କଟକରେ ୬୦ ପ୍ରତିଶତ ମତଦାନ : ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍

କଟକ: ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ଜିଲାର ଗୋଟିଏ ଲୋକସଭା ଓ ୬ଟି ବିଧାନସଭା ଆସନରେ ମଙ୍ଗଳବାର ମୋଟାମୋଟିଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟଗ୍ରହଣ ଶେଷହୋଇଛି। ଜିଲାରେ ମୋଟ ୬୦ପ୍ରତିଶତ ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୪୨.୬୩ପ୍ରତିଶତ ମତଦାନ ହୋଇଥିବାବେଳେ କଟକ ସଦର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୬୭ପ୍ରତିଶତ ମତଦାନ ହୋଇଛି। ଚୌଦ୍ୱାର-କଟକରେ ୫୨ପ୍ରତିଶତ, ଆଠଗଡରେ ୬୨.୧%, ବାଙ୍କୀରେ ୬୩.୭% ଓ ବଡମ୍ବାରେ ୬୦.୧ପ୍ରତିଶତ ମତଦାନ ହୋଇଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। କଟକ ଲୋକସଭା ଆସନରେ ୫୯.୫୮ପ୍ରତିଶତ ଭୋଟଗ୍ରହଣ ହୋଇଛି। ସନ୍ଧ୍ୟାରେ ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀର ପୁଲିଂ ଟିମ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲରେ ଥିବା ଷ୍ଟ୍ରଙ୍ଗରୁମ ନିକଟରେ ପହଞ୍ଚିବାରେ ଲାଗିଛନ୍ତି। ରାତି ୧୧ଟା ସୁଦ୍ଧା ପୁଲିଂ ଦଳ ଷ୍ଟ୍ରଙ୍ଗ ରୁମରେ ଇଭିଏ ଦାଖଲ କରିବାର ସମ୍ଭାବନା ରହିଛି। ଭୋଟ ଗ୍ରହଣ ଶେଷ ହେବା ପରେ ଜିଲାର ୬ଟି ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୩ଜଣ ପ୍ରାର୍ଥୀ ଓ ଗୋଟିଏ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ମେ ୨୩ତାରିଖରେ ଭୋଟଗଣତି ହେବ।
ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସକାଳ ୭ଟାରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜିଲାର ୨୨୪୬ଟି ବୁଥ୍‍ରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଅପରାହ୍ଣ ୬ଟା ସୁଦ୍ଧା ଏକାଧିକ ବୁଥରେ ଶହ ଶହ ମତଦାତା ଭୋଟ ଦେଇପାରିନଥିଲେ। ଏହିସବୁ ବୁଥରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ନାମ ତାଲିକାରେ ବହୁ ବ୍ୟକ୍ତିଙ୍କ ନାମ ବାଦ୍‍ ପଡିବା ଘଟଣାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ମତଦାନ କରିବାକୁ ବହୁ ଭୋଟର ଭୋଟଗ୍ରହଣ କେନ୍ଦ୍ରକୁ ଯାଇଥିଲେ ମଧ୍ୟ ନାମ ତାଲିକାରେ ନାଁ ଥିବାରୁ ନିରାଶ ହୋଇ ଫେରିଥିଲେ। ପୂର୍ବ ନିର୍ବାଚନରେ ଅନେକ ଭୋଟର ମତଦାନ କରିଥିଲେ ମଧ୍ୟ ଚଳିତ ନିର୍ବାଚନରେ ସେମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍‍ ପଡିଥିବା ବହୁ ଭୋଟର ଅଭିଯୋଗ କରିଛନ୍ତି। ଏହାକୁ ନେଇ କେତେକ ବୁଥ ନିକଟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ଲୋକସଭା ପ୍ରାର୍ଥୀ ମନ୍ତ୍ରୀ ପ୍ରକାଶ ମିଶ୍ର, ବାରବାଟୀ-କଟକର ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ, ବିଜେପି ପ୍ରାର୍ଥୀ ସମୀର ଦେ, ଚୌଦ୍ୱାର-କଟକ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଜଗଦୀଶ ମହାନ୍ତି, ବିଜେପି ପ୍ରାର୍ଥୀ ନୟନକିଶୋର ମହାନ୍ତି, ବିଜେଡି ପ୍ରାର୍ଥୀ ସୌଭିକ ବିଶ୍ୱାଳ, ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ, ସ୍ୱାଧୀନ ପ୍ରାର୍ଥୀ ଶୁଭେନ୍ଦୁ ମହାନ୍ତି, ସାଂସଦ ପ୍ରାର୍ଥୀ ବୃନ୍ଦାବନ ଆଜାଦ, ପୂର୍ବତନ ମେୟର ନିବେଦିତା ପ୍ରଧାନ, କର୍ପୋରେଟର ମଧୁସୂଦନ ସାହୁ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ପ୍ରମୁଖ ନିଜନିଜ ବୁଥରେ ମତଦାନ କରିଥିଲେ।
ପ୍ରକାଶ ଥାଉକି, ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଚଳିତବର୍ଷ ଜିଲା ପ୍ରଶାସନ ଓ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ନିର୍ବାଚନ ପରିଚାଳନା ଦାୟିତ୍ୱରେ ମୋଟ ୧୮ହଜାରରୁ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲା। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବା ପାଇଁ ୫ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୨୨ଇନସପେକ୍ଟର, ୧୦ଜଣ ଏସିପି, ୪ଏଡିସିପି ଓ ଡିସିପି ସୁରକ୍ଷା ଦାୟିତ୍ୱରେ ରହିଥିଲେ। ୧୧ପ୍ଲାଟୁନ ଫୋର୍ସ ଓ ୪ପ୍ଲାଟୁନ ଯବାନ ନିୟୋଜିତ ହୋଇଥିଲେ। ଏଥିସହିତ ୮ଟି ବୁଥ ଦାୟିତ୍ୱରେ ଜଣେ ସେକ୍ସନ ଅଫିସର ଓ ଗୋଟିଏ ପୁଲିସ ଟିମଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୫୧ଟି ମୋବାଇଲ ପାଟ୍ରୋଲିଂ ଓ ୧୦ଟି ବାଇକ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଜିଲାର ମୋଟ ୨୨୪୬ଟି ବୁଥ ମଧ୍ୟରୁ ୨୩୪ଟି ବୁଥକୁ ଉତ୍ତେଜନା ପ୍ରବଣଭାବେ ଚିହ୍ନଟ କରାଯାଇଥିଲା। ଜିଲାର ୬୬ଟି ବୁଥରେ ୱେବକାଷ୍ଟ କରାଯାଇଥିବାବେଳେ ୪୭ଟି ବୁଥରେ ଭିଡିଓ ରେକର୍ଡିଂ କରାଯାଇଥିଲା। କମିସନରେଟ ପୁଲିସ ଅନ୍ତର୍ଗତ ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୫ଟି ବୁଥକୁ ଅତି ଉତ୍ତେଜନା ପ୍ରବଣଭାବେ ଚିହ୍ନଟ କରାଯାଇଥିଲା। ଏହିସବୁ ବୁଥରେ ଜଣେ ଲେଖାଏଁ ଅଫିସର ଓ ୫ଜଣ ସିଆରପିଏଫ ଜବାନ ନିୟୋଜିତ ହୋଇଥିଲେ। ପ୍ରତ୍ୟେକ ଜୋନ୍‍ ଦାୟିତ୍ୱରେ ଜଣେ ଅତିରିକ୍ତ ଡିସିପି ଓ ସେକ୍ଟର ଦାୟିତ୍ୱରେ ଜଣେ ଏସ୍‍ଡିପିଓ ରହିଥିଲେ।

Comments are closed.