ସିଡବ୍ଲ୍ୟୁସି ବୈଠକ ; ରାହୁଲ ନେବେ ମେଣ୍ଟ ନିଷ୍ପତ୍ତି

0

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ନବଗଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ (ସିଡବ୍ଲ୍ୟୁସି)ର ପ୍ରଥମ ବୈଠକ ରବିବାର ସଂସଦ ଭବନ ପରିସରରେ ଅନୁଷ୍ଠିତ ହୋଇଛି। ରାହୁଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କହିଛନ୍ତି ଯେ ଦେଶ ଏବେ ଜଟିଳ ସମୟ ଦେଇ ଗତିକରୁଛି। ତେଣୁ ଦେଶକୁ ଏହି ବିପଦରୁ ଉଦ୍ଧାର କରାଯିବା ଦରକାର। ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସହିତ ସାଲିସ କରିଚାଲିଛନ୍ତି। ଦେଶବାସୀ ଏବେ ଭୟ ଓ ଆତଙ୍କର ବାତାବରଣ ମଧ୍ୟ ଦେଇ ଗତି କରୁଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଠାରେ ବାଚାଳତା ଦେଖାଦେଲାଣି। କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂଗଠନ ସିଡବ୍ଲ୍ୟୁସି ରବିବାର ରାହୁଲଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ରାହୁଲଙ୍କୁ ସମସ୍ତ ପ୍ରକାର ମେଣ୍ଟ ନିଷ୍ପତ୍ତି ନେବାର କ୍ଷମତା ଦିଆଯାଇଛି। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ କେଉଁ ଦଳ ସହିତ ମେଣ୍ଟ କରାଯିବ ତାର ନିଷ୍ପତ୍ତି ରାହୁଲ ନେବେ। ସେହିପରି ନିର୍ବାଚନ ପାଇଁ ରାହୁଲ ବିଭିନ୍ନ ନିର୍ବାଚନ ପ୍ରଚାର କମିଟି ଗଠନ କରିବାର କ୍ଷମତା ପାଇଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ କହିଛନ୍ତି।
ବୈଠକରେ ରାହୁଲ କହିଛନ୍ତି ଯେ କଂଗ୍ରେସ ଏବେ ଲୋକଙ୍କ ବିଶ୍ୱାସ ଭାଜନ ହେବାରେ ଲାଗିଛି। ସେ କହିଛନ୍ତି ଯେ ୨୦୧୯ ନିର୍ବାଚନ ପାଇଁ ଦଳର ଭୋଟ ବୃଦ୍ଧି କରିବା ଆମର ପ୍ରାଥମିକ ଲକ୍ଷ୍ୟ। ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ଚିହ୍ନଟ କରାଯିବ ଯେଉଁମାନେ କଂଗ୍ରେସକୁ ଭୋଟ ଦେଇନାହାନ୍ତି। ଏହି ସବୁ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ରଣନୀତି ପ୍ରସ୍ତୁତ କରାଯିବ। ସେହିପରି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସମନ୍ୱୟ ରକ୍ଷା କରିବା ହେଉଛି ସିଡବ୍ଲ୍ୟୁସିର ପ୍ରଥମ କାର୍ଯ୍ୟ।
ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ ଯେ ଦେଶର ସାମାଜିକ ସୌହାର୍ଦ୍ଦକୁ ଫେରାଇ ଆଣିବା ଦିଗରେ ଆମେ ସମସ୍ତେ ରାହୁଲଙ୍କ ସାଥ ଦେବୁ। ସେ କହିଥିଲେ ଯେ ଦେଶରେ ଏବେ ଆତ୍ମ ବଡିମା ଓ ପ୍ରତାରଣାର ସଂସ୍କୃତି ଚାଲିଛି। ଅନ୍ୟତମ ନେତା ପି ଚିଦମ୍ବରମ୍‍ କହିଥିଲେ ଯେ ୨୦୧୯ରେ କଂଗ୍ରେସ କ୍ଷମତାକୁ ଫେରିବ। ୧୨ଟି ରାଜ୍ୟରୁ କଂଗ୍ରେସ ୧୫୦ ଆସନ ଜିତିବ। ଗତବର୍ଷ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦକୁ ପଦୋନ୍ନତି ପାଇବା ପରେ ଗତ ସପ୍ତାହରେ କାର୍ଯ୍ୟକାରିଣୀ ବୈଠକର ପୁର୍ନଗଠନ କରିଥିଲେ। ଏହି ପୁର୍ନଗଠନରେ ଦଳର କେତେକ ବରିଷ୍ଠ ନେତା ଦିଗ୍‍ବିଜୟ ସିଂହ, ଜନାର୍ଦ୍ଦନ ଦ୍ୱିବେଦୀ, କମଲ ନାଥ, ସୁଶୀଲ କୁମାର ସିନ୍ଦେ, ମୋହନ ପ୍ରକାଶ, ବିକେ ହରିପ୍ରସାଦ ଓ ସିପି ଜୋଷୀଙ୍କ ଭଳି ବରିଷ୍ଠ ନେତାଙ୍କୁ ବାଦ୍‍ ଦିଆଯାଇଥିଲା। କଂଗ୍ରେସର ଏହି କାର୍ଯ୍ୟକାରିଣୀ ବୈଠକକୁ ବିଜେପି ସମାଲୋଚନା କରିଛି। ଦଳର ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ କଂଗ୍ରେସର ଏହା ହେଉଛି ଦରବାରୀ କମିଟି। ଏଠାରେ ସମସ୍ତ ନକାରାତ୍ମକ ନିଷ୍ପତ୍ତି ନିଆଯାଉଛି। ଏହାର ମୂଳ ଲକ୍ଷ୍ୟ ହେଉଛି ମୋଦୀଙ୍କୁ ପରାସ୍ତ କରିବା।

Leave A Reply