କ୍ରିକେଟ ବିଶ୍ବକପ୍‌ : ଭାରତ-ଇଂଲଣ୍ଡ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଆଜି

ବର୍ମିଂହାମ୍, ୨୯ା୬: ଚଳିତ ବିଶ୍ବକପ୍‌ ପୂର୍ବରୁ ଫେଭରିଟ୍‌ର ମାନ୍ୟତା ପାଇଥିବା ଦୁଇ ଦଳ ଭାରତ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ବିଶ୍ବକପ୍‌ର ଏହା ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ମୁକାବିଲା। କେବଳ ଭାରତ ଓ ଇଂଲଣ୍ଡ ନୁହନ୍ତି; ଅନ୍ୟ ଦଳମାନଙ୍କ ପାଇଁ ମଧ୍ୟ ଏହି ମ୍ୟାଚ୍‌ର ଫଳାଫଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବାକି ୩ଟି ମ୍ୟାଚ୍‌ରୁ ଗୋଟିଏ ଜିତିଲେ ଭାରତ ସେମିଫାଇନାଲରେ ପହଞ୍ଚିବ। ଭାରତ ଅଦ୍ୟାବଧି ୬ଟି ମ୍ୟାଚ୍ ଖେଳି କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ। ଏକମାତ୍ର ଅପରାଜିତ ଦଳ ଭାବେ ଭାରତ ସେମିଫାଇନାଲ ଦ୍ବାରରେ ପହଞ୍ଚିଛି। ଅନ୍ୟପକ୍ଷରେ ସେମିଫାଇନାଲରେ ପହଞ୍ଚିବା ଲାଗି ଇଂଲଣ୍ଡ ତା’ର ୨ଟିଯାକ ମ୍ୟାଚ୍ ଜିତିବାକୁ ପଡ଼ିବ। ଏହାର ଚାପ ଇଂଲଣ୍ଡ ଉପରେ ରହିବ; ଯାହା ଇଂଲଣ୍ଡ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଭାବିତ କରିବ। ଅନ୍ୟପକ୍ଷରେ ପାକିସ୍ତାନ ଓ ବାଂଲାଦେଶ ଚାହିଁବେ ଯେ ଭାରତ ଏହି ମ୍ୟାଚ୍‌ରେ ବିଜୟୀହେଉ; ଫଳରେ ଉଭୟଙ୍କ ସେମିଫାଇନାଲ ଆଶା ବଜାୟ ରହିବ। ତେଣୁ ସମସ୍ତଙ୍କର ନଜର ଏହି ମ୍ୟାଚ୍ ଉପରେ ରହିବ।
ଗତ ୨ ବର୍ଷ ମଧ୍ୟରେ ଭାରତ ଓ ଇଂଲଣ୍ଡ ଦିନିକିଆ କ୍ରିକେଟରେ ବିଶ୍ବରେ ଦୁଇ ଶ୍ରେଷ୍ଠ ଦଳ ହୋଇ ରହିଛନ୍ତି। ୩ ଦିନ ତଳେ ଇଂଲଣ୍ଡଠାରୁ ୧ନଂ ଦିନିକିଆ ଦଳର ମାନ୍ୟତା ଛଡ଼ାଇ ଆଣିଛି ଭାରତ। ଉଭୟ ଦଳ ପରସ୍ପରର ସାମର୍ଥ୍ୟ ଓ ଦୁର୍ବଳତା ଭଲଭାବେ ଜାଣିଛନ୍ତି। ନିକଟ ଅତୀତରେ ଭାରତ ବିପକ୍ଷରେ ଇଂଲଣ୍ଡର ଦିନିକିଆ ପ୍ରଦର୍ଶନ ଭଲ ରହିଛି। ଉଭୟ ଦଳଙ୍କ ମଧ୍ୟରୁ ଗତ ୯ଟି ଦିନିକିଆ ମଧ୍ୟରୁ ଇଂଲଣ୍ଡ ୬ଟି ଜିତିଛି। ଏକମାତ୍ର ଦଳ ଭାବେ ଅପରାଜିତ ରହିଥିବା ଭାରତ ଅଦ୍ୟାବଧି ତା’ର ପ୍ରଦର୍ଶନ ଯୋଗୁଁ ଆତ୍ମବିଶ୍ବାସରେ ଖେଳିବ। କାରଣ ଇଂଲଣ୍ଡଠାରୁ ପରାସ୍ତହେଲେ ମଧ୍ୟ ଏହାର ବିଶେଷ କ୍ଷତି ହେବନାହିଁ। ଏହାର ଅର୍ଥ ନୁହେଁ ଯେ ଭାରତ ବିଜୟୀହେବାକୁ ପ୍ରୟାସ କରିବନାହିଁ। ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତ କୌଣସି ଦଳକୁ ଇଞ୍ଚେ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ବରଂ ଏହା ଭାରତକୁ ଅଧିକ ଶକ୍ତିଶାଳୀ କରିବ। ଭାରତର ନକ୍‌ଆଉଟ୍ ମ୍ୟାଚ୍ ଖେଳିବା ନିଶ୍ଚିତ ହୋଇ ଯାଇଥିବା ବେଳେ ଇଂଲଣ୍ଡ ପରି ଶକ୍ତିଶାଳୀ ଦଳକୁ ଏହା ବିଦାୟଦେବାକୁ ନିଶ୍ଚୟ ଚାହିଁବ। ଭାରତ ତା’ର ଚୂଡ଼ାନ୍ତ ଏକାଦଶକୁ ନେଇ କିଛି ଯୋଜନା କରିବ ନିଶ୍ଚୟ। ଶିଖର ଧାୱନଙ୍କ ଅନୁପସ୍ଥିତି​‌େ​‌ର କେ.ଏଲ୍‌. ରାହୁଲ ଇନିଂସ ଓପନ୍‌କରି ରନ୍ କରିଥିଲେ ହେଁ ଧାୱନଙ୍କ ପରି ପ୍ରଭାବଶାଳୀ ହୋଇ ପାରିନାହାନ୍ତି। ପୁଣି ତାଙ୍କ ଯୋଗୁଁ ୪ନଂ ସ୍ଥାନକୁ ନେଇ ସମସ୍ୟା ସୃଷ୍ଟିହୋଇଛି। ବିଜୟ ଶଙ୍କର ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନାହାନ୍ତି। ଏଣେ ଋଷଭ ପନ୍ତ୍ ଏହି ସ୍ଥାନ ନେବାକୁ ଅନାଇ ବସିଛନ୍ତି। ସେମିଫାଇନାଲ ଆଗକୁ ପନ୍ତ୍‌ଙ୍କୁ ସୁଯୋଗଦେବାକୁ ଭାରତ ନିଶ୍ଚୟ ଚାହିଁବ। ରନ୍‌କରିବା ଲାଗି ଭାରତ ପ୍ରଥମ ୩ ଜଣ ବ୍ୟାଟ୍‌ସମ୍ୟାନଙ୍କ ଉପରେ ଅଧିକ ନିର୍ଭର କରୁଥିବାରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନିଶ୍ଚୟ ଚାପ ରହିବ। ଉଭୟେ ଗୋଟିଏ ମ୍ୟାଚ୍‌ରେ ବିଫଳହେଲେ କିଏ ମଧ୍ୟକ୍ରମ ସମ୍ଭାଳିବ; ତାହା ହିଁ ପ୍ରଶ୍ନବାଚୀ। କେଦାର ଯାଦବ ମଧ୍ୟ ଚାପରେ। ହାର୍ଦିକ ପାଣ୍ଡ୍ୟା ଭଲ ବ୍ୟାଟିଂ କରୁଥିବା ବେଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ରନ୍‌ଗତି ବଢ଼ାଇବାକୁ ପଡ଼ିବ। ବୋଲିଂ ହେଉଛି ଭାରତର ଶକ୍ତି। ଯଶପ୍ରୀତ ବୁମ୍‌ରା ଚମତ୍କାର ବୋଲିଂ କରୁଥିବା ବେଳେ ଗତ ୨ଟି ମ୍ୟାଚ୍‌ରୁ ୮ଟି ୱିକେଟ ନେଇଛନ୍ତି ମହମ୍ମଦ ସାମି। ଏହି ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଖେଳା ଯାଇଥିବା ବେଳେ ଉଭୟ ଦଳର ସ୍ପିନର ଭଲ ବୋଲିଂ କରିଥିଲେ। ଭାରତୀୟ ସ୍ପିନ୍ ଯୋଡ଼ିଙ୍କ ପାଇଁ ଏହା ଶୁଭ ଖବର।
ଇଂଲଣ୍ଡ ୩ଟି ମ୍ୟାଚ୍ ହାରିବାକୁ ଏହାର ପ୍ରଶଂସକ ଗ୍ରହଣ କରି ପାରୁନାହାନ୍ତି। ଦଳ ୫ଟି ଶତକ ମାରିଥିଲେ ହେଁ ୪ଟି ମ୍ୟାଚ୍ ଜିତିଛି। ଜୋ ରୁଟ୍‌ଙ୍କୁ ଛାଡ଼ି କୌଣସି ବ୍ୟାଟ୍‌ସମ୍ୟାନ୍ ନିୟମିତ ଭାବେ ରନ୍ ସ୍କୋର୍ କରି ପାରିନାହାନ୍ତି। ଜେସନ୍ ରୟ ଆହତ ହେବା ଦଳର ଚିନ୍ତାକୁ ବଢ଼ାଇଛି। ରବିବାର ସକାଳୁ ରୟ ଫିଟ୍‌ନେସ୍ ପରୀକ୍ଷାଦେବେ; ଏଥିରେ ଉତ୍ତୀର୍ଣ୍ଣ ହେଲେ ସେ ଖେଳିବେ। ଇଂଲଣ୍ଡ ଚାହିଁବ ଯେ ଜେସନ୍ ରୟ ଓ ଜନି ବେୟାରଷ୍ଟୋ ଭଲ ଓପ୍‌ନିଂ ଭାଗିଦାରୀ କରନ୍ତୁ। ଏହାର ଫାଇଦା ରୁଟ୍ ଓ ଅଧିନାୟକ ଇଓନ୍ ମୋର୍ଗାନ୍ ନେଇପାରିବେ। ଉଭୟ ରୁଟ୍ ଓ ମୋର୍ଗାନ୍ ସ୍ପିନ୍ ବିପକ୍ଷରେ ଭଲ ବ୍ୟାଟିଂ କରନ୍ତି। ବେନ୍ ଷ୍ଟୋକ୍‌ସ ଓ ଜୋସ୍ ବଟ୍‌ଲର ଭଲ ବ୍ୟାଟିଂ କରୁଥିବା ବେଳେ ଇଂଲଣ୍ଡ ଏକ ବଡ଼ ସ୍କୋର୍ କରିବାକୁ ପ୍ରୟାସ କରିବ। ଇଂଲଣ୍ଡର ତଳ ଅର୍ଡର ବ୍ୟାଟ୍‌ସମ୍ୟାନ ଭଲ ବ୍ୟାଟିଂ କରିଥାଆନ୍ତି। ତେବେ ଚାପରେ ଥିବା ମ୍ୟାଚ୍‌ରେ ସେମାନେ ରନ୍‌କରିବେ ବୋଲି ଭାବିବା ଠିକ୍ ହେବନାହିଁ। ଇଂଲଣ୍ଡ ଦଳ ଚାହିଁବ ଯେ ଦୁଇ ଫାଷ୍ଟବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ ଦୁଇ ଭାରତୀୟ ତାରକା ରୋହିତ ଓ କୋହଲିଙ୍କୁ ଜଲ୍‌ଦି ଆଉଟ୍ କରନ୍ତୁ। ପିଚ୍‌କୁ ଦେଖି ଇଂଲଣ୍ଡ ତା’ର ଦୁଇ ସ୍ପିନର ଆଦିଲ ରସିଦ୍ ଓ ମୋଇନ୍‌ ଅଲୀଙ୍କୁ ଏହି ମ୍ୟାଚ୍‌ରେ ଖେଳାଇବ। ଏହାସତ ଯେ ଇଂଲଣ୍ଡ ଆଦୌ ଦୁର୍ବଳ ଦଳ ନୁହେଁ। ତେବେ ଚାପ ଯୋଗୁଁ ଏହାର ପ୍ରଦର୍ଶନ ପ୍ରଭାବିତ ହୋଇପାରେ। ତେଣୁ ମାନସିକ ଭାବେ ଦୃଢ଼ ଦଳ ହିଁ ଏହି ମ୍ୟାଚ୍‌ରେ ବିଜୟୀହେବ।

Comments are closed.