କରି ରନ୍‌ଆଉଟ ହୋଇଥିଲେ। ଇନିଂସର ଶେଷ ବଲ୍‌ରେ ଛକା ମାରିଥିବା ବାମହାତି ନିସାମ୍ ୧୧୨ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୯୭ ରନ୍‌କରି ଅପରାଜିତ ଥିଲେ। ସାହିନ୍ ଆଫ୍ରିଦି ମାତ୍ର ୨୮ ରନ୍‌ଦେଇ ୩ଟି ୱିକେଟ ପାଇଥିଲେ।

Comments
Loading...