କ୍ରିକେଟ ବିଶ୍ବକପ୍‌ : ସାକିବ୍ ଓ ରହିମ୍ ବାଂଲାଦେଶକୁ ଜିତାଇଲେ

ସାଉଥାମ୍ପ୍‌ଟନ : ଚଳିତ ବିଶ୍ବକପ୍‌ରେ ଆଫ୍‌ଗାନିସ୍ତାନର ବୋଲର ଭଲ ପ୍ରଦର୍ଶନ ଜାରି ରଖିଥିବା ବେଳେ ବ୍ୟାଟ୍‌ସମ୍ୟାନ୍ ଦଳକୁ ପୁଣି ନିରାଶ କରିଛନ୍ତି । ପୁଣି ବାଂଲାଦେଶର ସାକିବ୍ ଅଲ୍‌ ହାସନ୍ ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିଥିବା ବେଳେ ଚମତ୍କାର ବୋଲିଂକରି ୫ଟି ୱିକେଟ ନେଇଛନ୍ତି । ଫଳରେ ସୋମବାର ଆଫ୍‌ଗାନିସ୍ତାନକୁ ୬୨ ରନ୍‌ରେ ବାଂଲାଦେଶ ପରାସ୍ତ କରିଛି। ମୁସ୍‌ଫିକୁର ରହିମ ଓ ସାକିବ୍ ଅଲ୍‌ ହାସନ୍‌ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୭ ୱିକେଟ ହରାଇ ୨୬୨ ରନ୍ କରିଥିଲା। ପରେ ସାକିବ୍ ୫ଟି ୱିକେଟ ନେବାରୁ ଆଫ୍‌ଗାନିସ୍ତାନ ୪୭ ଓଭରରେ ୨୦୦ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ଚଳିତ ବିଶ୍ବକପ୍‌ରେ କ୍ରମାଗତ ୪ର୍ଥ ଦିନରେ ଏସୀୟ ଦଳଙ୍କ ବିଜୟ ହୋଇଛି। ୭ମ ମ୍ୟାଚ୍‌ରେ ୩ୟ ବିଜୟ ପରେ ୭ ପଏଣ୍ଟ ସହ ୫ମ ସ୍ଥାନକୁ ଉନ୍ନୀତ ହୋଇଛି ବାଂଲାଦେଶ । ତେବେ କ୍ରମାଗତ ୭ମ ପରାଜୟ ଭୋଗିଛି ଆଫ୍‌ଗାନିସ୍ତାନ ।
ଆଫ୍‌ଗାନିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ହେଁ ଏହାର ମଧ୍ୟକ୍ରମ ବିଫଳ ହୋଇଥିଲା। ୪୯ ରନ୍‌ର ଭାଗିଦାରୀ ପରେ ରହମତ ଶାହା ୩୫ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ ହୋଇଥିଲେ। ସାକିବ୍ ନିୟମିତ ୱିକେଟ ନେଇ ଆଫ୍‌ଗାନିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ। ହସ୍‌ମତୁଲ୍ଲା ସାହିଦି ୧୧, ଅସ୍‌ଗର ଆଫ୍‌ଗାନ ୨୦ ଓ ମହମ୍ମଦ ନବି ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଇକ୍ରାମ୍ ଆଲିଖିଲ ୧୧ ରନ୍‌କରି ରନ୍‌ଆଉଟ ହୋଇଥିଲେ। ପ‌େ‌ର ସମିଉଲ୍ଲା ସିନୱାରି ଓ ନଜିବୁଲ୍ଲା ଜାଦ୍ରାନ୍ ୭ମ ୱିକେଟ ପାଇଁ ୫୬ ରନ୍ ଯୋଡ଼ିଥିଲେ। ସାକିବ୍ ଏହି ଯୋଡ଼ି ଭାଙ୍ଗିଥିଲେ। ନଜିବୁଲ୍ଲା ୨୩ ବଲ୍‌ରୁ ୨୩ ରନ୍ କରିଥିଲେ। ପରେ ରସିଦ୍ ଖାଁ ୨ ରନ୍‌କରି ବିଦାୟ ନେଇଥିଲେ। ସମିଉଲ୍ଲା ସିନୱାରି ୫୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୪୯ ରନ୍‌କରି ଅପରାଜିତ ଥିଲେ। ସାକିବ୍ ୫ଟି ଓ ମୁସ୍ତାଫିଜୁର ରେହ୍‌ମାନ ୨ଟି ୱିକେଟ ନେଇଥିଲେ। ବିଶ୍ବକପ୍‌ର ଏକ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିବା ସହ ୫ ୱିକେଟ ନେବାରେ ୨ୟ ଖେଳାଳି ହୋଇଛନ୍ତି ସାକିବ୍ ଅଲ୍‌ ହାସନ୍। ୨୦୧୧ ବିଶ୍ବକପ୍‌ରେ ଭାରତର ଯୁବରାଜ ସିଂହ ଆୟରଲାଣ୍ଡ ବିପକ୍ଷରେ ଏହି କୃତିତ୍ବ ହାସଲ କରିଥିଲେ। ପୁଣି ପ୍ରଥମ ବାଂଲାଦେଶୀ ବୋଲର ଭାବେ ବିଶ୍ବକପ୍‌ର ଏକ ମ୍ୟାଚ୍‌ରେ ସାକିବ୍ ୫ଟି ୱିକେଟ ନେଇଛନ୍ତି। ସାକିବ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଆଫ୍‌ଗାନିସ୍ତାନ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଓପ୍‌ନିଂ ଯୋଡ଼ି ୨୩ ରନ୍ କରିବା ପରେ ଲିଟନ୍ ଦାସ ୧୬ ରନ୍‌କରି ବିଦାୟ ନେଇଥିଲେ। ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ତମିମ୍ ଇକ୍‌ବାଲ ଓ ସାକିବ୍ ଅଲ୍‌ ହାସନ୍ ୨ୟ ୱିକେଟ ପାଇଁ ୫୯ ରନ୍ ଯୋଗ କରିଥିଲେ। ଏହି ଦୁଇ ବାମହାତି ୧୭ ଓଭରର ସ୍କୋର୍‌କୁ ୮୨ ରନ୍‌ରେ ପହଞ୍ଚାଇବା ପରେ ତମିମ୍ ବୋଲ୍‌ଡ ହୋଇଥିଲେ। ତମିମ୍ ୫୩ ବଲ୍‌ରୁ ୪ଟି ଚୌକା ସହ ୩୬ ରନ୍ କରିଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ବାଂଲାଦେଶ କ୍ରିକେଟ୍‌ର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍। ଚଳିତ ବିଶ୍ବକପ୍‌ରେ ବାଂଲାଦେଶ ପାଇଁ ଅଧିକାଂଶ ରନ୍ ସ୍କୋର କରିଥିବା ଏହି ଦୁଇ ବ୍ୟାଟ୍‌ସମ୍ୟାନ୍ ୩ୟ ୱିକେଟ ପାଇଁ ୬୧ ରନ୍ ଯୋଡ଼ିଥିଲେ। ଅର୍ଦ୍ଧଶତକ ପୂରଣ ପରେ ସାକିବ୍ ଆଉଟ ହୋଇଥିଲେ। ଏହାପୂର୍ବରୁ ସେ ୬୯ ବଲ୍‌ରୁ ଗୋଟିଏ ଚୌକା ସହ ୫୧ ରନ୍ କରିଥିଲେ। ସୌମ୍ୟ ସରକାର ୩ ରନ୍ କରିଥିଲେ। ମୁସ୍‌ଫିକୁର ଓ ମହମ୍ମଦୁଲ୍ଲା ୫ମ ୱିକେଟ ପାଇଁ ୪୪ ରନ୍ ଯୋଡ଼ିଥିଲେ। ମହମ୍ମଦୁଲ୍ଲା ୩୮ ବଲ୍‌ରୁ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ମୋସାଦେକ୍ ହୋସେନ୍ ୨୪ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍ କରିଥିଲେ। ୪୯ତମ ଓଭରରେ ଆଉଟ ହୋଇଥିବା ମୁସ୍‌ଫିକୁର ୮୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୮୩ ରନ୍ କରିଥିଲେ। ମୁଜିବ୍‌ ଉର୍ ରେହମାନ ୩ଟି ଓ ଗୁଲ୍‌ବାଦିନ ନାଇବ୍ ୨ଟି ୱିକେଟ ପାଇଥିଲେ।

Comments are closed.