ଭର୍ତ୍ତୃହରି-ପ୍ରକାଶ-ପଞ୍ଚାନନଙ୍କ ମଧ୍ୟରେ ଟକ୍କର

କଟକ : ଆସନ୍ତା ୨୩ରେ ହେବାକୁ ଥିବା କଟକ ଲୋକସଭା ଆସନ ପାଇଁ ଏଥର ୩ ପ୍ରମୁଖ ଦଳ ପ୍ରାର୍ଥୀଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ବିଜେଡିରୁ ଲଗାତର ୫ଥର ଜିତିଥିବା ଭର୍ତ୍ତୃହରି ଏଥର ୬ଷ୍ଠ ପାଳିରେ ବିଜୟ ହାସଲ କରିବାକୁ ଆଶା ରଖିଥିବାବେଳେ ତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ଓ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନଗୋ। ଶ୍ରୀ ମହତାବ ତାଙ୍କ ପୂର୍ବ ଅଭିଜ୍ଞତାକୁ ନେଇ ନିର୍ବାଚନ ପ୍ରଚାର ଚଳାଇଥିବାବେଳେ ପ୍ରକାଶ ଓ ପଞ୍ଚାନନ ଲୋକଙ୍କ ସମସ୍ୟାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚିବାରେ ଲାଗିଛନ୍ତି। ଯାହାଫଳରେ ଏଥର କଟକ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି।
୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହେବା ପରେ କଟକ ଲୋକସଭା ଆସନ ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକସଦର, ଆଠଗଡ, ବାଙ୍କୀ, ବଡମ୍ବା ଓ ନୟାଗଡ ଜିଲାର ଖଣ୍ଡପଡା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ହୋଇଛି। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରେ ଥିବା ସାଲେପୁର (ପୂର୍ବରୁ ଟାଙ୍ଗୀ-ଚୌଦ୍ବାର) ଏବଂ ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ରାପଡା ନିର୍ବାଚନରେ ମଣ୍ଡଳୀରେ ମିଶାଇ ଦିଆଯାଇଛି।

୧୯୯୫ରେ ଜନତା ଦଳ ଟିକଟରେ ଶ୍ରୀ ମହତାବ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରେ ବିଜୁ ଜନତା ଦଳ(ବିଜେଡି) ସ୍ଥାପନ ପରେ ସେ ବିଜେଡି ଟିକଟରେ କ୍ରମାଗତଭାବେ ୪ଥର ନିର୍ବାଚିତ ହୋଇଛନ୍ତି। ୨୦୧୪ ନିର୍ବାଚନରେ ବିଜେଡିରୁ ଶ୍ରୀ ମହତାବ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ କଂଗ୍ରେସରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ବିଜେପିରୁ ସମୀର ଦେ ପ୍ରାର୍ଥୀ ହୋଇଥିଲେ। ଏହି ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଅପରାଜିତା ଓ ଭର୍ତ୍ତୃହରିଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏହି ନିର୍ବାଚନରେ ୯,୭୮,୬୦୪ଜଣ ମତାଦାତା ଭୋଟ ଦେଇଥିଲେ। ଶ୍ରୀ ମହତାବ ସର୍ବାଧିକ ୫,୨୬,୦୮୫ଖଣ୍ଡ ଭୋଟ ପାଇଥିବାବେଳେ ଅପରାଜିତା ୨,୧୯,୩୨୩ଖଣ୍ଡ ଏବଂ ସମୀର ଦେ ୧,୪୬,୦୯୩ଖଣ୍ଡ ଭୋଟ ପାଇଥିଲେ। ନିର୍ବାଚନରେ ଶ୍ରୀ ମହତାବ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ। ତାଙ୍କ ସପକ୍ଷରେ ୫୩.୭୫% ଭୋଟ ପଡିଥିଲାବେଳେ ଅପରାଜିତାଙ୍କ ସପକ୍ଷରେ ୨୨.୪୧ପ୍ରତିଶତ ଭୋଟ ପଡିଥିଲା। ୨୦୧୯ରେ ବିଜେଡି ପୁଣି ଭର୍ତ୍ତୃହରିଙ୍କ ଉପରେ ଆସ୍ଥାପ୍ରକଟ କରିଛି। ଅପରାଜିତା ଦଳ ବଦଳାଇ ବିଜେପିରେ ସାମିଲ ହୋଇଛନ୍ତି। ଏଥର ସେ ଉତ୍ତର ଭୁବନେଶ୍ୱରରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି। ଅପରାଜିତା ଦଳ ଛାଡିବା ପରେ କଂଗ୍ରେସରେ ସାମିଲ ହୋଇଥିବା ପଞ୍ଚାନନଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ବିଜେପି ଶ୍ରୀ ଦେଙ୍କ ବଦଳରେ ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କୁ ଟିକଟ ଦେଇଛି। ଶ୍ରୀ ମିଶ୍ରଙ୍କ ରାଜନୈତିକ ଅଭିଜ୍ଞତା କମ୍‍ ଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶକୁ ପ୍ରାଥମିକତା କରି ପ୍ରଚାର ଚଳାଇଛନ୍ତି। ଏଥିମଧ୍ୟରେ ଶ୍ରୀ ମିଶ୍ର ୭ଟି ବିଧାନସଭା ମଣ୍ଡଳୀରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ସହିତ ପ୍ରଚାର ଚଳାଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଉମାଭାରତୀ, ରାଜନାଥ ସିଂହ ପ୍ରମୁଖ ତୋଫାନୀ ଗସ୍ତରେ ଆସି ଶ୍ରୀ ମିଶ୍ରଙ୍କ ପାଇଁ ପ୍ରଚାର କରିଗଲେଣି।

ଶନିବାର ବିଜେପି ପ୍ରବକ୍ତା ନକଭି କଟକ ଗସ୍ତରେ ଆସୁଥିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମିଶ୍ରଙ୍କ ପାଇଁ ଏହିସବୁ କେନ୍ଦ୍ରୀୟ ନେତାଙ୍କ ପ୍ରଚାର କେତେ ଫାଇଦା ଦେଉଛି ତାହା ମତଦାନ ପରେ ସ୍ପଷ୍ଟ ହେବ। ସେହିପରି ବିଜେଡି ପ୍ରାର୍ଥୀ ଶ୍ରୀ ମହତାବଙ୍କ ସପକ୍ଷରେ ଦଳର ସୁପ୍ରିମୋ ତଥା ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଥିବାବେଳେ ଅନ୍ୟ କୌଣସି ଷ୍ଟାର ପ୍ରଚାରକ ଏ ପର୍ଯ୍ୟନ୍ତ ମଇଦାନକୁ ଓହ୍ଲାଇନାହାନ୍ତି। ଶ୍ରୀ ମହତାବ ନିଜ ଅଭିଜ୍ଞତା ସହିତ ୭ଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀଙ୍କୁ ଜୋରସୋର ପ୍ରଚାର ଚଳାଇଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନଙ୍କ ଏ ପର୍ଯ୍ୟନ୍ତ କୌଣସି ରାଷ୍ଟ୍ରୀୟ କିମ୍ବା ରାଜ୍ୟସ୍ତରୀୟ ନେତା ପ୍ରଚାର ପାଇଁ ଆସିନାହାନ୍ତି। ପଞ୍ଚାନନ ପ୍ରଚାର ମଙ୍ଗ ନିଜେ ଧରିଛନ୍ତି। କଟକ ଜିଲାରେ କଂଗ୍ରେସର ନିର୍ଦିଷ୍ଟ ଭୋଟ ବ୍ୟାଙ୍କ ରହିଛି। ଏହି ଭୋଟ ସହିତ ସରକାରୀ ବିରୋଧର ହାୱା ତାଙ୍କ ସପକ୍ଷରେ ଯିବ ବୋଲି ସେ ଆଶାବାଦୀ ରହିଛନ୍ତି। ୩ ପ୍ରମୁଖ ପ୍ରାର୍ଥୀ ନିଜ ନିଜର ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ରବିବାର ସନ୍ଧ୍ୟାରେ ଶେଷ ହେବ। ଏହି ଦୁଇଦିନ ମଧ୍ୟରେ ଯେଉଁ ପ୍ରାର୍ଥୀ ଭୋଟରଙ୍କ ବିଶ୍ୱାସଭାଜନ ହୋଇପାରିବ ତାହାର ବିଜୟ ସହଜ ହେବ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ମତପ୍ରକାଶ ପାଇଛି।

Comments are closed.