୨୭୨୬ ଅପମୃତ୍ୟୁ ମାମଲା, ଅଧିକାରୀ ଅଭାବରୁ ତଦନ୍ତରେ ବାଧା

କଟକ: ପ୍ରତ୍ୟେକ ଦିନ ଏକାଧିକ ଅପମୃତ୍ୟୁ ମାମଲା(ୟୁଡି) ରୁଜୁ ହେଉଛି। ୨୦୨୧ରେ ଏହି ମାମଲା ସଂଖ୍ୟା ୨୭୨୬ ପାର ହୋଇଛି। ଏଭଳି ଅପମୃତ୍ୟୁ ମାମଲା ବୋଝରେ ଏବେ ମଙ୍ଗଳାବାଗ ଥାନା ପୋତି ହୋଇଗଲାଣି। ରାଜ୍ୟର ସର୍ବବୃହତ ଚିକିତ୍ସାଳୟ କଟକ ବଡ ଡାକ୍ତରଖାନା ଏହି ଥାନା ଅଧୀନରେ ରହିଛି। ଥାନା ଅଞ୍ଚଳ ସମେତ ମେଡିକାଲ ସମ୍ପର୍କିତ ଅପମୃତ୍ୟୁ ମାମଲା ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥାଲଏ। ୬ ବର୍ଷ ମଧ୍ୟରେ କେବଳ ଅପମୃତ୍ୟୁ ମାମଲା ସଂଖ୍ୟା ୧୪ ହଜାର ପହଞ୍ଚିଛି। ସେହି ଅନୁପାତରେ ମାମଲାଗୁଡ଼ିକର ତଦନ୍ତ ପାଇଁ ଥାନାରେ ଆବଶ୍ୟକ ସଂଖ୍ୟକ ଅଫିସର ନ ଥିବାରୁ ବେଳକୁ ବେଳ ସଂଖ୍ୟା ବଢ଼଼ିବାରେ ଲାଗିଛି। ଅନ୍ୟପକ୍ଷରେ ଯେତିକି ଅଫିସର ଥାନାରେ ରହିଛନ୍ତି ଜଣ ଜଣକରି ସେମାନଙ୍କ ଭାଗରେ ୧୫ରୁ ଅଧିକ ଅପମୃତ୍ୟୁ ମାମଲାର ତଦନ୍ତଭାର ପଡୁଛି। ଫଳରେ ଅନ୍ୟ ମାମଲା ସହିତ ଅପମୃତ୍ୟୁ ମାମଲାର ତଦନ୍ତରେ ବାଧା ଉପୁଜୁଛି।

କଟକ ବଡଡାକ୍ତରଖାନାରେ ସନ୍ଦେହ ବା ଅପ୍ରାକୃତିକ ଭାବେ ମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ କରାଯାଇଥାଏ। ଏହି ଡାକ୍ତରଖାନାରେ ଯଦି ଜଣେ ଚିକିତ୍ସାଧୀନ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥାଏ। ମୃତକଙ୍କ ଶବକୁ ମେଡିକୋ ଲିଗାଲ ମାମଲା ଅନୁସାରେ ବ୍ୟବଚ୍ଛେଦ କରାଯାଇଥାଏ। ଦୁର୍ଘଟଣାଗ୍ରସ୍ତ ମୃତକ ଏବଂ ଚିକିତ୍ସା ପାଇବା ପୂର୍ବରୁ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବକୁ ମଧ୍ୟ କେତେକାଂଶରେ ବ୍ୟବଚ୍ଛେଦ କରାଯାଇଥାଏ। ଏପଟେ ବ୍ୟବଚ୍ଛେଦ ନେଇ କେତେକ ସ୍ୱତନ୍ତ୍ର ପ୍ରକ୍ରିୟା ମଧ୍ୟ ରହିଛି। ପ୍ରଥମେ ଡାକ୍ତରଖାନା ପକ୍ଷରୁ ମୃତକଙ୍କ ସମ୍ପର୍କରେ ମଙ୍ଗଳାବାଗ ଥାନାକୁ ଅବଗତ କରାଯାଇଥାଏ। ଡାକ୍ତରଖାନାରୁ ରୋଗୀ ମୃତ୍ୟୁ ସମ୍ପର୍କରେ ମେମୋ ଯିବା ପରେ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥାଏ। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇଥାଏ। ପ୍ରତ୍ୟେକ ଦିନ ଶହଶହ ରୋଗୀ ଆସି ବଡ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ରୋଗୀଙ୍କର ମୃତ୍ୟୁ ଘଟିଥାଏ। ବିବାଦୀୟ ମୃତ୍ୟୁ ଘଟଣାରେ ୟୁଡି ମାମଲା ରୁଜୁ ହେଉଛି। ତେଣୁ ମଙ୍ଗଳାବାଗ ଥାନାରେ ପ୍ରତ୍ୟେକ ବର୍ଷ ୨ ହଜାରରୁ ଅଧିକ ୟୁଡି ମାମଲା ରୁଜୁ ହେଉଛି। ମିଳିଥିବା ତଥ୍ୟ ଅନୁସାରେ ୨୦୧୬ ମସିହାରେ ୨୦୨୬ଟି, ୨୦୧୭ରେ ୨୦୫୮ଟି, ୨୦୧୮ରେ ୨୪୧୨ଟି, ୨୦୧୯ରେ ୨୫୫୫ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଆଶ୍ଚର୍ଯ୍ୟର ବିଷୟ ହେଲା କି କରୋନା ମହାମାରୀରେ ମଧ୍ୟ ଅପମୃତ୍ୟୁ ମାମଲା ଉପରେ କୌଣସି ପ୍ରଭାବ ପଡ଼ିପାରି ନାହିଛି। ୨୦୨୦ ମସିହାରେ ୨୩୧୧ଟି ଏବଂ ୨୦୨୧ରେ ୨୭୨୬ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହି ଅନୁସାରେ ଗଲା ୬ବର୍ଷରେ ୧୪ ହଜାର ୮୮ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମାମଲା ଅନୁଯାୟୀ, ତଦନ୍ତ ଠିକ୍‌ ସମୟରେ ଶେଷ ହେଉ ନ ଥିବାରୁ ଅଧାରୁ ଅଧିକ ମାମଲା ଏବେ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ମୁଖ୍ୟତଃ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କାର୍ଯ୍ୟ ଏସ୍‌ଆଇ କିମ୍ବା ଏଏସ୍‌ଆଇ ପାହ୍ୟାର ଅଫିସର କରିଥାନ୍ତି। ଥାନାରେ ଅଫିସର ସଂଖ୍ୟା ଆବଶ୍ୟକତାଠାରୁ ଯଥେଷ୍ଟ କମ୍‍ ରହିଥିବାରୁ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସୂଚନା ଅନୁଯାୟୀ ଥାନାରେ ଏବେ ୮ଜଣ ଏସଆଇ ଏବଂ ୯ ଜଣ ଏଏସଆଇ ରହିଛନ୍ତି। ଫଳରେ ଜଣେ ଲେଖାଏଁ ଅଫିସରଙ୍କ ଭାଗରେ ମାସକୁ ଅତି କମରେ ୧୫/୨୦ ଅପମୃତ୍ୟୁ ମାମଲା ପଡୁଥିବାରୁ ଅନ୍ୟ ଅପରାଧୀକ ମାମଲାଗୁଡ଼ିକର ତଦନ୍ତ ପ୍ରଭାବିତ ହେଉଛି।

Comments are closed.