କ୍ରିକେଟ ବିଶ୍ବକପ୍ : ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମୁକାବିଲା ଆଜି

ଲଣ୍ଡନ୍: ଚଳିତ ବିଶ୍ବକପ୍‌ରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ। ପୁଣି ସେମିଫାଇନାଲ ଖେଳିବାର ଦ୍ବାରରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ଉଭୟ ଦଳଙ୍କ ମଧ୍ୟରେ ଶନିବାର ମୁକାବିଲା ହେବାକୁ ଯାଉଛି। ସେମିଫାଇନାଲରେ ପହଞ୍ଚିବା ସତ୍ତ୍ବେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଆଦୌ ଢିଲାପଣ ଦେଖାଇବ ନାହିଁ। ଗତ ବିଶ୍ବକପ୍‌ରେ ଏହି ଦୁଇ ଦଳଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥିଲା। ନ୍ୟୁଜିଲାଣ୍ଡକୁ ସହଜରେ ହରାଇ ଅଷ୍ଟ୍ରେଲିଆ ଚମ୍ପିଆନ୍ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ନ୍ୟୁଜିଲାଣ୍ଡ ନିଶ୍ଚୟ ପ୍ରୟାସ କରିବ। ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଦ୍ବାରରେ ପହଞ୍ଚିଛି। ଉଭୟ ମ୍ୟାଚ୍‌ରେ ପରାସ୍ତହେଲେ ମଧ୍ୟ ଏହାର ସେମିଫାଇନାଲ ଖେଳିବାର ସୁଯୋଗ ରହିଛି। ତଥାପି ଗୋଟିଏ ମ୍ୟାଚ୍ ଜିତି ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବାକୁ ନ୍ୟୁଜିଲାଣ୍ଡ ନିଶ୍ଚୟ ଚାହିଁବ। ଅଷ୍ଟ୍ରେଲିଆକୁ ହରାଇ ଏହି ଲକ୍ଷ୍ୟ ପୂରଣ କରିବା ସହ ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ସହ ମୁକାବିଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ନ୍ୟୁଜିଲାଣ୍ଡ କଦାପି ଚାହିଁବନାହିଁ।
ପାକିସ୍ତାନ ମ୍ୟାଚ୍ ଖେଳିବା ପୂର୍ବରୁ ୬ଟି ମ୍ୟାଚ୍ ଖେଳି ପରାସ୍ତ ହୋଇନଥିଲା ନ୍ୟୁଜିଲାଣ୍ଡ। ୧୧ ପଏଣ୍ଟ ପାଇ ଏହା ଶୀର୍ଷରେ ଥିଲା। ତେବେ ପାକିସ୍ତାନ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ନ୍ୟୁଜିଲାଣ୍ଡକୁ ପ୍ରଥମ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏହି ମ୍ୟାଚ୍‌​‌େ​‌ର ପ୍ରଥମ ଥର ପାଇଁ ରସ୍ ଟେଲର ଓ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଅର୍ଦ୍ଧଶତକ ହାସଲ କରିନଥିଲେ। ତେବେ ଦୁଇ ଅଲ୍‌ରାଉଣ୍ଡର ଜେମ୍‌ସ ନିସାମ୍ ଓ କଲିନ୍ ଡି ଗ୍ରାଣ୍ଡହୋମ୍ ଲଢ଼ୁଆ ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡର ବୋଲର ଭଲ ପ୍ରଦର୍ଶନ କରିଥିଲେ ହେଁ ବାବର ଆଜମ୍ ଓ ହାରିସ୍ ସୋହେଲ ଲଢ଼ୁଆ ବ୍ୟାଟିଂକରି ଦଳକୁ ଜିତାଇଥିଲେ। ଓପ୍‌ନିଂ ବ୍ୟାଟିଂକୁ ନେଇ ନ୍ୟୁଜିଲାଣ୍ଡ ଚିନ୍ତାରେ। ଏହା ଖେଳିଥିବା ୬ଟି ମ୍ୟାଚ୍‌ରୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍‌କୁ ଛାଡ଼ି ଉଭୟ ଓପ୍‌ନର ସମସ୍ତ ମ୍ୟାଚ୍‌ରେ ବିଫଳ ହୋଇଛନ୍ତି। ତେଣୁ ମାର୍ଟିନ୍ ଗପ୍‌ଟିଲ କିମ୍ବା କଲିନ୍ ମନ୍‌ରୋଙ୍କ ମଧ୍ୟର ଜଣଙ୍କୁ ବସାଇ ହେନ୍‌ରି ନିକୋଲ୍‌ସଙ୍କୁ ଖେଳାଇବା କଥା ନ୍ୟୁଜିଲାଣ୍ଡ ଚିନ୍ତା କରିପାରେ। ୨ଟି ଶତକ ହାସଲ କରିଥିବା କେନ୍ ୱିଲିୟମ୍‌ସନ ଓ ଫର୍ମରେ ଥିବା ରସ୍‌ ଟେଲର ପୁଣିଥରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ଭାର ସମ୍ଭାଳିବେ। ତେବେ ସେମାନଙ୍କୁ ଅଷ୍ଟ୍ରେଲିଆର ଶକ୍ତିଶାଳୀ ବୋଲିଂ ଲାଇନ୍‌ର ମୁକାବିଲା କରିବାକୁ ପଡ଼ିବ। ମିଚେଲ ଷ୍ଟାର୍କ ଅଦ୍ୟାବଧି ଚମ୍ପିଆନ୍‌ଙ୍କ ପରି ବୋଲିଂ କରିଛନ୍ତି ଏବଂ ସର୍ବାଧିକ ୧୯ଟି ୱିକେଟ ନେଇ ସାରିଲେଣି। ପ୍ୟାଟ୍ କମିନ୍‌ସ ଭଲ ବୋଲିଂ କରୁଥିବା ବେଳେ ଗତ ମ୍ୟାଚ୍‌ରେ ବାମହାତି ପେସ୍ ବୋଲର ଜେସନ୍ ବେହେରନ୍‌ଡର୍ଫ ୫ଟି ୱିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ଦଳ ଏବେ ଆତ୍ମବିଶ୍ବାସରେ ଭରପୂର। ଭାରତଠାରୁ ପରାସ୍ତ ହୋଇଥିଲେ ହେଁ ପ୍ରକୃତ ଚମ୍ପିଆନ୍‌ଙ୍କ ପରି ଏହା ଖେଳୁଛି। ଦୁଇ ଓପ୍‌ନର ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍ ଚମତ୍କାର ବ୍ୟାଟିଂ କରୁଛନ୍ତି। ଉଭୟ ୨ଟି ଲେଖାଏଁ ଶତକ ଓ ୩ଟି ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ୱାର୍ଣ୍ଣର ୫୦୦ ରନ୍ କରିଥିବା ବେଳେ ଫିଞ୍ଚ୍ ୪୯୬ ରନ୍ କରିଛନ୍ତି। ଉଭୟଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ମଧ୍ୟକ୍ରମ ଉପରେ ଚାପ ପଡ଼ିନାହିଁ। ଆବଶ୍ୟକ ବେଳେ ଷ୍ଟିଭେନ୍ ସ୍ମିଥ୍ ଓ ଆଲେକ୍ସ କ୍ୟାରି ଉପଯୋଗୀ ଇନିଂସ ଖେଳିଛନ୍ତି। କମ୍ ସୁଯୋଗ ମିଳିଥିଲେ ହେଁ ଗ୍ଲେନ୍ ମ୍ୟାକ୍ସୱେଲ ତାଙ୍କ ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରି ପାରିନାହାନ୍ତି। ତଥାପି ଭାରତ ମ୍ୟାଚ୍‌କୁ ଛାଡ଼ି ସମସ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବଡ଼ ସ୍କୋର୍ କରିପାରିଛି। ଯେତେବେଳେ ଆବଶ୍ୟକ ହୋଇଛି ମିଚେଲ ଷ୍ଟାର୍କ ଦଳକୁ ୱିକେଟ ଦେଇଛନ୍ତି।

Comments are closed.