‘ଆରେ’ ଗଛକଟା ମାମଲା : ଆଉ ଗଛ ନ କାଟି ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗିରଫ ପରିବେଶବୀତଙ୍କୁ ତୁରନ୍ତ ମୁକ୍ତ କରିବାକୁ ଆଦେଶ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ‘ଆରେ’ କଲୋନୀରେ ମେଟ୍ରୋ ଟ୍ରେନ୍‌ ପାଇଁ ସହସ୍ରାଧିକ ଗଛକଟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତୁରନ୍ତ ଗଛକଟା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ପରିବେଶବୀତଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି । ଏବେକାର ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ପକ୍ଷଭୁତ କରିବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଆଉ ଗଛ କଟାଯିବ ନାହିଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି। ଅକ୍ଟୋବର ୨୧ ତାରିଖକୁ ପରବର୍ତ୍ତୀ ଶୁଣାଣିର ଦିନ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ‘ଆରେ’ କଲୋନୀରେ ମେଟ୍ରୋ ଟ୍ରେନ୍‌ ପାଇଁ ସହସ୍ରାଧିକ ଗଛକଟାକୁ ବିରୋଧ କରି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଲେଖାଯାଇଥିବା ଚିଠି ଉପରେ ସୁପ୍ରିମକୋର୍ଟ ଆଜି ସ୍ବତନ୍ତ୍ର ଶୁଣାଣି କରିବେ ବୋଲି କହିଥିଲେ । ନଏଡ଼ାର କିଛି ଆଇନ ଛାତ୍ରଛାତ୍ରୀ ଋଷଭ ରାଜନ୍‌ଙ୍କ ନେତୃତ୍ବରେ ଗଛକଟା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ରବିବାର ଏକ ଚିଠି ଲେଖି ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ; ଯାହାକୁ ପ୍ରଧାନ ବିଚାରପତି ନିଜ ଆଡ଼ୁ ଜନସ୍ବାର୍ଥ ସମ୍ବଳିତ ମାମଲା ଭାବେ ଗ୍ରହଣ କରିବା ସହ ଏହାର ତ୍ବରିତ ଶୁଣାଣି ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏକ ସ୍ବତନ୍ତ୍ର ପୀଠ ଗଠନ କରାଯାଇଥିଲା। ସୋମବାର ସ୍ବତନ୍ତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା।

ଅପରପକ୍ଷରେ ଶୁକ୍ରବାର ବମ୍ବେ ହାଇକୋର୍ଟ ଗଛକଟା ଉପରେ ରହିତାଦେଶ ଦେବାକୁ ମନା କରିବା ମାତ୍ରେ ରାତିଅଧିଆ ପ୍ରଶାସନ ପକ୍ଷରୁ ସହସ୍ରାଧିକ ଗଛ କଟାଯାଇଥିଲା। ଏହାକୁ ବିରୋଧ କରି ଗିରଫ ହୋଇଥିବା ୨୯ ସ୍ଥାନୀୟ ଲୋକଙ୍କୁ ରବିବାର ଜାମିନ ମିଳିଛି । ଶନିବାର ପୁଲିସ ସହିତ ଧସ୍ତାଧସ୍ତିକୁ ନେଇ ସେମାନଙ୍କୁ ଗିରଫ କରାଯିବା ପରେ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏଥିସହିତ ଅଟକ ଥିବା ଅନ୍ୟ ୫୫ଜଣଙ୍କୁ ମଧ୍ୟ ମୁକ୍ତ କରାଯାଇଛି। ଅଟକଙ୍କ ମଧ୍ୟରେ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ, ଶୁଭା ରାଉଳ, ଏନ୍‌ସିପି ବିଧାୟକ ଜିତେନ୍ଦ୍ର ଅୱଧ ପ୍ରମୁଖ ଥିଲେ। ଜାମିନରେ ମୁକ୍ତ ହେବା ପରେ ସେମାନଙ୍କ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ପୁଲିସର ଅତ୍ୟଧିକ କ୍ଷମତା ପ୍ରୟୋଗ ବିରୋଧରେ ଅଭିଯୋଗ କରାଯାଇଛି। ଏହି ସମ୍ମିଳନୀରେ ଗଛକଟାକୁ ବିରୋଧ କରୁଥିବା ପରିବେଶ ସୁରକ୍ଷାକର୍ମୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଗଛ ସୁରକ୍ଷା ପାଇଁ ସେମାନେ ପୁନର୍ବାର ନିଜନିଜର ପ୍ରତିବଦ୍ଧତା ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମେଟ୍ରୋ ପ୍ରକଳ୍ପ ପାଇଁ ‘ଆରେ’ କଲୋନୀର ଜଙ୍ଗଲାଞ୍ଚଳରେ ୩୩ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି। ଏଠାରେ ଥିବା ୩୫୦୦ ଗଛରୁ ୨୨୩୮ଗଛ କଟା ଯିବାର ଯୋଜନା ରହିଛି। ଇତିମଧ୍ୟରେ ୧୦୦୦ ଗଛ କଟା ସରିଛି।

Comments are closed.