ବଟି ନ ଦେବାରୁ ଆଇସକ୍ରିମ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

କଟକ ଯୋବ୍ରା ଅଂଚଳରେ ବୃଦ୍ଧି ପାଉଛି ଅସାମାଜିକ କାର୍ଯ୍ୟକଳାପ

କଟକ ଯୋବ୍ରା ଅଂଚଳରେ ଆଜି ସନ୍ଧ୍ୟାରେ ଜଣେ ଆଇସକ୍ରିମ ମାଲିକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ଫଳରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୋବ୍ରା ଅଂଚଳର ସୁମନ ସାମଲ (୩୧) ନାମକ ଜଣେ ଯୁବକ ଦୁର୍ଗା ମନ୍ଦିର ନିକଟରେ ସେହିଠାରେ ଅମୂଲ ଉତ୍ପାଦର ଡିଷ୍ଟ୍ରିବ୍ୟୁଟର ଥିବା ପ୍ରଭାତ ସାହୁ (୪୫) ନାମକ ବ୍ୟକ୍ତିଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ସୁମନ ସାମଲ ସେହି ଅଂଚଳର ହୋଇଥିବା ବେଳେ ପ୍ରଭାତ ସାହୁ ଯାଜପୁର ମଙ୍ଗଳପୁର ଅଂଚଳର ବୋଲି ଜଣାପଡିଛି। ସେ ଯୋବ୍ରା ମଲା ସାହିରେ ରହି ବ୍ୟବସାୟ କରୁଛନ୍ତି।

ସୁମନ ଛୁରୀ ସାହାଯ୍ୟରେ ବାରମ୍ବାର ପ୍ରଭାତଙ୍କ ବେକ ପାଖରେ ଆକ୍ରମଣ କରିବାରୁ, ସେ ଲହୁଲୁହାଣ ଅବସ୍ଥାରେ ରାସ୍ତା ଉପରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା। ଏବେ ପ୍ରଭାତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସେ ପ୍ରଭାତଙ୍କୁ ପଇସା ମାଗିଥିବା ଓ ସେ ନ ଦେବା ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଛି।

ତେବେ କଟକ ଯୋବ୍ରା ଅଂଚଳରେ ଗତ ଏକ ବର୍ଷ ହେବ ଅସାମାଜିକ ଲୋକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ସନ୍ଧ୍ୟା ସମୟରେ ଖୋଲାଖୋଲି ମଦ୍ୟପାନ, ଗଂଜେଇ ସେବନ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବ୍ୟବହାର ହେଉଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ସେହି ଅଂଚଳରେ ଜଣେ ଚିକେନ ଦୋକାନୀ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଥିଲା। ସ୍ଥାନୀୟ ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁ ଏଭଳି କାର୍ଯ୍ୟ ବୃଦ୍ଧି ପାଉଥିବା କୁହାଯାଉଛି।

Comments are closed.