ତମାଦି ଇଞ୍ଜେକ୍‌ସନ୍‌ ନେଇ ଶିଶୁ ଗୁରୁତର

0

କଟକ : ସର୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ (ଶିଶୁ ଭବନ) କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ଜଣେ ଶିଶୁରୋଗୀ ଅବସ୍ଥା ସଂକଟାପନ୍ନ ହୋଇପଡିଛି। ଶିଶୁଟିକୁ ତମାଦି (ଏକ୍ସପାରୀ) ଇଞ୍ଜେକସନ ଦିଆଯିବାରୁ ତା’ର ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇଛି। ଏ ସମ୍ପର୍କରେ କର୍ତ୍ତୃପକ୍ଷ ଜାଣିବା ପରେ ଘଟଣାକୁ ଚପାଇ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଉକ୍ତ ଶିଶୁରୋଗୀକୁ ଏନସିଆର ୱାର୍ଡରୁ ଅନ୍ୟତ୍ର ସ୍ଥାନାନ୍ତର କରିଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲା ବ୍ରହ୍ମପୁର ବ୍ଲକର ସାହାଜନପୁର ଅଞ୍ଚଳର ଚିତ୍ତରଞ୍ଜନ ମହାନ୍ତିଙ୍କ ଝିଅ ପ୍ରତ୍ୟୁଷାଙ୍କୁ ଗୁରୁତର ଅବସ୍ଥାରେ ଫେବୃଆରୀ ୧୩ତାରିଖରେ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କୁ ଶିଶୁ ଭେଷଜ ବିଭାଗରେ ରଖାଯାଇ ଚିକିତ୍ସା କରାଯାଇଥିଲା। ୩ଦିନ ତଳେ ତାଙ୍କୁ ଏନଆରସି ୱାର୍ଡକୁ ପଠାଇ ଦିଆଯାଇଥିଲା। ପ୍ରତ୍ୟୁଷାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ନିରାମୟକୁ ଔଷଧ ଆଣିବାକୁ ପ୍ରେସ୍କ୍ରିପସନ ଲେଖିଥିଲେ। ଚିତ୍ତରଞ୍ଜନ ଡାକ୍ତରଙ୍କ ପ୍ରେସ୍କ୍ରିପସନ ନେଇ ନିରାୟମରୁ ଔଷଧ ଆଣିଥିଲେ। ତେବେ ନିରାମୟ କେନ୍ଦ୍ରରେ ତାଙ୍କୁ ୨ଟି ଏକ୍ସପାରୀ ଇଞ୍ଜେକସନ ଦିଆଯାଇଥିଲା। ସେ ଆଣି ୱାର୍ଡରେ ଡ୍ୟୁଟିରେ ଥିବା ସେବିକାଙ୍କୁ ତାହା ଦେଇଥିଲେ। ଦିଦି ତୁରନ୍ତ ଉକ୍ତ ଏକ୍ସପାରୀ ଇଞ୍ଜେକସନକୁ ପ୍ରତ୍ୟୁଷାଙ୍କୁ ଦେଇଥିଲେ। ଏହି ଇଞ୍ଜେକସନ ନେବା ପରେ ପ୍ରତ୍ୟୁଷାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଝିଅର ଦେହ ବିଗିଡି ଯିବାକୁ ଚିତ୍ତରଞ୍ଜନ ତୁରନ୍ତ ଡାକ୍ତରଙ୍କୁ କହିଥିଲେ। ବିଭାଗୀୟ ଡାକ୍ତର ପ୍ରତ୍ୟୁଷାଙ୍କ କୌଣସି ଚିକିତ୍ସା କରିନଥିବା ଚିତ୍ତରଞ୍ଜନ ଅଭିଯୋଗ କରିଛନ୍ତି। ଚିତ୍ତରଞ୍ଜନଙ୍କ ସନ୍ଦେହ ହେବାରୁ ସେ ଉକ୍ତି ଇଞ୍ଜେକସନର ଖୋଳ ଦେଖିଥିଲେ। ସେଥିରେ ଇଞ୍ଜେକସନଟି ୨୦୧୭ ମାର୍ଚ୍ଚରେ ପ୍ରସ୍ତୁତ ହୋଇଥିବାବେଳେ ୨୦୧୯ ଫେବୃଆରୀ ଏକ୍ସପାରୀ ତାରିଖ ଉଲ୍ଲେଖ ରହିଥିବା ସେ ଦେଖିଥିଲେ। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାର ଅନୁଧ୍ୟାନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Leave A Reply