ଯୋଜନାର ବ୍ଲୁପ୍ରିଣ୍ଟ ଦିଅ, ଅର୍ଥର ଅଭାବ ରହିବ ନାହିଁ: ରାଜ୍ୟପାଳ

ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

କଟକ: ଯୋଜନାର ବ୍ଲୁପ୍ରିଣ୍ଟ ଦିଅ, ଅର୍ଥର ଅଭାବ ରହିବ ନାହିଁ । ମଧୁବାବୁଙ୍କ ସମାଧିପୀଠର  ସୌନ୍ଦର୍ଯ୍ୟକରଣ ନେଇ ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ ସମୟରେ ଏହିଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଗତକାଲି ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠର ଦୂରାବସ୍ଥା ସଂପର୍କରେ ଅବଗତ କରାଇଥିଲେ ।

ସମସ୍ୟା ସଂପର୍କରେ ଅବଗତ ହେଲାପରେ ପ୍ରଫେସର୍‌ ଲାଲ୍‌ କହିଥିଲେ ଯେ, ମଧୁବାବୁଙ୍କ ପ୍ରତି ତାଙ୍କ ହୃଦୟରେ ଯଥେଷ୍ଟ ଭକ୍ତି ଓ ଶ୍ରଦ୍ଧା ରହିଛି । ତେବେ ଏହି ସମାଧି ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ଏକ ସୁଚିନ୍ତିତ ଯୋଜନାର ଆବଶ୍ୟକତା ରହିଛି । ଯୋଜନା ଚୂଡ଼ାନ୍ତ ହେବାପରେ ଏଥିପାଇଁ ଅର୍ଥର ସମସ୍ୟା ରହିବ ନାହିଁ ବୋଲି କହିଥିଲେ । ସମାଧିପୀଠର ଉନ୍ନତିକରଣ ପାଇଁ ମେୟର ଏକ ଡିପିଆର୍‌ ପ୍ରସ୍ତୁତ କରିଥିବାର ମଞ୍ଚ ଠାରୁ ଜାଣିବା ପରେ ସେ ଏ ନେଇ ସନ୍ତୋଷବ୍ୟକ୍ତ କରିଥିଲେ ।

ସୂଚନାଯୋଗ୍ୟ, ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧିପୀଠଟି ଅବହେଳିତ ଅବସ୍ଥାରେ ରହିଛି ।  ପୀଠର ସୌନ୍ଦର୍ଯ୍ୟକରଣ ତଥା ଏହାକୁ ଜାତୀୟସ୍ମାରକୀର ମାନ୍ୟତା ପ୍ରଦାନ ଦାବିରେ ଗତ ୨ ବର୍ଷ ହେବ ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ନିରନ୍ତର ସଂଗ୍ରାମ ଜାରି ରହିଛି । ଏନେଇ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ, ମେୟର, ସିଏମ୍‌ସି କମିଶନର ଏବଂ  ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଏଥିସହ ମଧୁବାବୁଙ୍କ ସମାଧିପୀଠକୁ ସାଧାରଣ ଲୋକଙ୍କ ସହ ଯୋଡ଼ିବା ପାଇଁ ଗତ ସେପ୍ଟେମ୍ବର ୫ ତାରିଖରୁ ମଞ୍ଚ ପକ୍ଷରୁ ନିତ୍ୟ ପୂଜ୍ୟପୂଜା ଓ ସଫେଇ ଚାଲୁରହିଛି । ସ୍ମାରକପତ୍ର ପ୍ରଦାନ ସମୟରେ ମଞ୍ଚ ପକ୍ଷରୁ ସନ୍ତୋଷ ମହାରଣା, ଅଧିବକ୍ତା ଜଗନ୍ନାଥ ମହାନ୍ତି, ସତ୍ୟଜିତ ଗୋସ୍ୱାମୀ, ପ୍ରକାଶ ପଣ୍ଡା ଏବଂ ତାପସ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.