କଟକ ବଡ଼ ଡାକ୍ତରଖାନା – ବଢ଼ିବ ୧୦୦ଶଯ୍ୟା, ୪୧ ଆଇସିୟୁ

କଟକ: ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଶୀର୍ଷରେ ରହିଛି। ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖାଦେଲାଣି। କେବଳ ଶଯ୍ୟା ନୁହେଁ, ଗୁରୁତର ସଂକ୍ରମିତଙ୍କ ପାଇଁ କଟକ ଜିଲା ସମେତ ସହରରେ କୌଣସି କୋଭିଡ଼ ଚିକିତ୍ସାଳୟରେ ଶଯ୍ୟା ନାହିଁ। ବହୁ ଗୁରୁତର ରୋଗୀ ଶଯ୍ୟା ଅଭାବରୁ ଛଟପଟ ହୋଇ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରେ ଆଇସିୟୁ ଓ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି କଟକ ବଡ଼ ଡାକ୍ତରଖାନାରେ ଆଉ ୧୦୦ସାଧାରଣ ଏବଂ ୪୧ଟି ଆଇସିୟୁ ଶଯ୍ୟା ବୃଦ୍ଧି କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯକ୍ଷ୍ମା ଓ ଛାତିରୋଗ ବିଭାଗରେ ଉତ୍କୃଷ୍ଟ କେନ୍ଦ୍ରରେ ଉଭୟ ଆଇସିୟୁ ଏବଂ ସାଧାରଣ କୋଭିଡ଼ ଶଯ୍ୟା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି।

ଏହି ବର୍ଦ୍ଧିତ ଶଯ୍ୟା କାର୍ଯ୍ୟକ୍ଷମ ହେବା ପରେ କଟକ ବଡ଼ ଡାକ୍ତରଖାନାର କୋଭିଡ଼ ବିଭାଗରେ ୬୦୦ଶଯ୍ୟା ଓ ୧୦୪ଟି ଆଇସିୟୁ ଶଯ୍ୟା ହେବ। ସେହିପରି ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସମ୍ପର୍କରେ ସମ୍ପର୍କୀୟଙ୍କୁ ସବିଶେଷ ତଥ୍ୟ ଦେବା ପାଇଁ କର୍ତ୍ତୃପକ୍ଷ ୨୪ଘଣ୍ଟିଆ ସୂଚନା କେନ୍ଦ୍ର ସ୍ଥାପନ କରିଛନ୍ତି। ଏହି କେନ୍ଦ୍ର ଦ୍ୱାରା ରୋଗୀଙ୍କ ସମ୍ପର୍କରେ ସିବଶେଷ ସୂଚନା ଦିଆଯାଉଛି।

ପ୍ରକାଶ ଯେ, ରାଜ୍ୟରେ କରୋନାର ଦ୍ୱିତୀୟ ସଂକ୍ରମଣ ଆରମ୍ଭ ହେବା ପରେ କଟକ ବଡ଼ ଡାକ୍ତରଖାନାରେ ପ୍ରଥମେ ୩୧୫ଶଯ୍ୟା ଏବଂ ୩୦ଶଯ୍ୟାର ଆଇସିୟୁ କାର୍ଯ୍ୟକ୍ଷମ ହୋଇଥିଲା। ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାର ଚକ୍ଷୁରୋଗ ବିଭାଗ, ନୂଆ ଭେଷଜ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବର୍ତ୍ତମାନ ସ୍ୱତନ୍ତ୍ର କୋଭଡ଼ ବିଭାଗରେ ରୋଗୀ ଚିକିତ୍ସା କରାଯାଉଛି। ଚକ୍ଷୁ ବିଭାଗରେ ୨୩୦ଶଯ୍ୟା ସହିତ ୨୩ଟି ଆଇସିୟୁ ଶଯ୍ୟା, ନୂଆ ଭେଷଜ ବିଭାଗରେ ୨୪୦ଶଯ୍ୟା ଏବଂ ୪୦ଶଯ୍ୟାର ଆଇସିୟୁ, ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୩୦ଶଯ୍ୟା ସହିତ ୨ଟି ସ୍ୱ ତନ୍ତ୍ର ପ୍ରସୂତି ଟେବୁଲ ଏବଂ କୋଭିଡ଼ ଆକ୍ରାନ୍ତ ପ୍ରସୂତିଙ୍କ ଅସ୍ତ୍ରୋପଚାର ପାଇଁ ସ୍ୱତନ୍ତ୍ର ଅସ୍ତ୍ରୋପଚାର ଗୃହ ମଧ୍ୟ ପ୍ରସ୍ତୁତ କରାଯାଇଛି। ଦୈନିକ ୫ରୁ ୧୦ଜଣ କୋଭିଡ଼ ସଂକ୍ରମିତ ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଯାଉଥିବା ଜଣାପଡ଼ିଛି। ବୃକ୍‍କ ରୋଗରେ ପୀଡିତ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାରେ ୨୦ଶଯ୍ୟାର ଡାଏଲିସିସ ବ୍ୟବସ୍ଥା ମଧ୍ୟ ହୋଇଛି।

ସେହିପରି ଡାକ୍ତରଖାନାରେ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଫିଭର କ୍ଲିନିକ ମଧ୍ୟ ଖୋଲାଯାଇଛି। ଯେଉଁଠି ଦୈନିକ ୩୫୦ରୁ ୪୦୦ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩୫ରୁ ୪୦ଜଣ ରୋଗୀ କରୋନା ବିଭାଗରେ ଭର୍ତ୍ତି ହେଉଛନ୍ତି। ଏହି ସନ୍ଦିଗ୍ଧଙ୍କ ସ୍ୱାବ ସଂଗ୍ରହ ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଟକ ବଡ଼ ଡାକ୍ତରଖାନା କରୋନା ବିଭାଗର ୪ଟି କେନ୍ଦ୍ରରେ ଜଣଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ସେମାନଙ୍କ କାର୍ଯ୍ୟକୁ ଜଣେ ଜଣେ ପ୍ରଫେସର ଅନୁଧ୍ୟାନ କରୁଛନ୍ତି। ସେହିପରି ବର୍ତ୍ତମାନ ବଡ଼ ଡାକ୍ତରଖାନାରେ ଅମ୍ଳଜାନର କୌଣସି ଅଭାବ ନାହିଁ। ଆବଶ୍ୟକତା ଅନୁଯାୟୀ ଡାକ୍ତରଖାନାରେ ଅମ୍ଳଜାନ ମହଜୁଦ ରହିଛି। ସଂକ୍ରମିତଙ୍କ ମୃତଦେହ ସଂରକ୍ଷଣ ରଖିବା ସକାଶେ ସ୍ୱତନ୍ତ୍ର ଗୃହ ଏବଂ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇ ମୃତଦେହଗୁଡିକୁ ସୁରୁଖୁରୁରେ ଦାହ କରାଯାଉଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସଠିକ ପରିଚାଳନା ଯୋଗୁଁ ଡାକ୍ତରଖାନାରେ କୋଭିଡ଼ ରୋଗୀଙ୍କ ଚିକିତ୍ସାରେ ବିଶେଷ ସମସ୍ୟା ଦେଖାଦେଉନଥିବା ଜଣାପଡ଼ିଛି।

Comments are closed.