କାବେରୀ ବିବାଦ: ନିର୍ଦେଶ ପାଳନରେ ବିଫଳତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

0

ନୂଆଦିଲ୍ଲୀ : କାବେରୀ ନଦୀ ଜଳ ଆବଣ୍ଟନ ପ୍ରସଙ୍ଗରେ ନିର୍ଦେଶକୁ ପାଳନ କରିବାରେ ବିଫଳତା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିବା ସହିତ ନିର୍ଦେଶକୁ ଆସନ୍ତା ମାସ ସୁଦ୍ଧା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ କାବେରୀ ନଦୀ ଜଳ ଆବଣ୍ଟନ ବାବଦରେ ନିଜର ଯୋଜନା ସମ୍ପର୍କରେ ମଇ ୩ ସୁଦ୍ଧା ଜଣାଇବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। କାବେରୀ ନଦୀର ଜଳ ପରିଚାଳନା ପାଇଁ କାବେରୀ ପରିଚାଳନା ବୋର୍ଡ (ସିବିଏମ୍‌) ଓ କାବେରୀ ଜଳ ନିୟାମକ କମିଟି (ସିଡବ୍ଲ୍ୟୁଆରସି) ଗଠନ କରିବାକୁ ଫେବୃଆରୀ ୧୬ରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ୬ ସପ୍ତାହ ସମୟ ଦିଆଯାଇଥିଲା। ତେବେ ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ସିବିଏମ୍‌ ଓ ସିଡବ୍ଲ୍ୟୁଆରସି ଗଠନ ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଉପେକ୍ଷା କରିବା ନେଇ ତାମିଲନାଡୁ ସରକାର କେନ୍ଦ୍ର ସରକାରଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ମାନହାନି ମାମଲାର ବିଚାରବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ।
ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ଯେ କାବେରୀ ନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ବାଟ ବାହାର କରୁଥିବାବେଳେ ସରକାର ଏହାକୁ କାର୍ଯ୍ୟକାରୀ କରିବାରେ ଆନ୍ତରିକତା ପ୍ରକାଶ କରୁନାହାନ୍ତି। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଏଠାରେ ଶାନ୍ତିଶୃଙ୍ଖଳା ରକ୍ଷା ପୂର୍ବକ ସରକାର ଆବଶ୍ୟକ ପଦକ୍ଷେପ ନେବା ଦରକାର। କେନ୍ଦ୍ର ସରକାରଙ୍କ ବରିଷ୍ଠ ଆଇନ ଅଧିକାରୀ କହିଥିଲେ ଯେ କାବେରୀ ପରିଚାଳନା ବୋର୍ଡ ଗଠନ କରିବାରେ କୌଣସି ଅସୁବିଧା ନାହିଁ। ଗୋଟିଏ ଅସୁବିଧା ହେଉଛି ଯେ ସରକାର ଯେଉଁ ବୋର୍ଡ ଗଠନ କରିବେ ତାର ମୁଖ୍ୟ କିଏ ରହିବେ। ଜଣେ ପ୍ରଶାସନିକ ଅଧିକାରୀ ନା ଜଣେ ବୈଷୟିକ ଅଧିକାରୀ? ଏ ବାବଦରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିବା ଦରକାର। ଆଇନ ଅଧିକାରୀଙ୍କ ଏପରି ଯୁକ୍ତି ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର କହିଥିଲେ ଯେ ତୁମର ଯଦି କିଛି ସନ୍ଦେହ ଥିଲା ତେବେ ଅଦାଲତଙ୍କୁ ପଚାରିପାରିଥାନ୍ତ। ତାହା ନ କରି ସରକାର ଚୁପ୍‌ ବସିଯିବା ଠିକ୍‌ ନୁହେଁ।

Leave A Reply