କ୍ରିକେଟ ବିଶ୍ବକପ୍ : ଇଂଲଣ୍ଡ-ଅଷ୍ଟ୍ରେଲିଆ ଗୁରୁତ୍ବପୂର୍ଣ୍ଣ ଲଢ଼େଇ ଆଜି

ଲର୍ଡସ : ଚଳିତ ବିଶ୍ବକପ୍‌ରେ ସବୁଠାରୁ ବଡ଼ ଫେଭରିଟ୍‌ ଭାବେ ପଡ଼ିଆକୁ ଓହ୍ଲାଇଥିଲା ଆୟୋଜକ ଇଂଲଣ୍ଡ। ଏହି ଦଳରେ ସେପରି କିଛି ଦୁର୍ବଳତା ନଥିଲା। ତେବେ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ପରାଜୟ ପରେ ଇଂଲଣ୍ଡର ଦୁର୍ବଳତା ପଦାରେ ପଡ଼ିଯାଇଛି। ଏହାଠାରୁ ଫେଭରିଟ୍‌ ମାନ୍ୟତା ମଧ୍ୟ ପ୍ରତ୍ୟାହାର କରି ନିଆଯାଇଛି। କେବଳ ଏତିକି ନୁହେଁ; ଇଂଲଣ୍ଡର ସେମିଫାଇନାଲ ଖେଳିବାକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ବାକି ଥିବା ୩ଟି ମ୍ୟାଚ୍‌ରୁ ୨ଟି ଜିତିଲେ ହେଁ ଇଂଲଣ୍ଡ ସେମିଫାଇନାଲ ଖେଳିବ। ଏହି ୩ଟି ମ୍ୟାଚ୍ ହେଉଛି ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ। ମଙ୍ଗଳବାର ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଯାଉଛି ଇଂଲଣ୍ଡ। ୬ଟି ମ୍ୟାଚ୍‌ରୁ ୫ଟି ଜିତି ଅଷ୍ଟ୍ରେଲିଆ ଏବେ ସେମିଫାଇନାଲ ଦ୍ବାରରେ ପହଞ୍ଚିଛି। ଆଉ ଗୋଟିଏ ବିଜୟ ଏହାର ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବ। ତେଣୁ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ଏହି ବିଜୟ ହାସଲ କରିବାକୁ ଅଷ୍ଟ୍ରେଲିଆ ଚାହିଁବ। ଚଳିତ ବିଶ୍ବକପ୍‌ର ଏହା ଅନ୍ୟତମ ବହୁ ପ୍ରତୀକ୍ଷିତ ମୁକାବିଲା।
ୱେଷ୍ଟଇଣ୍ଡିଜ୍, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଆଫ୍‌ଗାନିସ୍ତାନ ବିପକ୍ଷରେ ବିଜୟ ଇଂଲଣ୍ଡ ଦଳର ଗୋଟିଏ ପାର୍ଶ୍ବ ଦେଖାଇଥିବା ବେଳେ ପାକିସ୍ତାନ ଓ ଶ୍ରୀଲଙ୍କାଠାରୁ ପରାଜୟ ପରେ ଏହାର ଅନ୍ୟ ପାର୍ଶ୍ବଟି ପଦାରେ ପଡ଼ିଛି। ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବଦା ଗୁରତ୍ବର ସହ ଖେଳୁଥିବା ଇଂଲଣ୍ଡ ପାଖରେ ଏହି ମ୍ୟାଚ୍ ଜିତିବାର ବହୁତ କାରଣ ରହିଛି। ତେଣୁ ଏହାକୁ ଉତ୍ସାହିତ କରିବାର ଆବଶ୍ୟକତା ନାହିଁ। ବିଶ୍ବର ୧ନଂ ଦଳ, ଫର୍ମରେ ରହିଛି ଏବଂ ଘରୋଇମାଟିରେ ଖେଳୁଛି- ଏହି କାରଣରୁ ସମସ୍ତେ ଆଶା ରଖିଥିଲେ ଯେ ଇଂଲଣ୍ଡ ବିଜୟୀହେବ। ୨୦୧୫ ବିଶ୍ବକପ୍‌ରେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିବା ଇଂଲଣ୍ଡ ଏହି ବିଶ୍ବକପ୍ ଜିତିବାର ମଉକା ଛାଡ଼ିବା ଉଚିତ ନୁହେଁ ବୋଲି ଏହାର ପ୍ରଶଂସକ କହୁଥିବା ବେଳେ ପାକିସ୍ତାନ ବିପକ୍ଷରେ ଏହାର ବୋଲିଂ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହାର ବ୍ୟାଟିଂ ବିଫଳ ହେବା ପ୍ରଶଂସକଙ୍କୁ ନିରାଶ କରିଛି। ଅ​‌େ​‌ଷ୍ଟ୍ରଲିଆ ବିପକ୍ଷ ମ୍ୟାଚ୍‌ରେ ଜେସନ୍ ରୟ ଖେଳିବେ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ରୟ ନ ଖେଳିଲେ ଇଂଲଣ୍ଡ ନିଶ୍ଚୟ ଚିନ୍ତାରେ ରହିବ। ଅଦ୍ୟାବଧି ଜୋ ରୁଟ୍ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଛନ୍ତି। ତାଙ୍କ ସହ ଅଧିନାୟକ ଇଓନ୍ ମୋର୍ଗାନ୍‌ଙ୍କୁ ବ୍ୟାଟିଂ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ। ବୋଲିଂରେ ଜୋଫ୍ରା ଆର୍ଚର ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଡେଭିଡ୍ ୱାର୍ଣ୍ଣର ଓ ଆରୋନ୍ ଫିଞ୍ଚ୍‌ଙ୍କ ବିପକ୍ଷରେ ଆର୍ଚର କିପରି ବୋଲିଂ କରୁଛନ୍ତି; ତାହା ଗୁରୁତ୍ବପୂର୍ଣ୍ଣ ହେବ। ଏହି ଦୁଇ ଓପ୍‌ନରଙ୍କୁ ଛାଡ଼ି ଷ୍ଟିଭେନ୍ ସ୍ମିଥ୍ ଓ ଉସ୍‌ମାନ ଖାୱାଜା ବହୁତ ଭଲ ବ୍ୟାଟ୍‌ସମ୍ୟାନ୍। ଗ୍ଲେନ୍ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ୍ ଓ ଆଲେକ୍ସ କ୍ୟାରି ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ଗତ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ବାମହାତି ଫାଷ୍ଟବୋଲର ମିଚେଲ ଷ୍ଟାର୍କ ଏଥର ମଧ୍ୟ ଚମ୍ପିଆନ୍‌ଙ୍କ ପରି ବୋଲିଂ କରୁଛନ୍ତି। ସ୍ପିନ୍ ବିପକ୍ଷରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ବିଫଳ ହୋଇଥିବାରୁ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର ନାଥାନ୍ ଲାୟନ୍‌ଙ୍କୁ ଖେଳାଇପାରେ। ଏହି ମ୍ୟାଚ୍‌ରେ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ୍। ଏହା ପୁଣିଥରେ ଦୁଇ ଜଣ ସ୍ପିନର ମୋଇନ୍ ଅଲୀ ଓ ଆଦିଲ ରସିଦ୍‌ଙ୍କୁ ଖେଳାଇବ।
ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷ‌େ‌ର ଦିନିକିଆ କ୍ରିକେଟରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଛି। ଅଷ୍ଟ୍ରେଲିଆ ମାଟିରେ ଏହା ୪-୧​‌େ​‌ର ଦିନିକିଆ ସିରିଜ୍ ଜିତିଥିବା ବେଳେ ଘରୋଇମାଟିରେ ଇଂଲଣ୍ଡ ୫-୦ରେ ସିରିଜ୍ ପୋଛିନେଇଛି। ତେବେ ଉକ୍ତ ୨ଟି ସିରିଜ୍‌ରେ ୱାର୍ଣ୍ଣର, ସ୍ମିଥ୍ ଓ ଷ୍ଟାର୍କ ଖେଳିନଥିଲେ। ପୁଣି ଗତ ୧୨ ମାସ ହେଲା ଦୟନୀୟ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ଚଳିତ ବିଶ୍ବକପ୍‌ରେ ଚମତ୍କାର କ୍ରିକେଟ ଖେଳୁଛି। ଡେଭିଡ୍ ୱାର୍ଣ୍ଣର ୨ଟି ଓ ଆରୋନ୍ ଫିଞ୍ଚ୍ ଗୋଟିଏ ଶତକ ହାସଲ କରି ସାରିଲେଣି। ଏହି ମ୍ୟାଚ୍‌ରେ କେବଳ କ୍ରିକେଟ ପଡ଼ିଆରେ ମୁକାବିଲା ହେବନାହିଁ; ମାନସିକ ଭାବେ ଲଢ଼େଇ ହେବ। ତେବେ କ୍ରିକେଟ ସମୀକ୍ଷକ ଏହି ମୁକାବିଲାରେ ଅଷ୍ଟ୍ରେଲିଆକୁ ଫେଭରିଟ୍ କହିବାକୁ ପଛାଇ ନାହାନ୍ତି। ସହଜରେ ହାରମାନିବା ଦଳ ଅଷ୍ଟ୍ରେଲିଆ ନୁହେଁ।

Comments are closed.