ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ଶୀର୍ଷରେ

ଲର୍ଡସ  : ଚଳିତ ବିଶ୍ବକପ୍‌ରେ ତା’ର ଚମତ୍କାର ପ୍ରଦର୍ଶନ ଜାରିରଖିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଶନିବାର ନ୍ୟୁଜିଲାଣ୍ଡକୁ ୮୬ ରନ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଉସ୍‌ମାନ ଖାୱାଜା ଓ ଆଲେକ୍ସ କ୍ୟାରିଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ୨୪୩ ରନ୍ କରିଥିଲେ। ନ୍ୟୁଜିଲାଣ୍ଡ ଫାଷ୍ଟବୋଲର ଟ୍ରେଣ୍ଟ୍ ବୋଲ୍‌ଟ ହ୍ୟାଟ୍ରିକ୍ ନେଇଥିଲେ। ପରେ ମିଚେଲ ଷ୍ଟାର୍କ ଘାତକ ବୋଲିଂ କରିବାରୁ ନ୍ୟୁଜିଲାଣ୍ଡ ୪୩.୪ ଓଭରରେ ୧୫୭ ରନ୍‌କରି ଅଲ୍ଆଉଟ ହୋଇ ଯାଇଥିଲା। ପୂର୍ବରୁ ସେମିଫାଇନାଲରେ ପହଞ୍ଚି ସାରିଥିବା ଅଷ୍ଟ୍ରେଲିଆ ୮ମ ମ୍ୟାଚ୍‌ରେ ୭ମ ବିଜୟ ପରେ ୧୪ ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି। ୮ମ ମ୍ୟାଚ୍‌ରେ ୨ୟ ପରାଜୟ ନ୍ୟୁଜିଲାଣ୍ଡ ୧୧ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛି।
ନ୍ୟୁଜିଲାଣ୍ଡ ଦୟନୀୟ ଭାବେ ୨୪୪ ରନ୍‌ର ପିଛା ଆରମ୍ଭ କରିଥିଲା। ଓପ୍‌ନର ହେନରି ନିକୋଲ୍‌ସ ୮ ରନ୍‌କରି ବିଦାୟ ନେଇଥିଲେ। ୧୪ଶ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିଥିବା ଅନ୍ୟ ଓପ୍‌ନର ମାର୍ଟିନ୍ ଗପ୍‌ଟିଲ ୪୩ ବଲ୍‌ରୁ ୨ଟି ଚୌକା ସହ ୨୦ ରନ୍‌କରି ବିଦାୟ ନେଇଥିଲେ। ପରେ କ୍ରିଜ୍‌ରେ ଏକାଠି ହୋଇଥିଲେ ଦଳର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ୍ କେନ୍ ୱିଲିୟମ୍‌ସନ୍ ଓ ରସ୍ ଟେଲର। ଦୁହେଁ ୫୫ ରନ୍ ଯୋଡ଼ିବା ପରେ ୫୧ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୪୦ ରନ୍‌କରି ୱିଲିୟମ୍‌ସନ୍ ବିଦାୟ ନେଇଥିଲେ। ପରେ ରସ୍ ଟେଲର ୫୪ ବଲ୍‌ରୁ ୨ଟି ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ଟମ୍ ଲାଥାମ୍ ୧୪ ରନ୍ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ଚଳିତ ବିଶ୍ବକପ୍‌ରେ ୨ୟ ଥର ପାଇଁ ମିଚେଲ ଷ୍ଟାର୍କ ୫ଟି ୱିକେଟ ନେଇଥିଲେ। ଆଲେକ୍ସ କ୍ୟାରି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ତେବେ ନ୍ୟୁଜିଲାଣ୍ଡର ବୋଲର ନିୟମିତ ଭାବେ ୱିକେଟ ନେଇ ଅଷ୍ଟ୍ରେଲିଆ ଦଳକୁ ଚାପରେ ପକାଇଥିଲା। ଅଷ୍ଟ୍ରେଲିଆ ୪୬ ରନ୍‌ରେ ୩ଟି ଏବଂ ୯୨ ରନ୍‌ରେ ୫ଟି ୱିକେଟ ହରାଇ ଦୟନୀୟ ସ୍ଥିତିରେ ଥିଲା। ତେବେ କଙ୍ଗାରୁଦଳକୁ ଏପରି ସ୍ଥିତିରୁ ଉଦ୍ଧାର କରିଥିଲେ ଉସ୍‌ମାନ ଖାୱାଜା ଓ ଆଲେକ୍ସ କ୍ୟାରି। ଏହି ବିଶ୍ବକପ୍‌ରେ ୨ଟି ଲେଖାଏଁ ଶତକ ହାସଲ କରିଥିବା ଅଷ୍ଟ୍ରେଲିଆର ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର ବିଫଳ ହୋଇଥିଲେ। ପ୍ରଥମଥର ପାଇଁ ଗୋଟିଏ ମ୍ୟାଚ୍‌ରେ ଏହି ଦୁଇ ଓପ୍‌ନର ବିଫଳ ହୋଇଛନ୍ତି। ଫିଞ୍ଚ୍ ୮ ରନ୍‌କରି ବିଦାୟ ନେଇଥିବା ବେଳେ ୱାର୍ଣ୍ଣର ୩ଟି ଚୌକା ସହ ୧୬ ରନ୍‌କରି ଆଉଟ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୫ ରନ୍‌କରି ଆଉଟହେବା ବେଳକୁ ଅଷ୍ଟ୍ରେଲିଆର ସ୍କୋର୍ ଥିଲା ୩ ୱିକେଟରେ ୪୬ ରନ୍। ଉସ୍‌ମାନ ଖାୱାଜା ଓ ମାର୍କସ ଷ୍ଟୋଇନିସ୍ ୪ର୍ଥ ୱିକେଟ ପାଇଁ ୩୫ ରନ୍ ଯୋଡ଼ିଥିଲେ। ଷ୍ଟୋଇନିସ୍ ୨୬ ବଲ୍‌ରୁ ୩ଟି ଚୌକା ସହ ୨୧ ରନ୍‌କରି ଆଉଟ ହୋଇଥିଲେ। ପରେ ଗ୍ଲେନ୍ ମ୍ୟାକ୍ସୱେଲ ପୁଣି ବିଫଳ ହୋଇ ବିନା ସ୍କୋର୍‌ରେ ବିଦାୟ ନେଇଥିଲେ। ୯୨ ରନ୍‌ରେ ୫ଟି ୱିକେଟ ହରାଇବା ପରେ ଅଷ୍ଟ୍ରେଲିଆର ଦୁଇ ବ୍ୟାଟ୍‌ସମ୍ୟାନ ଉସ୍‌ମାନ ଖାୱାଜା ଓ ଆଲେକ୍ସ କ୍ୟାରି ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ୧୦୭ ରନ୍ ଯୋଗ କରିଥିଲେ। ବାମହାତି ଖାୱାଜା ଜଗିରଖି ଖେଳିଥିବା ବେଳେ କ୍ୟାରି ନିୟମିତ ଷ୍ଟ୍ରୋକ୍ ଖେଳିଥିଲେ। କ୍ୟାରି ୭୨ ବଲ୍‌ରୁ ୧୧ଟି ଚୌକା ସହ ୭୧ ରନ୍‌କରି ବିଦାୟ ନେଇଥିଲେ। ପ୍ୟାଟ୍‌ କମିନ୍‌ସଙ୍କ ସହ ଖାୱାଜା ଦ୍ରୁତ ୪୪ ରନ୍ ଯୋଡ଼ିଥିଲେ। ତେବେ ଶେଷ ଓଭରରେ କ୍ରମାଗତ ୩ଟି ବଲ୍‌ରେ ୩ଟି ୱିକେଟ ନେଇ ଟ୍ରେଣ୍ଟ ବୋଲ୍‌ଟ ହ୍ୟାଟ୍ରିକ୍ ପୂରଣ କରିଥିଲେ। ଶେଷ ଓଭରର ୩ୟ ବଲ୍‌ରେ ଉସ୍‌ମାନ ଖାୱାଜାଙ୍କୁ ବୋଲ୍‌ଡ କରିଥିଲେ। ପରେ ବୋଲ୍‌ଟ ୪ର୍ଥ ବଲ୍‌ରେ ମିଚେଲ ଷ୍ଟାର୍କଙ୍କୁ ବୋଲ୍‌ଡ କରିଥିବା ବେଳେ ୫ମ ବଲ୍‌ରେ ଜେସନ୍ ବେହେରନଡର୍ଫଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ କରିଥିଲେ। ଖାୱାଜା ୧୨୯ ବଲ୍‌ରୁ ୫ଟି ଚୌକା ସହ ୮୮ ରନ୍ କରିଥିଲେ। ଟ୍ରେଣ୍ଟ ବୋଲ୍‌ଟ ୪ଟି ଏବଂ ଲୋକି ଫର୍ଗୁସନ୍ ଓ ଜେମ୍‌ସ ନିସାମ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତର ମହମ୍ମଦ ସାମିଙ୍କ ପରେ ଚଳିତ ବିଶ୍ବକପ୍‌ରେ ୨ୟ ହ୍ୟାଟ୍ରିକ୍ ନେଇଛନ୍ତି ଟ୍ରେଣ୍ଟ ବୋଲ୍‌ଟ।

Comments are closed.