ପର୍ଯ୍ୟଟକମାନଙ୍କ ପାଇଁ ଲୋକାର୍ପିତ ହେଲା କଟକ ସିଲଭର୍‍ ସିଟି ବୋଟ୍‍ କ୍ଲବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକର ସିଲଭର ସିଟି ବୋଟ କ୍ଲବକୁ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକାର୍ପିତ କରିଛନ୍ତି। ମହାନଦୀ ଜଳ ଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ପର୍ଯ୍ୟଟନ ସହାୟତାରେ ଏହି ବୋଟ କ୍ଲବ୍‍କୁ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ସଂଯୋଗ କରିବା ପାଇଁ ଆମେ ଚିହ୍ନଟ କରିଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଉଛି। ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋରଞ୍ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ଭିତ୍ତିକ ପର୍ଯ୍ୟଟନ ହବ୍‍ ପ୍ରତିଷ୍ଠା କରିବାରେ ସହାୟତା କରିବ।

ସାଇକ୍ଲୋନ୍‍ ଫନି ଦ୍ୱାରା ପ୍ରତିକୂଳ ପ୍ରଭାବିତ ଏହି ବୋଟ କ୍ଲବରେ ଭିତ୍ତିଭୂମି ଏକ ଫ୍ଲୋଟିଂ ଜେଟି, ଲାଇଫଗାର୍ଡ, ଟଏଲେଟ୍‍ କମ୍ପେ୍ଲକ୍ସ, ରେଷ୍ଟୁରାଣ୍ଟ ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଏବଂ ପିଲାମାନଙ୍କ ଖେଳ ପଡ଼ିଆ ସହିତ ଏକ ପାର୍କ ଅନ୍ତର୍ଭୁକ୍ତ କରିବା ପାଇଁ ନବୀକରଣ କରାଯାଇଛି। ଅତିରିକ୍ତ ଭାସମାନ ଜେଟି ଯୋଡିବା ପାଇଁ ଭିତ୍ତିଭୂମି ପର୍ଯ୍ୟାୟକ୍ରମେ ଆହୁରି ବୃଦ୍ଧି କରାଯିବ। ବୋଟ କ୍ଲବରେ କାର୍ଯ୍ୟକ୍ଷମ ହେବାକୁ ଥିବା କାର୍ଯ୍ୟକଳାପରେ ଜେଟ ସ୍କି, ସ୍ପିଡ୍‍ ବୋଟ, ଡେ କ୍ରୁଜ୍‍, ବାନାନା ବୋଟ, ଇନଫ୍ଲେଟେବୁଲ୍‍ ବୋଟ୍‍, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଙ୍ଗ, ପେଡାଲ୍‍ ବୋଟ୍‍, ସ୍କୁବା ଡାଇଭିଂକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅପରେଟରମାନଙ୍କୁ ସାଧାରଣ ଭିତ୍ତିଭୂମି ଏବଂ ଉପଭୋକ୍ତା ଫି ମଡେଲରେ ପରିଚାଳନା କରିବାକୁ ଅନୁମତି ଦିଆଯିବ।

ଏହି ଅବସରରେ ସାଂସଦ ସୁୂବାସ ସିଂ ସିଲଭର ସିଟି କ୍ଲବରେ ରାତି ରହଣି ପାଇଁ ଅତିରିକ୍ତ ଗୃହ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ଯାହା ବିଭିନ୍ନ କୋଣରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ସେ କହିଛନ୍ତି, ରାଜ୍ୟର ସୁବର୍ଣ୍ଣ ତ୍ରିଭୁଜରେ କଟକ ସହରକୁ ସଂଯୋଗ କରାଗଲେ ତାହା ପର୍ଯ୍ୟଟକଙ୍କୁ କଟକ ଭ୍ରମଣର ସୁଯୋଗ ସୃଷ୍ଟି କରିବ। ସାଂସଦ ଭତୃହରି ମହତାବ ସାମୁଦ୍ରିକ ସଂଗ୍ରାହଳୟକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ଏବଂ ନିକଟସ୍ଥ ଅନ୍ୟ ପର୍ଯ୍ୟଟନ ସ୍ଥାନଗୁଡ଼ିକର ସମ୍ଭାବନାକୁ ଅନୁସନ୍ଧାନ କରି ଭିତ୍ତିଭୁମିର ବିକାଶ କରିବା ପାଇଁ ଅନୁରୋଧ କରିଛନ୍ତି।

ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ସମଗ୍ର ରାଜ୍ୟରେ ନିଦ୍ଦିଷ୍ଟ ପର୍ଯ୍ୟଟନ ସ୍ଥଳୀର ବିକାଶ ରଣନୀତି ବିଷୟରେ କହିଥିଲେ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ ଏହି ପ୍ରକଳ୍ପ ମୌଳିକ ଭିତ୍ତିଭୂମି ସହିତ ଏକାଧିକ ଜଳକ୍ରୀଡ଼ା ଅପରେଟରଙ୍କୁ ସମର୍ଥନ କରିବ ଏବଂ କଟକ ତଥା ନିକଟବର୍ତ୍ତୀ ଜିଲ୍ଲାମାନଙ୍କରେ ଜଳ ଭିତ୍ତିକ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏହା ତିଆରି ହୋଇଛି। ଅଦ୍ୟାବଧି ଦୁଇଗୋଟି ଅପରେଟର ଜଳକ୍ରୀଡ଼ା କରିବା ପାଇଁ ସ୍ଥିରିକୃତ କରାଯାଇଛି ଏବଂ ପରବର୍ତ୍ତୀ ସମୟରେ ଅଧିକ ଅପରେଟରଙ୍କୁ ନିୟୋଜନ କରିବା ପାଇଁ ପଦକ୍ଷେପ ନିଆଯାଉଅଛି।

Comments
Loading...