ସମବାୟ ଆନ୍ଦୋଳନ ପ୍ରଗତିର ପଥପ୍ରଦର୍ଶକ

ଓଡ଼ିଶାର ଅର୍ଥନୈତିକ ପ୍ରଗତିକୁ ସମବାୟ ଆନ୍ଦୋଳନ ଦିଗଦର୍ଶନ ଦେଇଥାଏ। ସମବାୟର ବଳିଷ୍ଠ ଚିନ୍ତାଧାରା, ଆଦର୍ଶ ଚିନ୍ତନ, ଠିକ୍‌ ଦିଗଦର୍ଶନ ତା’ର ସଭ୍ୟମାନଙ୍କୁ ସ୍ବାବଲମ୍ବୀ କରିବା ସହିତ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ଘଟାଇଥାଏ। ସମବାୟ ସଂସ୍ଥାଗୁଡ଼ିକ କମ୍ପାନୀ, ଚିଟ୍‌ଫଣ୍ଡ, ଏନ୍‌ଜିଓ, ଟ୍ରଷ୍ଟ, ନନବ୍ୟାଙ୍କିଙ୍ଗ୍‌ ଓ ମାଇକ୍ରୋଫାଇନାନ୍‌ସ ଭଳି ସଂସ୍ଥା ନୁହେଁ। ସମବାୟ ସଂସ୍ଥାଗୁଡିକ ସଭ୍ୟମାନଙ୍କ ଦ୍ବାରା ଗଠିତ, ନିୟନ୍ତ୍ରିତ, ଶାସିତ ଓ ପରିଚାଳିତ। ଆଉ ମଧ୍ୟ ଏହି ସଂସ୍ଥାଗୁଡ଼ିକ ଗଣତାନ୍ତ୍ରିକ ଓ ଯୁଗ ଅଧିକାର ଭିତ୍ତିରେ କାର୍ଯ୍ୟ କରିଥାଏ। ସଭ୍ୟମାନେ ସକ୍ରିୟ ହେଲେ ସମବାୟ ସଂସ୍ଥା ଉତ୍ତମରୂପେ କାର୍ଯ୍ୟ କରିବ। ସଭ୍ୟମାନେ ପରିଚାଳନା ପରିଷଦ ଗଠନ ବ୍ୟାବସାୟିକ କାର୍ଯ୍ୟ, ଲାଭକ୍ଷତି, ମୂଲ୍ୟବୋଧ, ସାମାଜିକ ଦାୟିତ୍ବ ଭଳି ସମସ୍ତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଦରକାର। ପରିଚାଳନା ପରିଷଦକୁ ସଠିକ୍‌ ପରିଚାଳନା ମଣ୍ଡଳୀ ନିର୍ବାଚିତ କରିବା ଦରକାର। ସେବା ପ୍ରଦାନ ଓ ସେବା ଗ୍ରହଣ ସଭ୍ୟମାନଙ୍କର ପ୍ରଥମ କର୍ତ୍ତବ୍ୟ ସହିତ ସଭ୍ୟମାନଙ୍କର ନିଷ୍ଠା, ସହଯୋଗ ଓ କର୍ତ୍ତବ୍ୟ ପରାୟଣତା ମାଧ୍ୟମରେ ସମବାୟ ବ୍ୟାବସାୟିକ ବିକାଶ ହୋଇଥାଏ। ଠିକ୍‌ ବ୍ୟବସାୟ, ଠିକ୍‌ ଲାଭକ୍ଷତି, ଠିକ୍‌ ପରିଚାଳନା, ଠିକ୍‌ ନିଷ୍ପତ୍ତି ହେଉଛି ଗୋଟିଏ ଠିକ୍‌ ସମବାୟ ଅନୁଷ୍ଠାନର ମୂଳମନ୍ତ୍ର। ଏଣୁ ସଠିକତା ନିର୍ଣ୍ଣୟ ପାଇଁ ସଭ୍ୟମାନେ ସଚେତନ ହେବା ଏକାନ୍ତ ଜରୁରୀ।
ଦେଶ ସ୍ବାଧୀନ ହେଲା ପରେ ଆମର ନେତାମାନେ ସମବାୟ ଆନ୍ଦୋଳନର ମୂଳମନ୍ତ୍ରକୁ ଦେଶ, ଜାତି ଓ ସଂପ୍ରଦାୟ ବିଶେଷଙ୍କର କଲ୍ୟାଣ ପାଇଁ ଆଧାର କରିଥିଲେ, ଯଦିଓ ୧୯୦୪ ଓ ୧୯୧୨ ସମବାୟ ଆଇନ୍‌ ପ୍ରଚଳନ ହେବାପରେ ଏହି ଆନ୍ଦୋଳନ ୧୯୧୪ ମସିହାରେ ଇଂରେଜ ଶାସନକାଳରେ ଭାରତରେ ଆରମ୍ଭ ହୋଇଥିଲା। ମାତ୍ର ଓଡ଼ିଶାରେ ୧୮୯୭ ମସିହାରୁ କୁଳବୃଦ୍ଧ ମଧୁସୂଦନ ଦାସ ଆମ ଓଡ଼ିଆ ଲୋକଙ୍କର ଦାରିଦ୍ର୍ୟ, ଦୁଃଖକଷ୍ଟ ନିବାରଣ ପାଇଁ ସମବାୟ ଆନ୍ଦୋଳନର ପ୍ରଚଳନକୁ ଏକ ବଳିଷ୍ଠ ପଦକ୍ଷେପ ବୋଲି ହୃଦୟଙ୍ଗମ କରିଥିଲେ। ଏହି ଆନ୍ଦୋଳନକୁ ଅଧିକ ଲୋକପ୍ରିୟ କରିବା ପାଇଁ ସେ ଉତ୍କଳ ଟ୍ୟାନେରୀ, କଟକ କଞ୍ଜ୍ୟୁମର ଷ୍ଟୋର, ବୁଣାକାର ସମବାୟ ସମିତି, ଚାଷି ମୂଲିଆ ସମବାୟ ସମିତି ଇତ୍ୟାଦି ଅନେକ ସମବାୟ ସଂସ୍ଥା ଗଠନକରି ସେଗୁଡ଼ିକ କିପରି ସୁପରିଚାଳିତ ହେବ ଏଥିପ୍ରତି ତୀକ୍ଷ୍ଣ ନଜର ରଖିବା ସହିତ ନିଜେ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ହରିବଲ୍ଲଭ ଘୋଷ କହିଥିଲେ କି ମଧୁବାବୁ ଉତ୍କଳୀୟ ତନ୍ତି, ମୋଚି, ତାରକସି କାମ ଶିଳ୍ପୀଙ୍କର ସାମୂହିକ ଉନ୍ନତି ତଥା ଶିଳ୍ପୋନ୍ନତି ପାଇଁ ବିଭିନ୍ନ ସଭା ମାଧ୍ୟମରେ ଲୋକମାନଙ୍କୁ ବୁଝାଉଥିଲେ ଓ ବ୍ୟକ୍ତିଗତ ଭାବେ ସେ କଠୋର ପରିଶ୍ରମ କରି ଓଡ଼ିଶା ଭଳି ଅନଗ୍ରସର ରାଜ୍ୟରେ ଓଡ଼ିଆ ଶିଳ୍ପୀମାନଙ୍କର ସାମୂହିକ ଉନ୍ନତି ଓ ବିକାଶ ଲାଗି ମନପ୍ରାଣରେ ଲାଗି ପଡ଼ିଥିଲେ। ସେ ଓଡ଼ିଆଙ୍କର ଆଙ୍ଗୁଠିର କରାମତିର ମହତ୍ତ୍ବକୁ ବେଶ୍‌ ଉପଲବ୍ଧି କରିଥିଲେ। ମଧୁବାବୁ ଓଡ଼ିଆଜାତିକୁ ଆତ୍ମନିର୍ଭରଶୀଳ ହେବାକୁ ସର୍ବଦା ଆହ୍ବାନ ଦେଉଥିଲେ। ମଧୁବାବୁ ଓଡ଼ିଶାକୁ ଭାଷାଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ନାରୀଶିକ୍ଷା, କଲକାତାରେ ଓଡ଼ିଆ ବିଦ୍ୟାଳୟ ସ୍ଥାପନ, ସମବାୟ ଚାଷର ପ୍ରଚଳନ, ମୃତ୍ତିକା ପରୀକ୍ଷା, ତାଲିମ୍‌, ସାର ଓ ବିହନର ପ୍ରୟୋଗ ଇତ୍ୟାଦି ଗ୍ରାମ୍ୟଶିଳ୍ପ ସ୍ଥାପନ କରିଥିଲେ। ଏ ସବୁ ସମବାୟ ଦ୍ବାରା ସଠିକ୍‌ ପରିଚାଳନା କରାଗଲେ ରାଜ୍ୟ ସମୃଦ୍ଧ ହୋଇପାରିବ ବୋଲି ତାଙ୍କର ମତ ଥିଲା। ଏହି ସବୁ କାର୍ଯ୍ୟ ଦ୍ବାରା ସମବାୟ ଆନ୍ଦୋଳନ ଓଡ଼ିଶାରେ ସଫଳ ହୋଇଥିଲା।
ଆମ ଦେଶର ସମବାୟ କ୍ଷେତ୍ରର ଇତିହାସ ବା ଅତୀତ ଏକାନ୍ତ ଭାବରେ ଗୌରବମୟ, ଏଥିରେ ଦ୍ବିମତ ହେବାର ପ୍ରଶ୍ନ ଉଠୁନାହିଁ। ଗ୍ରାମ୍ୟ ଋଣ ତଦନ୍ତ କମିଟି ସୁପାରିସ କାର୍ଯ୍ୟକାରୀ କରିବାକୁ ଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନୀତିଗତ ଭାବେ ଗ୍ରାମୀଣ କୃଷି ଅର୍ଥନୀତିର ବିକାଶ ପାଇଁ ସମବାୟ କ୍ଷେତ୍ରକୁ ଏକମାତ୍ର ମାଧ୍ୟମରୂପେ ଆଦରି ନେଇ ପ୍ରଭୂତ ପରିମାଣର ଅଂଶଧନ, ଋଣ ଓ ସହାୟତା ପ୍ରଦାନ କରିବା ଦ୍ବାରା ଏହା ଏକ ବଳିଷ୍ଠ ଆନ୍ଦୋଳନ ରୂପେ ଭାରତର ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଜାଲ ବିଛାଇ ଦେବାରେ ସକ୍ଷମ ହୋଇ ପାରିଥିଲା। ଗାଁରେ ସେବା ସମିତିଠାରୁ ଆରମ୍ଭ କରି ରାଜ୍ୟ ତଥା ଜାତୀୟସ୍ତର ପର୍ଯ୍ୟନ୍ତ ପ୍ରାଥମିକ ପାଇକାରୀ ଭଣ୍ଡାର, ଆଞ୍ଚଳିକ ବାଣିଜ୍ୟସମିତି, ଶୀତଳଭଣ୍ଡାର, ନିୟନ୍ତ୍ରିତ ବଜାର କମିଟି, ତେଲକଳ, ଚିନିକଳ, ଝୋଟକଳ, ଦୁଗ୍ଧ ଶିତଳୀକରଣ, ହସ୍ତତନ୍ତ୍ର, ମତ୍ସ୍ୟଚାଷ, ଔଷଧ ତିଆରି କାରଖାନା, ପଇଡ଼ ବ୍ୟବସାୟ, ଧାନକଳ, ଚୁଡ଼ାକଳ, କତାଶିଳ୍ପ ତଥା ଅନେକ ଛୋଟବଡ଼ ଶିଳ୍ପ ସମିତିମାନ ଖୋଲି ଏହି କ୍ଷେତ୍ରରେ ଅଭୂତପୂର୍ବ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି କରିଥିଲେ। ଦେଖିଲେ ମନେ ହେଉଥିଲା ହୁଏତ ଏ ଦେଶର ଗ୍ରାମୀଣ ଆର୍ଥିକ ବିକାଶର ଚାବିକାଠି ସମବାୟ କ୍ଷେତ୍ରର ହାତମୁଠା ଭିତରେ ହିଁ ନିହିତ ଥିଲା, ହୁଏତ ଆଉ କେତେଟା ପଞ୍ଚବାର୍ଷିକ ଯୋଜନାରେ ଏମିତି ସରକାରୀ ସହାୟତା ଉପଲବ୍ଧ ହୋଇଥିଲେ ଏହି କ୍ଷେତ୍ର ତା’ର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇ ଦେଶରେ ଗାନ୍ଧିଜୀଙ୍କ ରାମରାଜ୍ୟର ମୂଳଭିତ୍ତି ପକାଇବାରେ ସକ୍ଷମ ହୋଇପାରିଥା’ନ୍ତା। ହେଲେ କାଉ ଉଡ଼ିଲା ଆଉ ତାଳ ତଳକୁ ପଡ଼ିଲା ନ୍ୟାୟରେ ସରକାର ଜାତୀୟ ସ୍ତରରେ ଉଦାରୀକରଣ ଅର୍ଥନୀତିକୁ ଆଦରିନେଇ ସମବାୟ କ୍ଷେତ୍ରକୁ ତା’ର ପ୍ରଗତିର ମୂଳଉତ୍ସ ଆର୍ଥିକ ପ୍ରୋତ୍ସାହନ ପଥ ବନ୍ଦ କରିଦେଲେ। ଏହାଦ୍ବାରା ଏହାର ପ୍ରଗତିର ପଥ କେବଳ ରୁଦ୍ଧ ନକରି ଏହାକୁ ମୃତ୍ୟୁମୁଖୀ କରିଦେଇଥିଲେ। ମାତ୍ର ସମୟ ଆସିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୁଝିଲେଣି ଯେ ସମବାୟର ବିକାଶ ନିତାନ୍ତ ଆବଶ୍ୟକ। ସମବାୟର ଉନ୍ନତି ହୋଇପାରିଲେ ଦେଶର ଆର୍ଥିକ ଉତ୍‌ଥାନ ହୋଇପାରିବ।
ଆଜି ଭୋଟସର୍ବସ୍ବ ରାଜନୈତିକ ଦଳମାନେ ନିର୍ବାଚନ ପାଖେଇ ଆସିଲେ ଦେଶର ସର୍ବାଧିକ ସଂଖ୍ୟକ ଭୋଟର ବିବେଚିତ ହେଉଥିବା ଚାଷୀକୁଳକୁ ଅଣ୍ଡାଳିବା ନୀତିରେ କେତେବେଳେ ଋଣଛାଡ଼ର ପ୍ରଲୋଭନ ଓ କେତେବେଳେ ଚାଷୀକୁଳକୁ ଭତ୍ତା ପ୍ରଦାନ ସହିତ ଫସଲଭିତ୍ତିକ ପ୍ରୋତ୍ସାହନର ଲୋଭ ଦେଖାଇ ଭୋଟ ହାତଉଛନ୍ତି। ଭୋଟ ସରିଲେ ତୁ କିଏ ନା ମୁଁ କିଏ ନ୍ୟାୟରେ ସମୟ ଗଡ଼ାଇ ଚାଲନ୍ତି। କେବଳ ପ୍ରାଥମିକ କୃଷିସେବା ସମବାୟ ସମିତି ମଜଭୁତ କରିଦେଲେ ସମସ୍ୟାର ସମାଧାନ ହେବନାହିଁ, କାରଣ ବୈଦ୍ୟନାଥନ୍‌ଙ୍କ ସୁପାରିସ୍‌ କ୍ରମେ ଗ୍ରାମ୍ୟ ଚାଷୀଋଣ ସମିତି ଗୁଡ଼ିକର ମୂଳଭିତ୍ତି ମଜ୍‌ଭୁତ ହେବା ସଙ୍ଗେସଙ୍ଗେ କୃଷିଋଣ ଛାଡ଼ ଦ୍ବାରା ଚାଷୀର ଆର୍ଥିକ ସ୍ଥିତିର ନିଶ୍ଚିତ ପରିବର୍ତ୍ତନ ଆଣିପାରିବ।
ଏ​‌େ​‌ବ ଅଭାବୀ ବିକ୍ରି ସମସ୍ୟା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । କେବଳ ବଜାର ଅଭାବରୁ ଆମରାଜ୍ୟର ଏତେବଡ଼ ଝୋଟଚାଷ ବୁଡ଼ିଗଲାଣି। କପାଚାଷ ହେଉଥିଲେ ମଧ୍ୟ ସୂତାକଳ ବନ୍ଦ ହୋଇପଡ଼ିଛି। ଉତ୍କଳ ଟ୍ୟାନେରୀକୁ ନାମ ପରିବତ୍ତର୍ଜନ କରି ଲେବର କର୍ପୋରେସନ୍‌ ନାମ ଦେଇ ଏହି ସଂସ୍ଥାକୁ ବନ୍ଦ କରି ଦେଇଛନ୍ତି ସରକାର। ଶୀତଳ ଭଣ୍ଡାର ବନ୍ଦ ହୋଇପଡ଼ିଛି। ଆଞ୍ଚଳିକ ବାଣିଜ୍ୟ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରୁନାହିଁ। ଉକ୍ତ ସଂସ୍ଥାର ନିଜସ୍ବ ଜମିରେ ବସ୍ତି ଗଢ଼ି ଉଠିଲାଣି, ସମବାୟ ଗୃହନିର୍ମାଣ ସଂସ୍ଥା କାମ ନପାଇ ଦେବାଳିଆ ଅବସ୍ଥାରେ। ନିୟନ୍ତ୍ରିତ ବଜାର କମିଟି ଦ୍ବାରା ହାଟଗୁଡ଼ିକର ପରିଚାଳନାରେ ଦୁର୍ବଳତା ଦେଖାଗଲାଣି। କଞ୍ଜ୍ୟୁମର କୋ-ଅପରେଟିଭ ଷ୍ଟୋରଗୁଡ଼ିକ ବନ୍ଦ, ବଜାରରେ ଭେଜାଲ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି ଚାଷୀକୁଳର ମନକୁ ଦୁର୍ବଳ କରିଦେଲାଣି। ଏ ସବୁ ପରେ ମଧ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମବାୟ ଦ୍ବିତୀୟ ଭୋଟ କେନ୍ଦ୍ର। ଏ ସବୁର ପୁନଃ ଉଦ୍ଧାର ପାଇଁ ସମବାୟ ଆନ୍ଦୋଳନ ହିଁ ଏକମାତ୍ର ଉପାୟ। ଆନ୍ଦୋଳନ ଦ୍ବାରା ଚାଷୀ ଦୁଆରେ ଯେଉଁ ଫଳ ପହଞ୍ଚିବ ସେଥିରେ ବିକାଶର ସୂର୍ଯ୍ୟ ଉଦୟ ଆଶା ଜାଗ୍ରତ ହେବ। ଏହା ସମ୍ଭବ ହେଲେ ସାମାଜିକ ତଥା ଆର୍ଥିକ ପ୍ରଗତିର ରଥ ଆଗେଇବ।

ପ୍ରତାପ ଚନ୍ଦ୍ର ସାମଲ
ପୂର୍ବତନ ବ୍ୟାଙ୍କ ନିର୍ଦେଶକ ଓ ସମବାୟବିତ୍‌, ବଙ୍ଗାଳୀସାହି, କଟକ
ଦୂରଭାଷ : ୯୦୯୦୩୨୫୮୦୨

Comments are closed.