ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପର୍କରେ ରିପୋର୍ଟ ମାଗିଲେ ସିଭିଓ

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯିବା ନିମନ୍ତେ ସରକାରୀ ନିର୍ଦେଶ କେତେଦୂର ଅନୁପାଳନ ହୋଇଛି ସେ ସମ୍ପର୍କରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନଙ୍କୁ  ରିପୋର୍ଟ ମାଗିଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ ଅଧିକାରୀ (ସିଭିଓ) ।

ଅନେକ କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଦଣ୍ଡିତ କରାଯିବା କ୍ଷେତ୍ରରେ ଅବହେଳା କରାଯାଉଥିବା ଓ କେତେକ କ୍ଷେତ୍ରରେ ଅନିଚ୍ଛାକୃତ ବିଳମ୍ବିତ କରାଯାଉଥିବା ଅଭିଯୋଗ ହୋଇଛି । ଏପରି ବିଭ୍ରାଟ ସମ୍ପର୍କରେ ରିପୋର୍ଟ ମିଳୁନାହିଁ । ଭିଜିଲାନ୍ସ ମାନୁଆଲ ନିର୍ଦେଶକୁ ଅନୁପାଳନ କରାଯାଉନାହିଁ ଓ ଆୟୋଗ ପକ୍ଷରୁ ଦିଆଯାଇଥିବା ନିର୍ଦେଶ କାର୍ଯ୍ୟକାରୀ କରାଯାଉନାହିଁ । ତେଣୁ ସମସ୍ତ ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ବିଳମ୍ବ ନ କରି ଏ ସମ୍ପର୍କରେ ରିପୋର୍ଟ ଦେବାକୁ ସିଭିଓ ନିର୍ଦେଶନାମା ଜାରି କରିଛନ୍ତି । କମିଶନଙ୍କ ପରାମର୍ଶକୁ ଗ୍ରହଣ ନ କରିବା କିମ୍ବା କମିଶନଙ୍କ ସହ ପରାମର୍ଶ ନ କରିବା ଦ୍ବାରା ଭିଜିଲାନ୍ସ ପ୍ରଶାସନର ନିରପେକ୍ଷତା ଦୁର୍ବଳ ହେଉଛି । ତେଣୁ ଏ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତବର୍ଷ ଜୁନମାସରେ ସଂସଦରେ ଦାଖଲ ହୋଇଥିବା ରିପୋର୍ଟରେ ସିଭିଓଙ୍କ ୪୪ଟି ନିର୍ଦେଶ ପାଳନ କରାଯାଇ ନ ଥିବା ଉଦାହରଣ ରହିଥିଲା ।

Comments are closed.