ବିଶ୍ବକପ୍‌ରେ ସମର୍ଥକଙ୍କ ସଂଘର୍ଷ

ସନ୍ଦିଗ୍ଧ ବିମାନ ଉଡ଼ାଣ ନେଇ ତନାଘନା

ହେଡିଂଲି :  ଚଳିତ ବିଶ୍ବକପ୍‌​ରେ ‌ଶନିବାର ଦୁଇ ପଡ଼ୋଶୀ ଆଫ୍‌ଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚ୍‌ ସମୟରେ ଷ୍ଟାଡିୟମ୍ ବାହାରେ ଓ ଭିତରେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଓ ମାର୍‌ପିଟ୍‌ ହୋଇଛି। ମ୍ୟାଚ୍ ଆରମ୍ଭରୁ ଆଫ୍‌ଗାନିସ୍ତାନ ଓ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଷ୍ଟାଡିୟମ୍ ବାହାରେ ସଂଘର୍ଷ ଘଟିଥିବା ବେଳେ ପରେ ଏହା ଷ୍ଟାଡିୟମ୍ ମଧ୍ୟରେ ମଧ୍ୟ ଘଟିଥିଲା। ଏକ ବିମାନ ଜରିଆରେ ୨ଟି ପୃଥକ୍ ପାକିସ୍ତାନ ବିରୋଧୀ ସ୍ଲୋଗାନ୍ ଷ୍ଟାଡିୟମ୍ ଉପ​​‌ରେ ‌ପ୍ରଦର୍ଶିତ ହେବା ଯୋଗୁଁ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ଏବଂ ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ତେବେ ପୁଲିସ୍ ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇଦେବା ସହ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି।
ଏହି ମ୍ୟାଚ୍‌ ଦେଖିବାକୁ ଟିକଟ ପାଇବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା। ମ୍ୟାଚ୍ ଆରମ୍ଭହେବାର ଯଥେଷ୍ଟ ପୂର୍ବରୁ ଆଫ୍‌ଗାନିସ୍ତାନ ଓ ପାକିସ୍ତାନର ସମର୍ଥକ ଷ୍ଟାଡିୟମ୍ ବାହାରେ ମୁହାଁମୁହିଁ ହୋଇଥିଲେ। ଉଭୟ ଦେଶର ସମର୍ଥକ ମାର୍‌ପିଟ ହୋଇଥିବା ବେଳେ ପୁଲିସ୍ ସେମାନଙ୍କୁ ରୋକିଥିଲା। ତେବେ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ମ୍ୟାଚ୍ ବେଳେ ଏକ ଅପ୍ରତ୍ୟାଶିତ ଘଟଣା ଯୋଗୁଁ ପୁଣି ଗଣ୍ଡଗୋଳ ଆରମ୍ଭ ହୋଇ ଯାଇଥିଲା। ହେଡିଂଲି ଷ୍ଟାଡିୟମ୍‌ ଉପରେ ଏକ ବିମାନ ଉଡ଼ିଥିଲା; ଯେଉଁଥିରେ ଲେଖାଥିଲା- ଜଷ୍ଟିସ୍ ଫର୍ ବେଲୁଚିସ୍ତାନ (ବେଲୁଚିସ୍ତାନ ପାଇଁ ନ୍ୟାୟ)। କିଛି ସମୟ ପରେ ୨ୟ ବିମାନ ଷ୍ଟାଡିୟମ୍‌ ଉପରେ ଉଡ଼ିଥିଲା। ଏଥିରେ ଲେଖାଥିଲା- ହେଲ୍‌ପ ଏଣ୍ଡ୍‌ ଡିସାପିଅରାନ୍‌ସେସ୍ ଇନ୍ ପାକିସ୍ତାନ (ପାକିସ୍ତାନରୁ ନିଖୋଜ୍‌ ହେବାର ଅନ୍ତଃ ଘଟାଇବାକୁ ସାହାଯ୍ୟକର)। ଏହି ୨ଟି ବ୍ୟାନରକୁ ଦେଖିବା ମାତ୍ରେ ପାକିସ୍ତାନର ସମର୍ଥକ ଉଗ୍ର ହୋଇ ଯାଇଥିଲେ ଏବଂ ସେମାନେ ଆଫ୍‌ଗାନିସ୍ତାନ ବିରୋଧୀ ସ୍ଲୋଗାନ୍ ଦେବା ଆରମ୍ଭ କରିଥିଲେ। ଆଫ୍‌ଗାନିସ୍ତାନର ପ୍ରଶଂସକମାନେ ମଧ୍ୟ ଏହାର ଜବାବ ଦେଇଥିଲେ। ପରେ ଉଭୟ ଦେଶର ସମର୍ଥକ ହାତାହାତି ମଧ୍ୟ ହୋଇଥିଲେ। ପୁଲିସ୍ ଏଥିରେ ହସ୍ତକ୍ଷେପ କରି ଗଣ୍ଡଗୋଳକାରୀ ସମର୍ଥକଙ୍କୁ ଷ୍ଟାଡିୟମ୍ ବାହାରକୁ ଭିଡ଼ି ନେଇଯାଇଥିଲା। ତେବେ ଷ୍ଟାଡିୟମ୍ ବାହାରେ ଗଣ୍ଡଗୋଳ ଅଧିକ ଭୟଙ୍କର ହୋଇଥିଲା। ଟିକଟ ନ ପାଇ ହେଡିଂଲି ଷ୍ଟାଡିୟମ୍ ବାହାରେ ଜମା ହୋଇଥିବା ଆଫ୍‌ଗାନିସ୍ତାନ ଓ ପାକିସ୍ତାନର ସମର୍ଥକ ପରସ୍ପରକୁ ଆକ୍ରମଣ କରିଥିଲେ। ଯିଏ ଯାହାକୁ ପାଇଲା ବିଧା, ଗୋଇଠା ମାରିବା ସହ ପାଣି ବୋତଲ ଫିଙ୍ଗିଥିଲେ। କିଛି ସମର୍ଥକ ଷ୍ଟାଡିୟମ୍ ବାହାରେ ଥିବା ଲୁହା ବ୍ୟାରିକେଡ୍‌କୁ ଉଠାଇ ପ୍ରତିପକ୍ଷଙ୍କୁ ଆକ୍ରମଣ କରିବା ଦେଖିବାକୁ ମିଳିଥିଲା। ତେବେ ସୁରକ୍ଷାକର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଗଣ୍ଡଗୋଳରେ କୌଣସି ସମର୍ଥକ ଆହତ ହୋଇନାହାନ୍ତି କି କାହାରିକୁ ଗିରଫ କରା ଯାଇନାହିଁ। ତେବେ ବିଶ୍ବକପ୍ ପରି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଚାଲିଥିବା ବେଳେ ଷ୍ଟାଡିୟମ୍ ଉପରେ ଏପରି ବିମାନ କିପରି ଉଡ଼ିଲା ଏବଂ ଏଥିରେ ରାଜନୈତିକ ବାର୍ତ୍ତା ଥିବା ବ୍ୟାନର ଲଗାଇବା ପାଇଁ କିଏ ଅନୁମତି ଦେଲା; ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିକରିଛି। ବ୍ରିଟିଶ୍ ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛି। ଗତ କିଛିବର୍ଷ ହେଲା ବେଲୁଚିସ୍ତାନକୁ ନେଇ ଆଫ୍‌ଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ସ୍ବାଧୀନତା ପାଇଁ
ବେଲୁଚିସ୍ତାନର ବାସିନ୍ଦା ପାକିସ୍ତାନ ସହ ଲଢ଼େଇ କରୁଥିବା ବେଳେ ସେମାନଙ୍କୁ ଆଫ୍‌ଗାନିସ୍ତାନ ସମର୍ଥନ କରୁଛି। ଏହି ଉତ୍ତେଜନା ଏବେ ବିଶ୍ବକପ୍‌‌ରେ ପହଞ୍ଚିଛି।

Comments are closed.