ଷାଠିଏ ଦିନରେ ଷାଠିଏ ଗଳ୍ପର ସ୍ରଷ୍ଟା ଜୟଶ୍ରୀ

ପ୍ରତିଲିପି ଓଡ଼ିଆର ବିଜେତା

କଟକ: ଲଗାତାର ଷାଠିଏ ଦିନରେ ଷାଠିଏ ଗଳ୍ପ ଲେଖି ଚର୍ଚ୍ଚା ପାଲଟିଛନ୍ତି ଜୟଶ୍ରୀ ସାହୁ। ଅଳ୍ପ ବୟସରୁ ସାରସ୍ୱତ ସାଧନାରେ ପାଦଥାପିଥିବା କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସେ ସଫଳ ହୋଇପାରିଛନ୍ତି। ଜାତୀୟ ସ୍ତରୀୟ ସଂସ୍ଥା ପ୍ରତିଲିପି ଓଡ଼ିଆ ପକ୍ଷରୁ ସଞ୍ଚାର ମାଧ୍ୟମରେ ଅନୁଷ୍ଠିତ ଷାଠିଏ ଦିନରେ ଷାଠିଏ ଗଳ୍ପ ପ୍ରତିଯୋଗିତାରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ରସାୟନ ବିଜ୍ଞାନ +୩ ପ୍ରଥମ ବର୍ଷ ଛାତ୍ରୀ ଜୟଶ୍ରୀ ଭାଗ ନେଇ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ନିୟମ ଅନୁଯାୟୀ ଲଗାତାର ୬୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମୋବାଇଲ ଟାଇପ ଦ୍ୱାରା ଓଡ଼ିଆରେ ଗଳ୍ପ ଲେଖି ତାହାକୁ ପ୍ରତିଲିପିର ସଞ୍ଚାର ପୃଷ୍ଠାରେ ପ୍ରକାଶ କରିବାକୁ ପଡ଼ିଛି। କୌଣସି ଦିନ ଗଳ୍ପ ପ୍ରକାଶ ବନ୍ଦ ହେବାର ନଥିଲା। ଗୋଟିଏ ବି ଦିନ ଗଳ୍ପ ପ୍ରକାଶନ ବନ୍ଦ ହେଲେ ପ୍ରତିଯୋଗିତାରେ ଅଯୋଗ୍ୟ ବିବେଚିତ ହେବାକୁ ପଡ଼ିବ। ପ୍ରତ୍ୟହ ରାତି ୧୨ଟାରେ ସେହିଦିନର ଗଳ୍ପ ପାଇଁ ବିଷୟ ପ୍ରଦାନ କରାଯାଇଥାଏ। ତୁରନ୍ତ ସେହି ବିଷୟ ଆଧାରରେ ଗଳ୍ପଟି ସମ୍ପୂର୍ଣ୍ଣ କରି ପ୍ରକାଶ କରିବାକୁ ପଡ଼ିଥିଲା ଜୟଶ୍ରୀଙ୍କୁ।

 

ସାମ୍ପ୍ରତିକ ସମାଜ ଉପରେ ଆଧାରିତ ତଥା ନିଜ ପରିକଳ୍ପିତ କାହାଣୀ ଆଗଧାଡ଼ିର ଗଳ୍ପଗୁଡ଼ିକ ମଧ୍ୟରେ ଅନ୍ୟତମ। ପ୍ରକାଶିତ ହେବା ପରେ ସଞ୍ଚାରରେ ପାଠକଙ୍କ ସଂଖ୍ୟା ଏବେ ୧ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେମାନଙ୍କ ଟିପ୍ପଣୀଗୁଡ଼ିକ ଗଳ୍ପ ଲେଖିବାକୁ ଅଧିକ ଅନୁପ୍ରେରିତ କରିଛି ବୋଲି ଜୟଶ୍ରୀ କହନ୍ତି। ପ୍ରତିଲିପି ଓଡ଼ିଆ ପକ୍ଷରୁ ତାଙ୍କ ନିକଟକୁ ପାର୍ସଲ ଯୋଗେ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ବିଜେତାର ସ୍ୱୀକୃତି ଦିଆଯାଇଛି। ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ଡ. ସୁରେଖା ସୁନ୍ଦରୀ ସ୍ୱାଇଁ ଉକ୍ତ ମାନପତ୍ର ପ୍ରଦାନ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ସହପାଠୀ ତଥା ପ୍ରତିଲିପିର ନିୟମିତ ପାଠକମାନେ ଜୟଶ୍ରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହାବ୍ୟତୀତ ଜଣେ ମେଧାବୀ ଛାତ୍ରୀ ଭାବେ ସେ ସରକାରୀ ତଥା ବେସରକାରୀସ୍ତରରେ ବୃତ୍ତି ଲାଭ କରିବା ସହ ପ୍ରବନ୍ଧ, ଚିତ୍ରାଙ୍କନ, ବଂଶୀବାଦନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି।

Comments are closed.