ଗୋପବନ୍ଧୁଙ୍କ ଶ୍ରାଦ୍ଧଦିବସ ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା: ବକ୍ତୃତାରେ ଜଗନ୍ନାଥ, ଶୁଭଶ୍ରୀ ଓ ଆବୃତ୍ତିରେ ତମନ୍ନା, ପୂର୍ବୀ ପ୍ରଥମ

କଟକ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ବକ୍ତୃତା ଏବଂ କବିତା ଆବୃତ୍ତି ପ୍ରତିଯୋଗିତା ମଙ୍ଗଳବାର ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଭାଗର ଆବୃତ୍ତି ପ୍ରତିଯୋଗିତାରେ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ତମନ୍ନା ଦାଶ ପ୍ରଥମ, ନୟାଗଡ଼ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶ୍ରେୟାଶ୍ରୀ ମିଶ୍ର ଦ୍ୱିତୀୟ ଏବଂ କଟକ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଦେବସ୍ମିତା ଦାଶ ତୃତୀୟସ୍ଥାନ ହାସଲ କରିଛନ୍ତି।

କନିଷ୍ଠ ବିଭାଗର ଆବୃତ୍ତି ପ୍ରତିଯୋଗିତାରେ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ପୂର୍ବୀ ଶତପଥୀ ପ୍ରଥମ, ଦିବ୍ୟାଂଶୁ ପଣ୍ଡା ଦ୍ୱିତୀୟ ଏବଂ ବାଲେଶ୍ୱର ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଚିରଞ୍ଜୀବ ବିଶ୍ୱାଳ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସେହିପରି ବକ୍ତୃତା ପ୍ରତିଯୋଗିତାର ବରିଷ୍ଠ ବିଭାଗରେ କଟକ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଛାତ୍ର ଜଗନ୍ନାଥ ମଲ୍ଲିକ ପ୍ରଥମ, ପୁରୀ ସତ୍ୟବାଦୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇସୋହମ ପ୍ରଧାନ ଦ୍ୱିତୀୟ ଏବଂ ଭୁବନେଶ୍ୱର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ସ୍ୱର୍ଣ୍ଣଦୀପା ସାହୁ ତୃତୀୟ ହୋଇଛନ୍ତି। ବକ୍ତୃତା ପ୍ରତିଯୋଗିତା କନିଷ୍ଠ ବିଭାଗରେ ବାଲେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସୁନହଟର ଛାତ୍ରୀ ଶୁଭଶ୍ରୀ ଏସ. ବିଶ୍ୱାଳ ପ୍ରଥମ, ପାରାଦ୍ୱୀପ ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଶୁଭଦର୍ଶିନୀ ମହାନ୍ତି ଏବଂ ଯାଜପୁର ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ଅଙ୍କିତା ରଣା ଯୁଗ୍ମ ଦ୍ୱିତୀୟ ଏବଂ ବାଲେଶ୍ୱର ସୁନାହଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଚିରଞ୍ଜୀବ ବିଶ୍ୱାଳ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଏହି ସବୁ ପ୍ରତିଯୋଗିତାରେ ବିଚାରକଭାବେ ବରିଷ୍ଠ ସାମ୍ବାଦିକ ଡ. ସତ୍ୟ ରାୟ, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦେଶିକା ଜୟନ୍ତୀମଞ୍ଜରୀ ରଥ, ବିଶିଷ୍ଟ ସମାଜସେବୀ ଚିତ୍ତ ମହାନ୍ତି, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ନୀଳିମା ପ୍ରିୟଦର୍ଶିନୀ, ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. ପ୍ରଭାବତୀ ପଣ୍ଡା, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଭା ପଟ୍ଟନାୟକ, ପୂର୍ବତନ ଆରକ୍ଷୀ ଅଧୀକ୍ଷକ କୃଷ୍ଣ ସାମଲ, ଅଧ୍ୟାପକ ଡ. ଚିତ୍ତ ସାହାଣୀ, ବରିଷ୍ଠ ଆଇନଜୀବୀ ଦେବସ୍ନାନ ଦାଶ, ଅଧ୍ୟାପକ ଡ. ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ ଏବଂ ସାହିତ୍ୟିକା ଗାୟତ୍ରୀ କର, ‘ସମାଜ’ର ଉପମୁଖ୍ୟ ସହସମ୍ପାଦିକା ମମତା ବିଶୋୟୀ ଯୋଗଦେଇଥିଲେ। ‘ସମାଜ’ ସମ୍ପାଦକ କାନନ ବିହାରୀ ଦାଶ, ‘ସମାଜ’ ମହାପ୍ରବନ୍ଧକ ଶିବରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ପରିଚାଳନା କରିଥିଲେ। ସୁନିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହାୟତା କରିଥିଲେ। ବିଚାରକମାନେ ବକ୍ତୃତା ପ୍ରତିଯୋଗିତାର ବିଷୟବସ୍ତୁ ଉପରେ ସୂଚନା ଦେବା ସହିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ଆଜି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀ ସଭାରେ ପୁରସ୍କୃତ କରାଯିବ।

Comments are closed.