ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ସଂସ୍କୃତି ସଚିବ

ଭୁବନେଶ୍ୱର: ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ ଚନ୍ଦ୍ର ଦଳେଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଗସ୍ତ କରି ସେଠାରେ ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନିର୍ବାହୀ ସଂସ୍ଥା ଓବିସିସିର ନିର୍ବାହୀ ଯନ୍ତ୍ରୀ ଇଂ.ସୁନ୍ଦର ମାଧବ ପାଢ଼ୀ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସଚିବଙ୍କୁ ଅବଗତ କରାଇଥିଲେ।

ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରିବା ଏବଂ କାର୍ଯ୍ୟର ମାନ ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ତାଙ୍କର ଏହି ଗସ୍ତ କାଳରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ସତ୍ୟବାଦୀ ତହସିଲଦାର ଓ ପୁରୀ ଜିଲା ସଂସ୍କୃତି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାଜ୍ୟ ସଂସ୍କୃତିସଚିବ ସୁରେଶ କୁମାର ଦଳେଇ ନିର୍ମାଣାଧୀନ କାର୍ଯ୍ୟର ସମୀକ୍ଷା କରିଥିଲେ। ସଂଗ୍ରହାଳୟ ନିର୍ମାଣସ୍ଥଳ, ପୋଖରୀର ପୁନରୁଦ୍ଧାର ଓ ଗ୍ରାମ ଠାକୁରଙ୍କ ମନ୍ଦିର ନିର୍ମାଣ ଦେଖିଥିଲେ। ଷଠିଘରର ପୁନରୁଦ୍ଧାର କାମ ଆରମ୍ଭ କରାଯିବ ବୋଲି କହିଥିଲେ। ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାଶ, ତହସିଲଦାର ମନୋଜ କୁମାର ନାୟକ, ଓବିସିସିର ନିର୍ବହାତ ଯନ୍ତ୍ରୀ ଅକ୍ଷୟ ବେଉରିଆ, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କ ଷଠିଘରେ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତା ଅକ୍ଟୋବର ନଅ ତାରିଖ ସୁଦ୍ଧା କାମ ଶେଷ କରିବାକୁ ଓବିସିସି ଅଧିକାରୀଙ୍କୁ ସଚିବ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ଏହି ଉନ୍ନତିମୂଳକ କାର୍ଯକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ସଚିବ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସତ୍ୟବାଦୀ ଓ ପୁରୀ ଜିଲା ସଂସ୍କୃତି ଅଧିକାରୀ ଉପସ୍ଥିତ ରହିଥିଲେ।

Comments are closed.